ଭୁବନେଶ୍ବର: ରାତିଅଧରେ ଓଲଟିଲା ତୀର୍ଥଯାତ୍ରୀ ବସ୍ । ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ସିଫା ଠାରେ ଏକ ତୀର୍ଥଯାତ୍ରୀ ବସ୍ ରାତ୍ର ୩ଟା ସମୟରେ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ବସରେ ଥିବା ଯାତ୍ରୀ ମାନେ ବାଂଲାଦେଶୀ ବୋଲି ଜଣାପଡିଛି । ପ୍ରାୟ ୧୦୦ ଜଣ ତୀର୍ଥ ଯାତ୍ରୀ ଗତ ମାସ ୧୭ ତାରିଖରେ ଦୁଇଟି ବସରେ ବାଂଲାଦେଶ ଚଟ୍ଟୋଗ୍ରାମରୁ ବୃନ୍ଦାବନରୁ ପୁରୀ ଆସୁଥିଲେ । ହେଲେ ଉତ୍ତରା ଛକ ସ୍ଥିତ ସିଫା ନିକଟରେ ଦ୍ବିତୀୟ ବସର ଡ୍ରାଇଭର ବସ ଚଳାଉଥିବା ବେଳେ ତାଙ୍କ ଆଖି ଲାଗିଯାଇଥିଲା । ଫଳରେ ବସଟି ରାସ୍ତା କଡରେ ଥିବା ଏକ ଖାତକୁ ଖସିପଡ଼ିଥିଲା ।
ଏଥିରେ ଅଧାରୁ ଅଧିକ ବରିଷ୍ଠ ନାଗରିକ ଓ ପାଖାପାଖି ୧୭ଜଣ ଛୋଟ ପିଲା ଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ହସ୍ପିଟାଲ ପଠାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
Comments are closed.