ଦୀର୍ଘ ଦିନ ହେବ ବିରାଟ କୋହଲିଙ୍କ ବ୍ୟାଟ ନୀରବ ରହିଥିଲା । କିଙ୍ଗ କୋହଲି ଭାବେ ପରିଚିତ ବିରାଟ ପ୍ରଶଂସକଙ୍କ ମନ ମୁତାବକ ପ୍ରଦର୍ଶନ କରିପାରୁ ନ ଥିଲେ । ତେବେ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ କୋହଲି ଅପରାଜିତ ଶତକ ହାସଲ କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଦୀର୍ଘ ଦିନ ପରେ ପୂନର୍ବାର କୋହଲି କିଙ୍ଗ ଟ୍ୟାଗ ହାସଲ କରିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚରେ କୋହଲି ୫ଟି ରେକର୍ଡ ସୃଷ୍ଟି କରିଛନ୍ତି । ପାକିସ୍ତାନ ଭାରତ ସମ୍ମୁଖରେ ୨୪୨ ରନର ଟାର୍ଗେଟ ରଖିଥିଲା । ଭାରତ ୬ ୱିକେଟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । କୋହଲି ୧୦୦ ରନ କରି ଅପରାଜିତ ରହିଥିଲା ।
ଦ୍ରୁତ ୧୪ ହଜାର ରନ: ବିରାଟ କୋହଲି ଦିନିକିଆ କ୍ରିକେଟରେ ଦ୍ରୁତ ୧୪ ହଜାର ରନ ସଂଗ୍ରହ କରିଛନ୍ତି । ସେ ୨୯୯ ଦିନିକିଆରେ ୨୮୭ ଇନିଂସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସଚିନ ତେନ୍ଦୁଲକର ୩୫୦ ଇନିଂସରେ ଏହି ରେକର୍ଡ କରିଥିଲେ । ତାଙ୍କ ପରେ କୁମାର ସଙ୍ଗକାରା ୩୭୮ ଇନିଂସରେ ୧୪ ହଜାର ରନମାର୍କ ପୂରଣ କରିଥିଲେ ।
୫୧ ଶତକ: କୋହଲି ପାକିସ୍ତାନ ବିପକ୍ଷରେ କ୍ୟାରିୟରର ୫୧ତମ ଦିନିକିଆ ଶତକ ହାସଲ କରିଛନ୍ତି । ବିଶ୍ୱର ପ୍ରଥମ ଖେଳାଳି ଭାବେ କୋହଲି ଏହି କୀର୍ତିମାନ କରିଛନ୍ତି । ସଚିନ ତେନ୍ଦୁଲକର ୪୯ ଶତକ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଚାମ୍ପିୟନ୍ସ ଟ୍ରଫିରେ ପ୍ରଥମ ଶତକ: ବିରାଟ କୋହଲି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ କୌଣସି ଭାରତୀୟ ଏହି ସଫଳତା ହାସଲ କରିପାରି ନାହାନ୍ତି ।
ସର୍ବାଧିକ କ୍ୟାଚ: କିଙ୍ଗ କୋହଲି ଦିନିକିଆ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ କ୍ୟାଚ ନେବାର ଗୌରବ ଅର୍ଜନ କରିଛନ୍ତି । ସେ ମହମ୍ମଦ ଆଝାରୁଦ୍ଦିନଙ୍କ ୧୫୬ କ୍ୟାଚ ରେକର୍ଡ ଭାଙ୍ଗି ଦେଇଛନ୍ତି । ବିଶ୍ୱ କ୍ରିକେଟରେ ସର୍ବାଧିକ ୧୬୦ କ୍ୟାଚ ମିଳିତ ଭାବେ ରିକି ପଟିଂ ଓ ମାହେଲା ଜୟବର୍ଦ୍ଧନେ ନେଇଛନ୍ତି ।
ସର୍ବାଧିକ ପ୍ଲେୟାର ଅଫ ଦି ମ୍ୟାଚ: ଆଇସିସି ଟୁର୍ଣ୍ଣାମେଂଟରେ ପାକିସ୍ତାନ ବିପକ୍ଷରେ ସେ ସର୍ବାଧିକ ଥର ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଛନ୍ତି । ସେ ୫ ଥର ଏହି ଉପଲବ୍ଧି ହାସଲ କରିଛନ୍ତି । କୋହଲି ୨୦୧୨ ଟି୨୦ରେ ୭୮ ନଟଆଉଟ, ୨୦୧୫ ଦିିନିକିଆ ବିଶ୍ୱକପରେ ୧୦୭, ୨୦୧୬ ୱାର୍ଲ୍ଡ ଟି୨୦ରେ ୫୫ ନଟଆଉଟ, ୨୦୨୨ ଟି୨୦ ବିଶ୍ୱକପରେ ୮୨ ନଟଆଉଟ ଓ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ୧୦୦ ରନ କରି ନଟଆଉଟ ରହିଛନ୍ତି ।
Comments are closed.