Latest Odisha News

BREAKING NEWS

ଓଡ଼ିଶାର ପ୍ରମୁଖ ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାର ପ୍ରମୁଖ ନଦୀମାନଙ୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ ହେବ । ଗତ ୧୬ ତାରିଖ ଦିନ ନୂଆଦିଲ୍ଲୀର ଏମ୍ସ ଡ଼ାକ୍ତରଖାନାରେ ଭାରତର ଏହି ବିଶିଷ୍ଟ ରାଜନୀତିଜ୍ଞଙ୍କ ପରଲୋକ ହୋଇଥିଲା ।

ଋବିବାର ଦିନ ରାତିରେ ସ୍ୱର୍ଗତ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ ହେବା ନେଇ ବରିଷ୍ଠ ବିଜେପି ନେତାମାନଙ୍କର ନୂଆଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ନଦୀରେ ବିସର୍ଜନ ହେବାକୁ ଥିବା ଅଟଳଙ୍କ ଅସ୍ଥିକଳସ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବାସଭବନରେ ରଖାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହରିଦ୍ୱାରରେ ଅସ୍ଥି ବିସର୍ଜନ କରୁଥିବା ହେତୁ ଏନେଇ ବିଳମ୍ବ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ଏକ ଟିମ୍ ଏହି ଅସ୍ଥି କଳସକୁ ଅଧ୍ୟକ୍ଷ ଅମିତ ଶାହାଙ୍କଠୁଁ ଗ୍ରହଣ କରି ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ।

ଏହି ଅସ୍ଥି କଳସକୁ ରାଜ୍ୟ ବିଜେପି ମୁଖ୍ୟାଳୟରେ ସାଧାରଣ ଦର୍ଶନ ନିମନ୍ତେ ୨ ଦିନ ଧରି ରଖାଯିବ ଏବଂ ଓଡ଼ିଶାର ସାଧାରଣ ଜନତା ସ୍ୱର୍ଗତ ବାଜପେୟୀଙ୍କ ଏହି ଅସ୍ଥି କଳସକୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିପାରିବେ ।

ଅଟଳଜୀଙ୍କ ଅସ୍ଥିକଳସରେ ଥିବା ଏହି ଚିତାଭସ୍ମକୁ ଓଡ଼ିଶାର ପ୍ରମୁଖ ନଦୀ ମହାନଦୀ, ବୈତରଣୀ, ଋଷିକୂଲ୍ୟା ଓ ବ୍ରାହ୍ମଣୀ ନଦୀରେ ବିସର୍ଜନ କରାଯିବ ବୋଲି ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସୂତ୍ରରୁ ଖବର ମିଳିଛି ସ୍ୱର୍ଗତ ବାଜପେୟୀଙ୍କ ଚିତାଭସ୍ମ ବିଭିନ୍ନ ନଦୀରେ ପଡ଼ିବା ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାର ପଞ୍ଚାୟତ ସ୍ତରରେ ବାଜପେୟୀଙ୍କ ସ୍ୱର୍ଗତ ଆତ୍ମା ଲାଗି ପ୍ରାର୍ଥନା ଓ ସ୍ମୃତିସଭା ଅନୁଷ୍ଠିତ ହେବାର ସ୍ଥିର ହୋଇଛି ।

Leave A Reply

Your email address will not be published.