Latest Odisha News

BREAKING NEWS

ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଫୋନ୍ କରି ଏପରି କହିଲେ ଆମେରିକା ବୈଦେଶିକ ସଚିବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବୁଧବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଆମେରିକୀୟ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ମଧ୍ୟରେ ଆଲୋଚନା ହୋଇଛି । ସେହିପରି ମାର୍କୋ ରୁବିଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଫୋନରେ ଆଲୋଚନା କରିଥିଲେ ।

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସ୍ପଷ୍ଟ ଭାବରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଅପରାଧୀଙ୍କୁ ନ୍ୟାୟ ଦିଆଯିବା ଉଚିତ୍ । ରୁବିଓ ଜୟଶଙ୍କରଙ୍କୁ ଆତଙ୍କବାଦ ବିରୋଧରେ ଭାରତ ସହ ସହଯୋଗ କରିବା ପାଇଁ ଆମେରିକାର ପ୍ରତିବଦ୍ଧତା ବିଷୟରେ ଆଶ୍ୱାସନା ଦେଇଥିଲେ । ସେ କହିଥିଲେ ଯେ, ଏହି ଜଘନ୍ୟ ଆକ୍ରମଣରେ ମୃତକଙ୍କ ପାଇଁ ସେ ଦୁଃଖିତ । ଅନ୍ୟପକ୍ଷରେ, ସରିଫଙ୍କୁ ସେ ଏହି ଆକ୍ରମଣର ନିନ୍ଦା କରିବାକୁ ଏବଂ ତଦନ୍ତରେ ସହଯୋଗ କରିବାକୁ କହିଥିଲେ ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି ଆଲୋଚନା ସମୟରେ ଭାରତକୁ ଆକ୍ରମଣାତ୍ମକ ବ୍ୟବହାର ପାଇଁ ଅଭିଯୋଗ କରି ଆମେରିକାକୁ ଭାରତକୁ ନିୟନ୍ତ୍ରଣ କରିବାକୁ ଅନୁରୋଧ କରିଥିଲେ । ସେ ପହଲଗାମ ଆକ୍ରମଣ ସହ ପାକିସ୍ତାନର କୌଣସି ସମ୍ପର୍କ ନଥିବା ଦାବି କରି ଏକ ନିରପେକ୍ଷ ତଦନ୍ତର ଦାବି କରିଛନ୍ତି ।

ତେବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ କତାର, ସାଉଦି ଆରବ ଏବଂ କୁୱେତ ମଧ୍ୟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଏହି ତିନି ଦେଶ ଭାରତ ଏବଂ ପାକିସ୍ତାନକୁ ସଂଯମତା ଅବଲମ୍ବନ କରି ସମଗ୍ର ସମସ୍ୟାର କୂଟନୈତିକ ସମାଧାନ କରିବାକୁ ନିବେଦନ କରିଛନ୍ତି । କତାର କହିଛି ଯେ ସଙ୍କଟ ଏବଂ ବିବାଦର ସମାଧାନ ପାଇଁ ଆଲୋଚନା ହେଉଛି ସର୍ବୋତ୍ତମ ଉପାୟ ।

ସୂଚନାଯୋଗ୍ୟ ଯେ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି ।

 

Comments are closed.