Latest Odisha News

BREAKING NEWS

ସଂସଦର ଅଧିବେଶନ ପରେ ନୂଆ ବିଜେପି ସଭାପତିଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଏପ୍ରିଲ ୪ରେ ସଂସଦର ଅଧିବେଶନ ଶେଷ ହେବ । ଏହା ପରେ ଆରମ୍ଭ ହେବ ଭାରତୀୟ ଜନତା ପାର୍ଟି (ବିଜେପି) ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ପାଇଁ ପ୍ରକ୍ରିୟା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏପ୍ରିଲର ତୃତୀୟ ସପ୍ତାହ ସୁଦ୍ଧା ନୂଆ ସଭାପତିଙ୍କ ନାମ ଘୋଷଣା ହୋଇପାରେ। ଏହା ପୂର୍ବରୁ ଆଗାମୀ ସପ୍ତାହ ମଧ୍ୟରେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟର ବିଜେପି ସଭାପତିଙ୍କ ନାଁ ଘୋଷଣା ହେବ।

ଏପର୍ଯ୍ୟନ୍ତ ୧୩ଟି ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ସରିଛି ଓ ସେଠାକାର ରାଜ୍ୟ ସଭାପତିଙ୍କ ନାମ ପ୍ରକାଶ ପାଇସାରିଛି। ବାକି ୧୯ଟି ରାଜ୍ୟର ସଭାପତି ଚୟନ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ପଥ ପରିଷ୍କାର ହେବ। ବିଜେପିର ସମ୍ବିଧାନ ଅନୁସାରେ, ଅତି କମରେ ଅଧା ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ଶେଷ ହେବା ପରେ ହିଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ ହୋଇପାରିବ।

ନୂଆ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ ସ୍ଥାନ ନେବେ, ଯିଏ ୨୦୧୯ ମସିହାରୁ ଏହି ପଦବୀରେ ଅଛନ୍ତି। ବିଜେପି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସାଧାରଣତଃ ୩ ବର୍ଷର ହୋଇଥାଏ। କିନ୍ତୁ ନଡ୍ଡାଙ୍କ କାର୍ଯ୍ୟକାଳ ବାରମ୍ବାର ବଢ଼ାଯାଇଛି। ଶେଷ ଥର ପାଇଁ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ପାଇଁ ତାଙ୍କ ଅବଧି ବୃଦ୍ଧି କରାଯାଇଥିଲା। ଏବେ ନୂଆ ନେତୃତ୍ୱ ଚୟନ ପାଇଁ ଦଳ ପ୍ରସ୍ତୁତ ହେଉଛି।

Comments are closed.