Latest Odisha News

BREAKING NEWS

ଜେଡି ଭାନ୍ସଙ୍କ ଭାରତ କନେକ୍ସନ୍…ମିଳିବ ଟାରିଫ୍ ଆଶ୍ବସ୍ତି !

ନୂଆଦିଲ୍ଲୀ: ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଟାରିଫ୍ ଛାଟକୁ ନେଇ ସାରା ବିଶ୍ବରେ ବାଣିଜ୍ୟ ଯୁଦ୍ଧ ଆଶଙ୍କା ମଧ୍ୟରେ ଜେଡି ଭାନ୍ସ ଭାରତ ଗସ୍ତ କରିଛନ୍ତି । ତେବେ ଉଭୟ ରାଜନୈତିକ ଓ ବ୍ୟକ୍ତିଗତ ଦୃଷ୍ଟିରୁ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଟାରିଫ୍ ୯୦ଦିନ ସ୍ଥଗିତ ରଖାଯାଇଥିବା ବେଳେ ଏହି ସମୟ ମଧ୍ୟରେ କୌଣସି ଡିଲ୍ ନହେଲେ ଭାରତ ଉପରେ ଆମଦାନୀ ଶୁଳ୍କ ୧୦ପ୍ରତିଶତ ବଢାଇ ୨୬ପ୍ରତିଶତ କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ତେବେ ଜେଡି ଭାନ୍ସଙ୍କ ଭାରତ କନେକ୍ସନରୁ ଦେଶକୁ ଫାଇଦା ମିଳିପାରେ ବୋଲି ଆଶା କରାଯାଉଛି ।

ଜେଡି ଭାନ୍ସଙ୍କ ଭାରତ କନେକ୍ସନ୍

ଆମେରିକାର ସେକେଣ୍ଡ ଲେଡି ତଥା ଜେଡି ଭାନ୍ସଙ୍କ ପତ୍ନୀ ଉଷା ଭାନ୍ସ ଚିଲୁକୁରୀ ହେଉଛି ଭାରତୀୟ ବଂଶୋଦ୍ଭବ । ତାଙ୍କ ପୂର୍ବ ପୀଢ଼ି ଆନ୍ଧ୍ରପ୍ରଦେଶର । ସେନ ଡିଏଗୋରେ ଜନ୍ମିତ ଉଷା ୨୦୧୪ରେ ଜେଡି ଭାନ୍ସଙ୍କୁ ଭାରତୀୟ ରୀତି ନୀତିରେ ବିବାହ କରିଥିଲେ। ତାଙ୍କର ଦୁଇ ପୁଅ ଓ ଗୋଟେ ଝିଅ । ବିବାହ ପରେ ଧର୍ମ ବଦଳାଇ ନାହାନ୍ତି ଉଷା । ଭାରତରେ ପହଞ୍ଚିବା ବେଳେ ବି ତାଙ୍କ ପିଲାମାନଙ୍କ ପୋଷାକରେ ଭାରତୀୟ ଛାପ ବେଶ୍ ବାରି ହେଉଥିଲା । ଭାରତ ଗସ୍ତ ସମୟରେ ଜୟପୁର ତଥା ଆଗ୍ରାର ତାଜମହଲ ପରି ଐତିହ୍ୟସ୍ଥଳୀ ବୁଲି ଦେଖିବେ ଭାନ୍ସ ପରିବାର ।

