ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସକୁ ଘାରିଲାଣି ଡିସେମ୍ବର ଚିନ୍ତା ! ଦଳ ଲୁଚାଇବାକୁ ଯେତେ ଚେଷ୍ଟା କଲେ ବି ନେତାଙ୍କ ବୟାନବାଜି କଂଗ୍ରେସ ଭିତରର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନ ପରେ ଡିକେ ଶିବକୁମାର ମହାକୁମ୍ଭରେ ବୁଡ ପକାଇବା ହେଉ କି ଅମିତ ଶାହା ମୁଖ୍ୟ ଅତିଥୀ ଥିବା ମହାଶିବରାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବା। ଏସବୁ ଘଟଣା ଦେଖାଉଛି, କର୍ଣ୍ଣାଟକ କଂଗ୍ରେସରେ ସବୁକିଛି ଠିକ ନାହିଁ । କୁହାଯାଉଛି, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନେଇ ରାଜ୍ୟ କଂଗ୍ରେସରେ କନ୍ଦଳ ହେଉଛି । ଦିନକ ତଳେ କଂଗ୍ରେସ ବିଧାୟକ ବସବରାଜୁ ବି ଶିବଗଙ୍ଗା କହିଥିଲେ, ଚଳିତ ବର୍ଷ ଡିସେମ୍ବରରେ ଶିବକୁମାର କର୍ଣ୍ଣାଟକର ସିଏମ୍ ହେବେ । ଏପରିକି ସେ ସାଢେ ୭ବର୍ଷ ଧରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରେ ରହିବେ । କାରଣ, ବସବରାଜୁଙ୍କ ମତରେ ରାଜ୍ୟରେ ପରବର୍ତ୍ତୀ ନିର୍ବାଚନ ବି କଂଗ୍ରେସ ହିଁ ଜିତିବ ।
ସରୁଛି ସିଦ୍ଧରମୟାଙ୍କ ଅଢେଇ ବର୍ଷ
୨୦୨୩ରେ କର୍ଣ୍ଣାଟକରେ କଂଗ୍ରେସ ଜିତିବା ପରେ ଅଢେଇ ବର୍ଷ ଥିଓରୀକୁ ନେଇ ଚର୍ଚ୍ଚା ହୋଇଥିଲା। କୁହାଯାଉଛି, ସେତେବେଳେ ଅଢେଇ ବର୍ଷ ପାଇଁ ସିଦ୍ଧରମୟାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା । ଏହାସହ ପରବର୍ତ୍ତୀ ଅଢେଇ ବର୍ଷ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶ୍ବାସନା ଦିଆଯାଇଥିଲା । ଆସନ୍ତା ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ପଦରେ ସିଦ୍ଧରମୟାଙ୍କ ଅଢେଇ ବର୍ଷ ପୂରିବ । ତେଣୁ ଡିକେ ଶିବକୁମାରଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଜୋରଦାର କରିଛନ୍ତି । ସେପଟେ ସିଦ୍ଧରମୟାଙ୍କ ଗୋଷ୍ଠୀ ପୂରା ୫ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଦାବି କରୁଛନ୍ତି ।
ରାଜସ୍ଥାନରେ ବି ଅଢେଇ ବର୍ଷ ବିବାଦ
କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦରେ ଅଢେଇ ବର୍ଷ ଭାଗକୁ ନେଇ ଆଗରୁ ବି ବିବାଦ ହୋଇଛି । ରାଜସ୍ଥାନରେ ପୂର୍ବ କଂଗ୍ରେସ ସରକାର ସମୟରେ ବି ଏହାକୁ ନେଇ ବିବାଦ ହୋଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଶୋକ ଗେହଲଟଙ୍କ ସହ ସଚିନ ପାଇଲଟ ମଧ୍ୟ ଦାବି କରିଥିଲେ। ଶେଷରେ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ କଂଗ୍ରେସ ହାଇକମାଣ୍ଡ । ସେତେବେଳେ ପାଇଲଟଙ୍କ ସମର୍ଥକ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ଫର୍ମୁଲା ନେଇ ନିଷ୍ପତ୍ତି ହୋଇଥିବା କହିଥିଲେ । ଏପରିକି ୨୦୨୦ ଜୁଲାଇରେ ପାଇଲଟ ନିଜ ସମର୍ଥକ ବିଧାୟକଙ୍କୁ ନେଇ ବିଦ୍ରୋହ କରିଥିଲେ । ସେତେବେଳେ ପାଇଲଟଙ୍କୁ ସମର୍ଥନ ମିଳିନଥିଲା । ପ୍ରିୟଙ୍କା ଗାନ୍ଧୀଙ୍କ ଦଖଲ ପରେ ବିବାଦ ତୁଟିଥିଲା ।
କେମିତି ବଦଳିଗଲେ ଶିବକୁମାର?
