ମୁମ୍ବାଇ: ୨୦୧୧ରେ ମୁକ୍ତିଲାଭ କରିଥିବା ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ରା-ୱାନର ଟିକସ ଚୋରି ମାମଲାରେ ଆୟକର ବିଭାଗ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଇନକମ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ୍ ତାଙ୍କ ସପକ୍ଷରେ ରାୟ ଦେବାପରେ ସେ ଏହି ମୋକଦ୍ଦମା ଜିତି ଯାଇଛନ୍ତି।
ତେବେ ଏହି ମାମଲାଟି ୨୦୧୧-୨୦୧୨ ମସିହାର ଅଟେ। ଯେତେବେଳେ ଶାହରୁଖ ଖାନଙ୍କ ତାଙ୍କର ୮୩.୪୨ କୋଟି ଟଙ୍କାର ଇନକମ ସମ୍ପର୍କରେ ଘୋଷଣା କରିଥିଲେ। ୟୁକେରେ ଦିଆଯାଇଥିବା ଟିକସ ପାଇଁ ତାଙ୍କର ବିଦେଶୀ ଟିକସ କ୍ରେଡିଟକୁ ଗ୍ରହଣ କରାଯାଇନଥିଲା। ଏହାର ଚାରି ବର୍ଷ ପରେ ଶାହରୁଖଙ୍କ ଟିକସ ମୂଲ୍ୟକୁ ୮୪.୧୭ କୋଟି ଟଙ୍କାକୁ ବୃଦ୍ଧି କରିଦିଆଯାଇଥିଲା। ତେବେ ତାଙ୍କ ଉପରେ ଟିକସ ଫାଙ୍କିବାର ମଧ୍ୟ ଅଭିଯୋଗ ହୋଇଥିଲା।
ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ସହିତ ଶାହରୁଖ ଖାନଙ୍କ ଚୁକ୍ତି ଥିଲା ଯେଉଁଥିପାଇଁ ରା.ୱାନର ୭୦ ପ୍ରତିଶତ ସୁଟିଂ ୟୁକେରେ ହୋଇଥିଲା ଏବଂ ତାଙ୍କ ଆୟର ଏକ ବଡ଼ ଅଂଶକୁ ୟୁକେରେ ଟିକସ ଆକାରରେ ଦିଆଯାଇଥିଲା। ତେବେ ଆୟକର ବିଭାଗ ଏହି ବ୍ୟବସ୍ଥାକୁ ଭାରତର ରାଜସ୍ୱ କ୍ଷତି ହୋଇଥିବା କହି ଶାହରୁଖଙ୍କ ବିଦେଶୀ ଟିକସ କ୍ରେଡିଟ୍କୁ ପ୍ରତ୍ୟାଖ୍ୟାନ କରିଦେଇଥିଲା। ତେବେ ଉକ୍ତ ମାମଲାରେ ବର୍ତ୍ତମାନ ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତି ଶାହରୁଖ ଖାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।
ଅପରପକ୍ଷରେ ବର୍ତ୍ତମାନ କିଙ୍ଗ ଖାନ ଆଇଫା ସେରେମୋନୀ ପାଇଁ ଜୟପୁରରେ ଅଛନ୍ତି। ମୁମ୍ବାଇ ଫେରିବା ପରେ ସେ ତାଙ୍କ ଝିଅ ସୁହାନା ଖାନଙ୍କ ସହ ଫିଲ୍ମ “କିଙ୍ଗ୍”ର ସୁଟିଂ କରିବେ ବୋଲି ଜଣାପଡିଛି।
Comments are closed.