ମୁମ୍ବାଇ: ଏବେ ପ୍ରେକ୍ଷାଳୟରେ ଫିଲ୍ମ ରି-ରିଲଜର ଟ୍ରେଣ୍ଡ ଆରମ୍ଭ ହୋଇଛି। ଦୀର୍ଘ ୯ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ‘ସନମ୍ ତେରୀ କସମ୍’ର ରି-ରିଲିଜ ପରେ ଏବେ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି। ହର୍ଷବର୍ଦ୍ଧନ ରାଣେ ଓ ମାୱରା ହୁସେନଙ୍କ ରୋମାଣ୍ଟିକ ଡ୍ରାମା ‘ସନମ୍ ତେରୀ କସମ୍’ ସେତେବେଳେ ସିନା ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା କିନ୍ତୁ ଏବେ ଭଲ ଆୟ କରିଛି ଫିଲ୍ମଟି । ତେବେ ଗୋଟିଏ ପଟେ ‘ସନମ୍ ତେରୀ କସମ୍’ ଏବେ ଦମଦାର କଲେକ୍ସନ କରୁଥିବା ବେଳେ ଅନ୍ୟପଟେ ପ୍ରକ୍ଷାଳୟରେ ରି-ରିଲିଜ ହେବାକୁ ଯାଉଛି ଆଉ ଏକ ପ୍ରେମ କାହାଣୀ । ଏହି ସିନେମାଟି ମୁକ୍ତିଲାଭ କରିବା ସମୟରେ ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା । ଏବେ ପୁଣି ରିଲିଜ ହୋଇ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି ।
ଆଜ୍ଞା ହଁ, ଆମେ କହୁଛୁ ଧନୁସ୍ ଏବଂ ସୋନମ୍ କପୁରଙ୍କ ଫିଲ୍ମ ‘ରାଞ୍ଝଣା’ । ପୁଣିଥରେ ଆଖି ଭିଜାଇବ ଜୋୟା ଏବଂ କୁନ୍ଦନଙ୍କ ପ୍ରେମ କାହାଣୀ । ଫିଲ୍ମଟିକୁ ରି-ରିଲିଜ୍ କରିବାକୁ ମନସ୍ତ କରିଛନ୍ତି ଫିଲ୍ମମେକର । ପିଭିଆର ସିନେମାସ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ଫିଲ୍ମର ରି-ରିଲିଜ ବିଷୟରେ ସୂଚନା ଦେଇଛି। ରାଞ୍ଝଣା ଆସନ୍ତା ୨୮ ଫେବୃଆରୀରେ ମୁକ୍ତିଲାଭ କରିବାକୁ ଯାଉଛି। ରାଞ୍ଝଣାର ରି-ରିଲିଜ ବିଷୟରେ ଜାଣି ପ୍ରଶଂସକମାନେ ମଧ୍ୟ ବହୁତ ଖୁସିଥିବା ଜଣାପଡିଛି । ଫିଲ୍ମର ରି-ରିଲିଜ ବିଷୟରେ ଜାଣିବା ପରେ ପ୍ରଶଂସକମାନେ PVR ସିନେମାର ପୋଷ୍ଟରେ କମେଣ୍ଟ ଦେଇ ସେମାନଙ୍କର ଖୁସି ପ୍ରକାଶ କରିଛନ୍ତି।
କହିରଖୁଛୁ ଯେ, ସୋନମ କପୁର ଏବଂ ଧନୁଷଙ୍କ ଫିଲ୍ମ “ରାଞ୍ଝଣା” ୨୦୧୩ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ସେହି ବର୍ଷର ହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା। ଧନୁଷ ଏବଂ ସୋନମଙ୍କ କ୍ୟାରିଅରର ସବୁଠାରୁ ଭଲ ସିନେମା ମଧ୍ୟରୁ ରାଞ୍ଝଣା ଗୋଟିଏ। ଆନନ୍ଦ ଏଲ୍ ରାୟଙ୍କ ନିର୍ଦ୍ଦେଶିତ ଫିଲ୍ମ ରାଞ୍ଝଣାରେ ଧନୁଷ ଏବଂ ସୋନମଙ୍କ ବ୍ୟତିତ ଅଭୟ ଦେଓଲ, ସ୍ୱରା ଭାସ୍କର ଏବଂ ଜୀଶାନ ଆୟୁବ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
Comments are closed.