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଜାନୁଆରୀ ୨୭ତାରିଖରେ ମହାକୁମ୍ଭରେ ସ୍ନାନ କରିବାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଥିଲେ । ବିଜେପି ନେତା ମହାକୁମ୍ଭରେ ବୁଡ ପକାଉଛନ୍ତି । ହେଲେ ଗଙ୍ଗାରେ ବୁଡ଼ ପକାଇଲେ ଦେଶରେ ଦାରିଦ୍ର୍ୟ ଶେଷ ହୋଇଯିବ କି, ବୋଲି ସେ ପ୍ରଶ୍ନ କରିଥିଲେ । ଦଳର ଅଧ୍ୟକ୍ଷଙ୍କ ଏଭଳି କଡା ଆଭିମୁଖ୍ୟ ପରେ ଡିକେ ଶିବକୁମାରଙ୍କ ବୟାନ ଆଶ୍ଚର୍ଯ୍ୟ କରିଥିଲା । ଫେବ୍ରୁଆରୀ ୯ତାରିଖରେ ଶିବକୁମାର ପ୍ରୟାଗରାଜରେ ପହଞ୍ଚିବା ସହ ସଂଗମରେ ବୁଡ ପକାଇଥିଲେ । ଏହାସହ ମହାକୁମ୍ଭ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ଏତେବଡ ଭିଡକୁ ସମ୍ଭାଳିବା ସହଜ ନୁହେଁ, ଏହା ଅବିଶ୍ବସନୀୟ । ଛୋଟ ମୋଟ ସମସ୍ୟା ରହିବ, ତେବେ ସେ ଭୁଲ ବାହାର କରିବାକୁ ଆସିନଥିବା କହିଥିଲେ ।
ମହାକୁମ୍ଭ ପରେ ଇଶା ଫାଉଣ୍ଡେସନର ମହାଶିବରାତ୍ରୀ ସମାରୋହରେ ସାମିଲ ହୋଇଥିଲେ ଡିକେ ଶିବକୁମାର । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଶିବକୁମାର ସାମିଲ ହେବାକୁ ନେଇ କର୍ଣ୍ଣାଟକ କଂଗ୍ରେସରେ ବୟାନବାଜି ଜୋରଦାର ହୋଇଥିଲା । ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଥିବା ନେତାଙ୍କ ସହ କେମିତି ଶିବକୁମାର ଗୋଟିଏ ମଞ୍ଚରେ ସାମିଲ ହେଲେ ବୋଲି ପ୍ରଶ୍ନ କରିଥିଲେ କର୍ଣ୍ଣାଟକ ମନ୍ତ୍ରୀ କେଏନ୍ ରାଜନ୍ନା । ତେବେ ସେ ହିନ୍ଦୁ ହୋଇ ଜନ୍ମ ହୋଇଛନ୍ତି ଓ ହିନ୍ଦୁ ଥାଇ ହିଁ ମରିବେ ବୋଲି କହିଥିଲେ ଶିବକୁମାର । ତାଙ୍କ ପରିବର୍ତ୍ତିତ ଆଚରଣ କଂଗ୍ରେସ ପାଇଁ ବଡ ଝଡ଼ ଆଣିପାରେ ବୋଲି ରାଜନୈତିକ ସମୀକ୍ଷକ ଆଶଙ୍କା କରିଛନ୍ତି ।
Comments are closed.