Latest Odisha News

BREAKING NEWS

ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ପାସ୍: ସମର୍ଥନରେ ପଡ଼ିଲା ୨୮୮, ଜାଣନ୍ତୁ ବିରୋଧରେ କେତେ

ନୂଆଦିଲ୍ଲୀ: ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ଉପରେ ଭୋଟିଂ ଶେଷ ହୋଇଛି। ବାଚସ୍ପତି ଓମ ବିର୍ଲା ଘୋଷଣା କରିଛନ୍ତି ଯେ ଏହି ବିଲ୍‌କୁ ସମର୍ଥନ କରି ୨୮୮ ଭୋଟ ପଡ଼ିଥିବା ବେଳେ ୨୩୨ ଭୋଟ ବିରୋଧରେ ପଡ଼ିଛି।

କେନ୍ଦ୍ରୀୟ ଅଳ୍ପସଂଖ୍ୟକ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଭୋଟିଂ ପୂର୍ବରୁ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଥିଲେ । ସେ କହିଛନ୍ତି, “ଆପଣମାନେ କୁହନ୍ତି ଯେ ଆମ ଦେଶରେ ଅଳ୍ପସଂଖ୍ୟକ ସମ୍ପ୍ରଦାୟ ସୁରକ୍ଷିତ ନାହାନ୍ତି। ମୁଁ କହୁଛି, ଏହି ଦେଶ ଅପେକ୍ଷା ଅଳ୍ପସଂଖ୍ୟକଙ୍କ ପାଇଁ ଅନ୍ୟ କୌଣସି ସ୍ଥାନ ଅଧିକ ସୁରକ୍ଷିତ ନୁହେଁ। ୧୯୫୯ରେ ଚୀନ-ତିବ୍ବତରେ ସମସ୍ୟା ଦେଖାଦେଇଥିଲା, ସେମାନେ କେଉଁଠିକୁ ଆସିଥିଲେ? ଆମ ଦେଶକୁ ଆସି ରହିଛନ୍ତି। ମିଆଁମାର ଓ ବାଂଲାଦେଶରୁ ମଧ୍ୟ ଲୋକେ ଏଠାକୁ ଆସିଛନ୍ତି।”

ରିଜିଜୁ ଆହୁରି କହିଛନ୍ତି, “ଏହି ବିଲ୍‌ ସମ୍ପୂର୍ଣ୍ଣ ସାମ୍ବିଧାନିକ। ଆମେ ସମସ୍ତ ମୁସଲମାନଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛୁ।” ସେ ବିପକ୍ଷର କିଛି ସଦସ୍ୟଙ୍କୁ ଟାର୍ଗେଟ କରି କହିଛନ୍ତି, “କେତେକ ସଦସ୍ୟ ଅଯୌକ୍ତିକ ପ୍ରସଙ୍ଗ ଉଠାଇଛନ୍ତି। ଯଦି କେହି କୁହେ ଯେ ଏକ ଜମି ଓ୍ବାକଫ ଦ୍ୱାରା ବ୍ୟବହୃତ ହେଉଥିଲା ବୋଲି ଓ୍ବାକଫ ବୋର୍ଡ ଦାବି କରୁଛି, ତେବେ ତାହାର ପ୍ରମାଣ ଦିଅନ୍ତୁ। ଅଭିଯୋଗ କଲାବେଳେ ଯୁକ୍ତି ବିନା ଅଭିଯୋଗ କରାଯିବା ଉଚିତ୍‌ ନୁହେଁ।”

ଲୋକସଭାରେ ଚର୍ଚ୍ଚାର ଜବାବ ଦେଇ ରିଜିଜୁ କହିଛନ୍ତି, “ଆମେ ଅନେକ ପ୍ରଶ୍ନର ଉତ୍ତର ଦେଇ ସାରିଛୁ। ଚର୍ଚ୍ଚାରେ ଅଂଶଗ୍ରହଣ କରିଥିବା ସଦସ୍ୟଙ୍କୁ ଧନ୍ୟବାଦ। ସମସ୍ତ ସଦସ୍ୟ ନିଜ ନିଜ ମତ ରଖିଛନ୍ତି। ପ୍ରତ୍ୟେକ ଜମି ଦେଶର ଅଟେ। ଏହାକୁ ଆପଣ କିପରି ଇସଲାମ କିମ୍ବା ମୁସଲମାନଙ୍କ ବିରୋଧରେ କହି ପାରିବେ?”

ଓ୍ବାକଫ ବିଲ୍‌ ନେଇ ଗଠିତ ଯୁଗ୍ମ ସାଂସଦୀୟ କମିଟି (ଜେପିସି)ର ଅଧ୍ୟକ୍ଷ ଜଗଦମ୍ବିକା ପାଲ ଲୋକସଭାରେ କହିଛନ୍ତି ଯେ ସରକାର ଜେପିସିର ସମସ୍ତ ଦାବି ଗ୍ରହଣ କରିଛନ୍ତି। ସେ କହିଛନ୍ତି, “ସରକାରଙ୍କ ପାଖରେ ବହୁମତ ଅଛି। ବିଲ୍‌କୁ ସିଧାସଳଖ ପାସ୍‌ କରାଇ ହେଉଥାନ୍ତା, କିନ୍ତୁ ସରକାରଙ୍କର ଏପରି ଇଚ୍ଛା ନଥିଲା। ଓ୍ବାକଫ ସଂବିଧାନର ଉଲ୍ଲଂଘନ କରିଛି।” ସେହିପରି ହାଇଦ୍ରାବାଦର ଏଆଇଏମଆଇଏମର ସାଂସଦ ଅସଦୁଦ୍ଦିନ ଓଓ୍ବେସି ବିଲ୍‌ ଚିରିବା ଘଟଣାକୁ ନେଇ ଜେପିସି ଅଧ୍ୟକ୍ଷ କହିଛନ୍ତି, “ଏହା କରି ସେ ଅସାମ୍ବିଧାନିକ କାମ କରିଛନ୍ତି। ଓ୍ବାକଫ ସଂଶୋଧନ ବିଲ୍‌ କିପରି ଅସାମ୍ବିଧାନିକ ହେଲା ବୋଲି ସେ ପଚାରିଛନ୍ତି।”

Comments are closed.