ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଓ କର୍ମଭୂମିର ଉନ୍ନତିକରଣ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମଧୁବାବୁଙ୍କ ଜନ୍ମଭୂମି, ଏନ୍ତୁଡ଼ିଶାଳ, ମଧୁକୋଠି, ବାଲିପୋଖରୀ ଏବଂ କର୍ମସ୍ଥଳୀ ଆଦିର ଉନ୍ନତିକରଣ ହେବ । ଏଥିପାଇଁ କ’ଣ ସବୁ ପଦକ୍ଷେପ ନିଆଯିବା ଜରୁରୀ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଟ୍ରଷ୍ଟ ଏବଂ ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ।
ଏଥି ସହିତ ଏଠାରେ ପାର୍କିଂସ୍ଥଳ, ଲାଇବ୍ରେରୀ, ବହୁମୁଖୀ କେନ୍ଦ୍ର, ଦୃଶ୍ୟଶ୍ରାବ୍ୟ ଗୃହ ଏବଂ ମ୍ୟୁଜିୟମ୍ ନିର୍ମାଣ ସହ ପୂର୍ବରୁ ଥିବା ସମସ୍ତ ଐତିହ୍ୟସ୍ଥଳୀର ପ୍ରାକୃତିକ ଶୈଳୀରେ ସଂରକ୍ଷଣ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ଓଡ଼ିଶାବାସୀଙ୍କ ଭାବାବେଗ ଓ ସମ୍ମାନ ସହ ମଧୁବାବୁଙ୍କ ଜୀବନୀ ଜଡ଼ିତ ଥିବାରୁ ପୀଠର ନବୀକରଣ ସମୟରେ ସେ ସମୟର ସ୍ମୃତି ଯେପରି ବଜାୟ ରହେ, ତାହା ଉପରେ ଧ୍ୟାନଦେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲା ପ୍ରଶାସନ ଏବଂ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ଓବିସିର ପରିଚାଳନା ନିର୍ଦ୍ଦେଶକ ସମୀର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।