Latest Odisha News

BREAKING NEWS

କେଦାରନାଥ ଯାତ୍ରା ପୂର୍ବରୁ ଖଚରଙ୍କ ଠାରେ ଭାଇରସ ଚିହ୍ନଟ

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ କେଦାରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ୩୦୦ ଖଚରମାନଙ୍କର ନମୁନା ଯାଞ୍ଚ ପାଇଁ ନିଆଯାଇଥିଲା ଯାହା ମଧ୍ୟରୁ ୧୨ ଖଚରଙ୍କ ଠାରେ H3N8 ଇନଫ୍ଲୁଏଞ୍ଜା ଭାଇରସ ଚିହ୍ନଟ ହୋଇଛି।

ତେବେ ରୋଗ ଚିହ୍ନଟ ହେବାପରେ ସେମାନଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ଏହି ସ୍ଥିତି ଉପରେ କଡ଼ା ନଜର ରଖିବା ସହ ସଂକ୍ରମଣ ବ୍ୟାପିବାରୁ କିପରି ରୋକାଯାଇପାରିବ ସେଥିପାଇଁ ପଦକ୍ଷେପ ମଧ୍ୟ ନେଉଛନ୍ତି।

ପ୍ରତିବର୍ଷ କେଦାରନାଥ ଯାତ୍ରା ପାଇଁ ପ୍ରାୟ ୨୦,୦୦୦ ଖଚର ଚାଳକ ନିୟୋଜିତ ହୋଇଥାନ୍ତି। କିନ୍ତୁ ସଠିକ ସମୟରେ ଡାକ୍ତରୀ ପରୀକ୍ଷା ଫଳରେ ରୋଗ ଚିହ୍ନଟ ହୋଇପାରିଛି। ଏନେଇ ରାଜ୍ୟର ପଶୁପାଳନ ମନ୍ତ୍ରୀ ସୌରଭ ବହୁଗୁଣାଙ୍କ ନିର୍ଦ୍ଦେଶକ୍ରମେ ଏକ କ୍ୱାରେଣ୍ଟାଇନ୍ କେନ୍ଦ୍ର ପ୍ରସ୍ତୁତ କରାଯାଇ ସଂକ୍ରମିତ ଖଚରମାନଙ୍କର ଚିକିତ୍ସା କରାଯାଉଛି।
H3N8 ଇନଫ୍ଲୁଏଞ୍ଜା ଭାଇରସ୍ ସାଧାରଣତଃ ଘୋଡା, କୁକୁର ଏବଂ ପକ୍ଷୀଙ୍କଠାରେ ଦେଖାଯାଏ ଓ ଏହା ମଣିଷ ମାନଙ୍କଠାରେ ଖୁବ୍ କମ୍ ବ୍ୟାପିଥାଏ। କିନ୍ତୁ ଏହି ଭାଇରସ ଚିହ୍ନଟ ହେବାପରେ ପ୍ରଶାସନ ଯାତ୍ରା ରୁଟ୍ ଉପରେ ନଜର ରଖିଥିବା କଥା ଜଣାପଡିଛି।

ପ୍ରତିବର୍ଷ କେଦାରନାଥକୁ ହଜାର ହଜାର ଭକ୍ତ ଯାତ୍ରା କରିଥାନ୍ତି। କିନ୍ତୁ ଏହି ଭାଇରସ ଚିହ୍ନଟ ହେବାପରେ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିବା ସହ କୌଣସି ସଂକ୍ରମିତ ଖଚରକୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଶାସନ ସୂଚନା ଜାରି କରିଛି।

Comments are closed.