ନୂଆଦିଲ୍ଲୀ: ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନଡିଏ ବିରୋଧରେ ରଣହୁଙ୍କାର ଭରିବାକୁ ସଜବାଜ ହେଉଛି ମହାଗଠବନ୍ଧନ । ଭଲ ସମନ୍ବୟ ପାଇଁ କମିଟି ଗଠନ କରିବା ସହ ତେଜସ୍ବୀ ଯାଦବଙ୍କୁ ଏହାର ଦାୟିତ୍ବ ଦିଆଯାଇଛି । ତେବେ ଚର୍ଚ୍ଚା ହେଉଛି, ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବାକୁ ନେଇ ସହଯୋଗୀ ଦଳଙ୍କ ମଧ୍ୟରେ ସହମତି ହୋଇପାରୁନି । ଆଉ ସେଥିପାଇଁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ତେଜସ୍ବୀଙ୍କୁ ଘୋଷଣା କରାଯାଇପାରୁନି । ସେପଟେ ସିଟ୍ ଭାଗବଣ୍ଟା ଅଙ୍କ ଛିଡୁନି । କଂଗ୍ରେସ ମନ ମୁତାବକ ସିଟ୍ ପାଇଁ ପ୍ରେସର ପଲିଟିକ୍ସ କରୁଥିବା ବେଳେ ଅନ୍ୟ ସହଯୋଗୀ ଦଳର ବି ଦାବି ରହିଛି । ତେବେ ପ୍ରଶ୍ନ ଉଠୁଛି, କେମିତି କଂଗ୍ରେସକୁ ନେଇ ବିହାର ଗଣିତ କଷିବ ଆରଜେଡି?
କଂଗ୍ରେସର ପ୍ରେସର ପଲିଟିକ୍ସ
ସିଟ୍ ଭାଗବଣ୍ଟା ନେଇ କଂଗ୍ରେସ ଓ ଆରଜେଡି ମଧ୍ୟରେ ଶୀର୍ଷ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ୨୦୨୦ ବିଧାନସଭା ନିର୍ବାଚନରେ ଆରଜେଡି ୧୪୪ ସିଟ୍ ଓ କଂଗ୍ରେସ ୭୦ଟି ସିଟରେ ନିର୍ବାଚନ ଲଢିଥିଲା । ଏହାସହ ୨୯ସିଟ୍ ବାମଦଳକୁ ଦିଆଯାଇଥିଲା । ୭୫ସିଟ୍ ଜିତି ମହାଗଠବନ୍ଧନରେ ସବୁଠୁ ବଡ ଦଳ ପାଲଟିଥିଲା ଆରଜେଡି । ତେବେ କଂଗ୍ରେସର ପ୍ରଦର୍ଶନ ବେଶ୍ ନିରାଶାଜନକ ରହିଥିଲା । ମାତ୍ର ୧୯ଟି ସିଟ ଜିତିଥିଲା କଂଗ୍ରେସ, ଫଳରେ କ୍ଷମତାଠାରୁ ଦୂରରେ ରହିଲେ ତେଜସ୍ବୀ । କଂଗ୍ରେସର ଷ୍ଟ୍ରାଇକ୍ ରେଟ୍ ୨୭ପ୍ରତିଶତ ରହିଥିଲା, ତେଣୁ ଦଳକୁ ଅଧିକ ସିଟ୍ ଦେବାକୁ ଚାହୁଁନି ଆରଜେଡି । ଲାଲୁ ୫୦ସିଟ୍ ଦେବାକୁ ଚାହୁଁଥିବା ବେଳେ ୭୦ସିଟ୍ ମାଗୁଛି କଂଗ୍ରେସ । ଏହାସହ ନିଜ ମନ ମୁତାବକ ସିଟ୍ ନେବାକୁ ପ୍ରେସର ପଲିଟିକ୍ସ କରୁଥିବା ଚର୍ଚ୍ଚା ହେଉଛି ।
ବଦଳିଛି କଂଗ୍ରେସର ଆଭିମୁଖ୍ୟ
