Latest Odisha News

BREAKING NEWS

ସୁନାମି ପାଇଁ ପ୍ରାକ୍‌ ପ୍ରସ୍ତୁତି; ୬ ଜିଲ୍ଲାରୁ ଚିହ୍ନଟ ହେବ ୧୦୦ରୁ ଊର୍ଦ୍ଧ୍ବ ଗାଁ

ଭୁବନେଶ୍ୱର: ଜଳବାୟୁର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରାକ୍‌ ପ୍ରସ୍ତୁତି କରାଯିବ । ଏନେଇ ସୁନାମି ପ୍ରସ୍ତୁତି ଚିହ୍ନଟ ପାଇଁ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରୁ ୧୦୦ରୁ ଊଦ୍ଧ୍ବ ଗ୍ରାମ ଚିହ୍ନଟ କରାଯିବ । ୟୁନେସ୍କୋ-ଆଇଓସି ପକ୍ଷରୁ ସୁନାମି ରେଡୀ କାର୍ଯ୍ୟକ୍ରମ ଅଧୀନରେ ଏହା କରାଯିବ ବୋଲି ବିପର୍ଯ୍ୟୟ ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ଦ୍ବିତୀୟ ବୈଠକରୁ ସୂଚନା ମିଳିଛି ।

ସେହିପରି ବିପର୍ଯ୍ୟୟ ମୁକାବିଲା ଜନସଚେତନତା କାର୍ଯ୍ୟକ୍ରମ ‘ସତର୍କ’କୁ ବ୍ୟାପକ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିପର୍ଯ୍ୟୟ ମୁକାବିଲା ପାଇଁ ଏହି ପ୍ଲାଟଫର୍ମକୁ ବିକଶିତ କରାଯିବ । ଏହା ମାଧ୍ୟମରେ ଲୋକମାନେ ସମସ୍ତ ପ୍ରକାର ଜଳବାୟୁ ଓ ପାଣିପାଗ ବିଷୟରେ ଆଗତୁରା ସୂଚନା ପାଇପାରିବେ ।

ସେହିପରି ଅଂଶୁଘାତ ମୁକାବିଲା ଲାଗି ରାଜ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ଏଥିପାଇଁ ଇଲୋକ୍ଟ୍ରୋନିକ ମିଡିଆ ଓ ପ୍ରିଣ୍ଟ ମିଡିଆର ଉପଯୋଗ କରାଯାଇପାରିବ । ଆବଶ୍ୟକ ସ୍ଥଳେ କାନ୍ଥ ବାଡ଼ରେ ସଚେତନତା ବାର୍ତ୍ତା ଲଗାଯିବ ହେବ । ଏହି ଅବସରରେ ମୁଖ୍ୟଶାସନ ସଚିବ ରାଜ୍ୟ ସରକାରଙ୍କ ୨୦୩୬ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ୨୦୪୭ର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଟିପ୍ପଣୀ ଦେଇଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ କମାଣ୍ଡ ସେଣ୍ଟର ଭାବେ କାର୍ଯ୍ୟ କରିବା ପାଇଁ ଗୋଟିଏ ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ଆପାତକାଳୀନ ପରିଚାଳନା ସେଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଥିଲାଗି କେନ୍ଦ୍ର ସରକାରଙ୍କ ସହ ରାଜ୍ୟର ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି ।

ବୈଠକରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ଓ ଏସ୍‌ଆର୍‌ସି ଡି. କେ. ସିଂହ ଓ ସଂପୃକ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.