Latest Odisha News

BREAKING NEWS

ବିଶ୍ୱସ୍ତରୀୟ ହେବ ରାସ୍ତା, ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫କୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତା ନେଟୱାର୍କ ଭାବେ ବିକଶିତ କରାଯିବ। ଏହି ଲକ୍ଷ୍ୟ ରଖି ବିଭିନ୍ନ ଉଚ୍ଚ ମୂଲ୍ୟର ପ୍ରକଳ୍ପ ଗୁଡ଼ିକୁ ସୁଗମ ଏବଂ ସାମଗ୍ରିକ ଭାବରେ କାର୍ଯ୍ୟକାରୀ କରାଯିବ।

ରାଜ୍ୟ କ୍ୟାବିନେଟ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫” କୁ ଅନୁମୋଦନ କରିଛନ୍ତି। ଏଥିରେ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ନାମରେ ଏକ ସ୍ୱୟଂଶାସିତ ସଂସ୍ଥା ଗଠନ କରାଯିବା। ରାଜ୍ୟରେ ଉନ୍ନତ ଓ ସୁରକ୍ଷିତ ରାସ୍ତା ଭିତ୍ତିଭୂମିର ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ କ୍ୟାବିନେଟ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ – ୨୦୨୫କୁ ଅନୁମୋଦନ କରିଛନ୍ତି।

ଅନ୍ୟପଟେ ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି ଅନୁଯାୟୀ, ଏଣିକି ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କଲେ ପରିବାରର ଜଣକୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି। ୨୦୨୦ରେ ଗତ ସରକାର ଏ ନିୟମରେ ପରିବର୍ତ୍ତନ ଆଣିଥିଲେ। ମାତ୍ର ପୂର୍ବ ନିୟମ ଅନୁସାରେ ଏଣିକି ନିଯୁକ୍ତି ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି।

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ରାଜ୍ୟ ସରକାର ସିଭିଲ ସର୍ଭିସ ଥଇଥାନ ସହାୟତା ନିୟମ ୧୯୯୦ ଅନୁଯାୟୀ ପରିବାରର ଜଣେ ସଦସ୍ୟ ଗ୍ରୁପ ସି କିମ୍ବା ଗ୍ରୁପ ଡିରେ ନିଯୁକ୍ତି ହେଉଥିଲେ। ତେଣୁ ୨୦୨୦ ମସିହାରେ ନିୟମ ଲାଗୁ ହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଅନୁସାରେ ନିଯୁକ୍ତି ମିଳିବ।

 

Comments are closed.