Latest Odisha News

BREAKING NEWS

କୋହଲିଙ୍କ ଅର୍ଦ୍ଧଶତକ: ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ

ଦୁବାଇ: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ରୋମାଂଚପୂର୍ଣ୍ଣ ପ୍ରଥମ ସେମିଫାଇନାଲରେ ଭାରତ ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ୪ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଟିମଇଣ୍ଡିଆ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୫ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଥିଲା ।

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଭାରତ କୋହଲିଙ୍କ ୮୪, ଶ୍ରେୟାଶ ଆୟାରଙ୍କ ୪୫ ଏବଂ ଶେଷ ଭାଗରେ କେଏଲ ରାହୁଲଙ୍କ ୪୨ ରନର ଉପଯୋଗୀ ଇନିଂସ ବଳରେ ୪୮.୧ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୨୮ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ ଏଲିସ ଓ ଆଡାମ ଜାମ୍ପା ୨ଟି ଲେଖାଏଁ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ କୋହଲି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପୂର୍ବରୁ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର କରିପାରି ନ ଥିଲା । ୩୬ ଓଭର ବେଳକୁ ଅଷ୍ଟ୍ରେଲିଆ ୪ ୱିକେଟ ବିନିମୟରେ ୧୯୫ ରନ କରି ଭଲ ସ୍ଥିତିରେ ରହିଥିଲା । ମାତ୍ର ଏହା ପରେ ଶେଷ ୧୪ ଓଭରରେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୬ ୱିକେଟ ହରାଇ ମାତ୍ର ୬୯ ରନ କରିଥିଲା ।

ଷ୍ଟିଭ ସ୍ମିଥଙ୍କୁ ଆଜି ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ସହାୟ ହେବାରୁ ସେ ୪ଥ ଆଉଟ ହେବାରୁ ବଂଚିତ ହୋଇଥିଲେ । ସ୍ମିଥ ୭୩ ଓ ଆଲେକ୍ସ କ୍ୟାରୀ ୬୧ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରେଭିସ ହେଡ ୩୯ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମୀ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ବରୁଣ ଚକ୍ରବର୍ତି ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Comments are closed.