Latest Odisha News

ଶପଥ ପୂର୍ବରୁ ଚେତାବନୀ, କହିଲେ ‘ଜନତାଙ୍କ ଗୋଟି ଗୋଟି ଟଙ୍କାର ହିସାବ ଦେବେ ପୂର୍ବ ସରକାର’

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସିଂହାସନରେ ବସିବାକୁ ଯାଉଛନ୍ତି ଜଣେ ମହିଳା ମୁଖ୍ୟମନ୍ତ୍ରୀ । ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଓ ଆତିଶି ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା । ତେବେ ସିଂହାସନ ଆରୋହଣ କରିବା ପୂର୍ବରୁ ବଡ ଚେତାବନୀ ଦେଇଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ସବୁ ଭ୍ରଷ୍ଟାଚାରର ହିସାବ ବୋଲି କହିଛନ୍ତି ରେଖା ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରେଖା କହିଛନ୍ତି ଯେ, ମୋତେ ଏକ ବଡ଼ ଦାୟିତ୍ୱ ଦିଆଯାଇଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ଓ ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ଏକ ସାଧାରଣ ପରିବାରୁ ଆସିଥିବା ଝିଅ ଉପରେ ବିଶ୍ୱାସ ରଖିଛନ୍ତି । ମୁଁ ନିଜର ପୁରା କ୍ଷମତା, ଶକ୍ତି ଏବଂ ସଚ୍ଚୋଟତାର ସହିତ ଦାୟିତ୍ୱ ତୁଲାଇବି । ମୋର ପ୍ରଥମ ପ୍ରାଥମିକତା ହେଉଛି ଆମ ଦଳ ଦ୍ୱାରା ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ଏବଂ ଦ୍ୱିତୀୟ ପ୍ରାଥମିକତା ହେଉଛି ଆମର ସମସ୍ତ ୪୮ ବିଧାୟକ ମୋଦି ଟିମ୍ ଭାବରେ କାମ କରିବେ । ମୁଁ କେବେ ଭାବି ନଥିଲି ଯେ ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବି । ଆମେ ଜନସାଧାରଣଙ୍କୁ ଯାହା ବି ପ୍ରତିଶ୍ରୁତି ଦେଇଛୁ, ତାହା ସମୟ ମଧ୍ୟରେ ପୂରଣ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ସରକାର ଦିଲ୍ଲୀରେ ଗତ ୧୨ ବର୍ଷ ଧରି ରାଜ୍ କରୁଥିଲା ଏବଂ ଯେତେବି ଭ୍ରଷ୍ଟାଚାର ଅଭିଯୋଗ ତାଙ୍କ ଉପରେ ରହିଛି ସେ ସବୁର ହିସାବ କରାଯିବ । ଜନତାଙ୍କର ଗୋଟି ଗୋଟି ପଇସାର ହିସାବ ଦେବାକୁ ପଡ଼ିବ ସେମାନଙ୍କୁ ।

କହିରଖୁଛୁ ଯେ, ରେଖା ଗୁପ୍ତା ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ରାଷ୍ଟ୍ରୀୟ ମନ୍ତ୍ରୀ ଥିଲେ। ବର୍ତ୍ତମାନ ସେ ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି। ସତୀଶ ଉପାଧ୍ୟାୟ ରାଜ୍ୟ ସଭାପତି ଥିବା ସମୟରେ, ସେ ତାଙ୍କ ସହିତ ରାଜ୍ୟ ସାଧାରଣ ସମ୍ପାଦକ ଥିଲେ। ସେ ୨୦୧୫ରେ ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ୧୦,୯୭୮ ଭୋଟରେ ପରାସ୍ତ ହୋଇଥିଲେ। ୨୦୨୦ରେ ସେ ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ପୁଣିଥରେ ୩,୪୪୦ ଭୋଟରେ ପରାସ୍ତ ହୋଇଥିଲେ। ୨୦୨୫ରେ ସେ ତାଙ୍କର ତୃତୀୟ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ୨୯,୫୯୫ ଭୋଟରେ ଜିତିଥିଲେ।

Comments are closed.