ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣକୁ ନେଇ ଆଜି ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାକୁ ଥିବା ବେଳେ, ଏନେଇ କୌଣସି ଶୁଣାଣି କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଦିନ ସୁପ୍ରିମକୋର୍ଟ ପହଲଗାମ ଆତଙ୍କବାଦୀ ଆକ୍ରମଣର ନ୍ୟାୟିକ ତଦନ୍ତ ପାଇଁ ଦାୟର ଏକ ଆବେଦନକୁ ଗ୍ରହଣ କରିବାକୁ ମନା କରିବା ସହ ଏଭଳି ସମୟରେ ଆବେଦନକୁ ନିନ୍ଦା ମଧ୍ୟ କରିଛନ୍ତି ।
ତେବେ ଗତ ୨୩ ତାରିଖରେ ପହଲଗାମର ସେ ଛାତିଥରା ଘଟଣା, ଯାହା ୨୬ରୁ ଅଧିକ ଲୋକଙ୍କ ଜୀବନ ନେଇଛି, ତାକୁ ନେଇ ଭାରତୀୟ ସେନା ଏବେ ପ୍ରତିଉତ୍ତର ଦେବାରେ ଲାଗିଛନ୍ତି । ଲଗାତାର ପାକ୍ ସେନାକୁ କଡା ଜବାବ ଦେଉଛନ୍ତି ଭାରତୀୟ ସେନା । ଏଥିରେ ୩ ଆକ୍ରମଣକାରୀଙ୍କ ସ୍କେଚ୍ ମଧ୍ୟ ଜାରି ହୋଇଛି । ଯାହାକୁ ଖୋଜୁଛି ଭାରତ । ଏହାକୁ ନେଇ ସୁପ୍ରିମକୋର୍ଟରେ ନ୍ୟାୟିକ ତଦନ୍ତ ନେଇ ଆବେଦନ ହୋଇଥିବା ବେଳେ ଏହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆବେଦନକୁ ଗ୍ରହଣ କରିବାକୁ ମନା କରି ଏଭଳି କାର୍ଯ୍ୟ କରିବା ପୂର୍ବରୁ ଏହି ପ୍ରସଙ୍ଗର ସମ୍ବେଦନଶୀଳତା ଉପରେ ବିଚାର କରାଯିବା ଉଚିତ୍ ଥିଲା ବୋଲି କହିଛନ୍ତି ।
ଏନେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ସମୟ । ବର୍ତ୍ତମାନ ଆବେଦନର ସମୟ ନୁହେଁ । ଯେତେବେଳେ ପ୍ରତ୍ୟେକ ଭାରତୀୟ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ହାତ ମିଳାଇଛନ୍ତି । ଏହାକୁ ନ୍ୟାୟିକ ତଦନ୍ତ ଭିତରକୁ ଟାଣି ସେନାର ମନୋବଳକୁ ଦୁର୍ବଳ କରନ୍ତୁ ନାହିଁ । ପ୍ରସଙ୍ଗର ସମ୍ବେଦନଶୀଳତା ବୁଝନ୍ତୁ । ଏଭଳି କଠିନ ସମୟରେ ଏକଜୁଟ ରୁହନ୍ତୁ । ବିଚାରପତିଙ୍କ କାମ ତଦନ୍ତ ନୁହେଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ସୁପ୍ରିମକୋର୍ଟ ।
ତେବେ ପହଲଗାମ୍ ଆକ୍ରମଣ ପରେ, ଏକ ଏସଆଇଟି ଗଠନ କରି ଏହି ଘଟଣାର ନ୍ୟାୟିକ ତଦନ୍ତ କରାଯାଉ ବୋଲି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ଯାହାକୁ ଗ୍ରହଣ ନକରି କିଛି ଏପରି ଶୁଣାଣି କରିଛନ୍ତି କୋର୍ଟ ।
Comments are closed.