୨୦୨୦ରେ ୭୦ଟି ସିଟ୍ ଲଢିଥିଲା କଂଗ୍ରେସ । ତତ୍କାଳୀନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଖିଳେଶ ପ୍ରସାଦ ସିଂହଙ୍କୁ ଲାଲୁପ୍ରସାଦ ଯାଦବଙ୍କ ନିକଟତର ନେତା କୁହାଯାଏ । ସେଥିପାଇଁ ସେ ସେତେବେଳେ ଅଧିକ ସିଟ୍ ପାଇଁ ଚାପ ପକାଇ ନଥିବା କୁହାଯାଉଛି । ଏପରିକି ମିଳିଥିବା ସିଟ ମଧ୍ୟରେ କଂଗ୍ରେସର ବିଜୟ ସମ୍ଭାବନା ନଥିବା ଅଧିକାଂଶ ସିଟ ରହିଥିଲା। ଅଖିଳେଶ ପ୍ରସାଦ ସିଂହଙ୍କ ଦୁର୍ବଳ ରଣନୀତି ପାଇଁ ଦଳ ପୂର୍ବ ନିର୍ବାଚନରେ କ୍ଷତି ସହିଥିବା କୁହାଯାଉଛି । ତେଣୁ ଏଥର ତାଙ୍କୁ ପଦରୁ ହଟାଇ ରାଜେଶ ରାମଙ୍କୁ ରାଜ୍ୟ ମୁଖ୍ୟ ପଦରେ ବସାଇଛି କଂଗ୍ରେସ । ଏହାସହ ରାଜ୍ୟ ପ୍ରଭାରୀ ଭାବେ ରାହୁଲ ଗାନ୍ଧୀଙ୍କ ନିକଟତମ କୁହାଯାଉଥିବା କୃଷ୍ଣା ଅଲ୍ଲାବରୁଙ୍କୁ ଦାୟିତ୍ବ ଦିଆଯାଇଛି । କଂଗ୍ରେସର ନୂଆ ଟିମ ଆରଜେଡିକୁ ନେଇ ନୋ କମ୍ପ୍ରୋମାଇଜ ନୀତିରେ ଆଗଉଛି । ଏପରିକି ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ନେଇ କଂଗ୍ରେସ ନିରବ ରହିବା ଦଳର ପ୍ରେସର ପଲିଟିକ୍ସକୁ ସୂଚାଉଛି ।
କଂଗ୍ରେସ ହାତ ଛାଡିଦେବ କି ଆରଜେଡି?
୭୦ ସିଟ୍ ନମିଳିଲେ ମହାଗଠବନ୍ଧନରୁ ବାହାରି କଂଗ୍ରେସ ଏକା ନିର୍ବାଚନ ଲଢିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ହାତ ଛାଡିଲେ ନିର୍ବାଚନରେ କ୍ଷତି ସହିବା ନେଇ ଆଶଙ୍କା କରୁଛି ଆରଜେଡି । ୨୦୧୦ ବିହାର ବିଧାନସଭା ନିର୍ବାଚନ ଭଳି ଉଭୟ ଦଳକୁ କ୍ଷତି ସହିବାକୁ ପଡିପାରେ । ସେତେବେଳେ କଂଗ୍ରେସ ଓ ଆରଜେଡି ଅଲଗା ଅଲଗା ନିର୍ବାଚନ ଲଢିଥିଲେ । ଆରଜେଡି ମାତ୍ର ୨୨ଟି ସିଟ୍ ଜିତିଥିବା ବେଳେ କଂଗ୍ରେସକୁ ୪ଟି ସିଟ୍ ମିଳିଥିଲା । ତେଣୁ କଂଗ୍ରେସ ଉପରେ ଅଧିକ ଚାପ ପକାଇଲେ ଦଳ ମେଣ୍ଟ ଛାଡିଯିବାର ସମ୍ଭାବନା ରହିଛି, ଏକଥା ଆରଜେଡି ଜାଣିଛି । ଆଉ ଏମିତି ହେଲେ ଦିଲ୍ଲୀ ନିର୍ବାଚନରେ ଆପ୍ ପରି ବିହାରରେ କ୍ଷମତାଠୁ ଦୂରରେ ରହିପାରେ ଆରଜେଡି । ତେଣୁ କଂଗ୍ରେସର ନୂଆ ଅନ୍ଦାଜ ଏବେ ଆରଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। କମ୍ ସିଟ ଦେଇ ମଧ୍ୟ କଂଗ୍ରେସକୁ ମନାଇବା ଲାଲୁ ଓ ତେଜସ୍ବୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ଆଉ ଏଥିରେ ସଫଳ ହେଲେ ହିଁ ଏନଡିଏର କଡା ମୁକାବିଲା କରିପାରିବ ମହାଗଠବନ୍ଧନ ।
Comments are closed.