ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ପ୍ରଡକ୍ସନ୍ ହାଉସ୍, ଅକ୍ଷୟ ପରିଜା ପ୍ରଡକ୍ସନ୍ ପକ୍ଷରୁ ଜୁନ ମାସ ୧୯ ଓ ୨୦ ତାରିଖରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ମହାନ ନାଟକ ‘କାଞ୍ଚି ବିଜୟ କଥା’ ମଞ୍ଚସ୍ଥ ହେବାକୁ ଯାଉଛି। ଏହି ମନମୋହକ କାହାଣୀ ପୁରୀ ଗଜପତି ମହାରାଜ ଏବଂ କାଞ୍ଚିର ରାଜକୁମାରୀଙ୍କ କିମ୍ବଦନ୍ତୀ ପ୍ରେମ ପ୍ରଣୟ ଉପରେ ଆଧାରିତ ଏବଂ ଏହା ସେମାନଙ୍କ ସାହସିକତା ତଥା ସେମାନଙ୍କୁ ଏକାଠି କରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ପଦକ୍ଷେପକୁ ଉଜାଗର କରିଛି।
୩୫ ରୁ ଅଧିକ ଚଳଚ୍ଚିତ୍ର ଏବଂ ୮,୦୦୦ ଟେଲିଭିଜନ ଏପିସୋଡ୍ ସହିତ ମନୋରଞ୍ଜନ ଶିଳ୍ପର ଜଣେ ପ୍ରଖ୍ୟାତ ବ୍ୟକ୍ତିତ୍ୱ ଅକ୍ଷୟ କୁମାର ପରିଜାଙ୍କ ଦ୍ୱାରା ପ୍ରଯୋଜିତ ଏହି ମଞ୍ଚ ନାଟକର କାଳଜୟୀ କାହାଣୀକୁ ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ରୂପ ଦେବାରେ ତାଙ୍କର ପ୍ରଚେଷ୍ଟା ଓ ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ। “ଏହା କେବଳ ଆରମ୍ଭ ମାତ୍ର; ଚଳଚ୍ଚିତ୍ରଟି ଖୁବ୍ ଶୀଘ୍ର ଆସିବ,” ବୋଲି ଶ୍ରୀ ପରିଜା ସୂଚନା ଦେଇଛନ୍ତି।
ଲୋକପ୍ରିୟ ମଞ୍ଚ ନାଟକ ‘ଆହେ ନୀଳ ଶୈଳ’ ପାଇଁ ପ୍ରସିଦ୍ଧ ଶ୍ରୀ ଲାଲା ବୀରେନ୍ ରାୟ ଏହି ମହତ୍ୱାକାଂକ୍ଷୀ ନାଟକର ନିର୍ଦ୍ଦେଶନା ଦେବେ। “ଆମେ ଓଡ଼ିଶା ପାଇଁ ଏକ ଐତିହାସିକ କାହାଣୀର ମଞ୍ଚ ନାଟ୍ୟ ଅନୁଭୂତି ସୃଷ୍ଟି କରିବାକୁ ପ୍ରତିବଦ୍ଧ। ପ୍ରଭୁ ଜଗନ୍ନାଥଙ୍କ ମାର୍ଗଦର୍ଶନ ଆମକୁ ଏହି ଦିବ୍ୟ ଯାତ୍ରାରେ ଅନୁପ୍ରାଣିତ କରିବ” ବୋଲି ଶ୍ରୀ ରାୟ କହିଛନ୍ତି।
ଶ୍ରୀ ପରିଜା ଆହୁରି କହିଛନ୍ତି, “ପ୍ରଭୁ ଜଗନ୍ନାଥଙ୍କ ମହିମାକୁ ସୁଦୃଶ୍ୟ ଭାବରେ ସଂଯୋଜିତ କରି ସାରା ବିଶ୍ୱରେ ପହଞ୍ଚାଇବା ପାଇଁ ମୋ ଟିମ ଉତ୍ସର୍ଗୀକୃତ ଭାବେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ମୋର ବିଶ୍ୱାସ ରହିଛି ଯେ ପ୍ରଭୁ ଜଗନ୍ନାଥ ଏହି ମିଶନକୁ ସଫଳ କରିବା ପାଇଁ ଶ୍ରୀ ଲାଲା ବୀରେନ ରାୟଙ୍କୁ ପଠାଇଥିଲେ।” ଏହି ମଞ୍ଚ ନାଟକ ଇତିହାସ, ଭକ୍ତି ଏବଂ କଳାର ଏକ ଚମତ୍କାର ମିଶ୍ରଣ ଭାବରେ ଦର୍ଶକଙ୍କୁ ବିମୋହିତ କରିବ ଏବଂ ଆମ ଐତିହ୍ୟର କାଳଜୟୀ ଗୌରବ ଗାଥାକୁ ପ୍ରସାର କରିବ।
ପରିଜାଙ୍କ ଏହି ପରିକଳ୍ପନାକୁ ନେଇ ବିଶିଷ୍ଟ ଲେଖକ ଡକ୍ଟର ରମେଶ ପାଣିଗ୍ରାହୀ ଏକ ମହତ୍ତ୍ୱପୂର୍ଣ୍ଣ କାହାଣୀ ପ୍ରସ୍ତୁତ କରିଛନ୍ତି। ଉଦୀୟମାନ ଲେଖିକା ସୁଶ୍ରୀ ବନସ୍ମିତା ପତି ବର୍ଣ୍ଣନା ଏବଂ ସଂଳାପରେ ବିଶେଷ ଯୋଗଦାନ ଦେଇଛନ୍ତି । ଆଗାମୀ ଜୁନ ୧୯ ଓ ୨୦ ତାରିଖରେ ଏହି ପ୍ରସିଦ୍ଧ ନାଟକ ମଞ୍ଚସ୍ଥ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
Comments are closed.