Latest Odisha News

କେରଳକୁ ଆଉ ୫ କୋଟି ଦେଲା ଓଡିଶା

ଭୁବନେଶ୍ୱର : ବନ୍ୟା ବିଧ୍ବସ୍ତ କେରଳକୁ ଆହୁରି ୫ କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କେରଳର ବନ୍ୟାପୀଡିତଙ୍କ ପାଇଁ ଏହି ଅର୍ଥ ପ୍ରଦାନ କରାଯିବ ।

ଏହା ପୂର୍ବରୁ କେରଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କାର ସହାୟତା ଘୋଷଣା କରିସାରିଛନ୍ତି। ଏହାଛଡା ରାଜ୍ୟ ସରକାର କେରଳର ବନ୍ୟା ଦୁର୍ଗତଙ୍କ ପାଇଁ ୫୦୦ ମେଟ୍ରିକ ଟନ୍ ପଲିଥିନ୍ ସିଟ୍ ପଠାଇବେ। ଏହାର ମୂଲ୍ୟ ହେବ ୮ କୋଟି ଟଙ୍କା ।

ଏସବୁ ବ୍ୟତୀତ ଉଦ୍ଧାର କାର୍ୟ୍ୟରେ ସହାୟତା କରିବା ପାଇଁ ତାଲିମପ୍ରାପ୍ତ ୨୪୪ ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ୬୫ଟି ବୋଟ୍ ଓ ଅନ୍ୟ ସାମଗ୍ରୀ କେରଳ ପଠାଯାଇଛି ।

କେରଳର ବନ୍ୟା ଦୁର୍ଗତଙ୍କ ଦୁଃଖରେ ଓଡ଼ିଶା ସହଭାଗୀ ବୋଲି ଏହି ଅବସରରେ ନବୀନ କହିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ସେଠାକାର ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଏଭଳି ପ୍ରାକୃତିକ ବିପର୍ୟ୍ୟୟ କେତେ ଭୟଙ୍କର, ଓଡ଼ିଶାର ସାଧାରଣଲୋକ ତାହା ହୃଦୟଙ୍ଗମ କରିପାରୁଛନ୍ତି ବୋଲି ନବୀନ କହିଛନ୍ତି। କେରଳ ସରକାରଙ୍କ ସହ ଯୋଗାଯୋଗରେ ରହି ଦରକାର ପଡିଲେ ଆହୁରି ସହଯୋଗର ହାତ ବଢାଇବାକୁ ସ୍ଵତନ୍ତ୍ର ରିଲିଫ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ବନ୍ୟାରେ ଫଶିଥିବା ଓଡ଼ିଆ ଶ୍ରମିକଙ୍କ ସହାୟତା ଲାଗି ରାଜ୍ୟ ଶ୍ରମ ବିଭାଗର ଏକ ଟିମ୍ କେରଳ ଯାଇଛି ।

Leave A Reply

Your email address will not be published.