ଟାରିଫ ଆଶଙ୍କା ବେଳେ ଭାନ୍ସଙ୍କ ଗସ୍ତ

ଡୋନାଲ୍ଡ ଟ୍ରମ୍ପ ୯୦ଦିନ ଟାରିଫ ସ୍ଥଗିତ ରଖିବା ସହ ଏହି ସମୟରେ ବିଭିନ୍ନ ଦେଶ ସହ ଆଲୋଚନା କରୁଛନ୍ତି । ଏସବୁ ଦେଶ ମଧ୍ୟରେ ଭାରତ ରହିଛି । ଚଳିତ ସପ୍ତାହରେ କ୍ଷେତ୍ର ଭିତ୍ତିରେ ବାଣିଜ୍ୟ ଆଲୋଚନା ହେବ । ମେ ଶେଷ ସୁଦ୍ଧା ଆଲୋଚନା ସାରିବାକୁ ଟାର୍ଗେଟ୍ ରଖାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ୍ବାଶିଂଟନରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ ଆମେରିକାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ତେବେ ଆମେରିକୀୟ ଉପରାଷ୍ଟ୍ରପତି ଭାନ୍ସଙ୍କ ଗସ୍ତକୁ ସୁଯୋଗ ଭାବେ ଦେଖୁଛି ଭାରତ । ତାଙ୍କ ସହ ଆଲୋଚନା ମାଧ୍ୟମରେ ଅଧିକ ଶୁଳ୍କ ବୋଝରୁ ମୁକ୍ତି ପାଇବାକୁ ଲକ୍ଷ୍ୟ ରଖିଛି। ଭାନ୍ସଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭାରତୀୟ ମୂଳ, ସଫ୍ଟ ଡିପ୍ଲୋମାସି

ଜେଡି ଭାନ୍ସ ପରିବାର ସହ ଭାରତ ଗସ୍ତ କରିଥିବା ବେଳେ ତାଙ୍କ ପତ୍ନୀଙ୍କ ଭାରତ କନେକ୍ସନକୁ ନେଇ ଚର୍ଚ୍ଚା ହେଉଛି । ଭାନ୍ସ ପରିବାର ଭାରତର ଐତିହ୍ୟସ୍ଥଳୀ ବୁଲିବେ । ଏହି ସମୟରେ ବିଶ୍ବ ସ୍ତରରେ ଭାରତ-ଆମେରିକା ମଧ୍ୟରେ ମଜବୁତ ସଂପର୍କର ଛବି ଦେଖାଯିବ । ଭାରତୀୟ ମୂଳ ଆମେରିକୀୟ କିଭଳି ଦେଶ ପାଇଁ ଗୌରବ ସେନେଇ ପ୍ରଦର୍ଶନ କରାଯିବ । ଯାହା ଜେଡି ଭାନ୍ସଙ୍କ ଆଭିମୁଖ୍ୟକୁ କିଛି ପରିମାଣରେ ନରମ କରିପାରେ ବୋଲି ବୈଦେଶିକ ବିଶେଷଜ୍ଞ କହିଛନ୍ତି । ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ହେଉ କିମ୍ବା ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ୟୁରୋପୀ ସଂଘ ସହ, ଭାନ୍ସଙ୍କ କଠୋର ଆଭିମୁଖ୍ୟ ଚର୍ଚ୍ଚାରେ ରହିଛି । ଉଷା ଭାନ୍ସଙ୍କ ପରି ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ନେଇ ମଧ୍ୟ ଭାରତରେ ଚର୍ଚ୍ଚା ହୋଇଥିଲା । ତେବେ ସେ ପଦରେ ଥିବା ବେଳେ ଥରେ ବି ଭାରତ ଗସ୍ତ କରିନଥିଲେ ।

ଚୀନ୍ ସହ ଟାରିଫ୍ ଯୁଦ୍ଧ ଜୋରଦାର ହୋଇଥିବା ବେଳେ ଭାରତ ସହ ସଂପର୍କ ମଜବୁତ କରିବାକୁ ଚାହୁଁଛି ଆମେରିକା । ପ୍ରଯୁକ୍ତି ବିଦ୍ୟା ଓ ପ୍ରତିରକ୍ଷା କ୍ଷେତ୍ରରେ ଆମେରିକୀୟ ନିବେଶ ଆଶା ରଖିଛି ଭାରତ । ଅଧିକ ଟାରିଫ୍ ଘୋଷଣା କରିଥିଲେ ମଧ୍ୟ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭଲ ସଂପର୍କ ରହିଆସିଛି । ତେଣୁ ଭାନ୍ସଙ୍କ ଗସ୍ତ ସମୟରେ ଟାରିଫକୁ ନେଇ ଆଲୋଚନାରୁ ଆଶ୍ବସ୍ତି ଆଶା କରୁଛି ଭାରତ ।

Comments are closed.