Latest Odisha News

ପାକିସ୍ତାନକୁ ଆକ୍ରମଣ ଭୟ! ପେଶାୱର ସମେତ ୨୯ ଜିଲ୍ଲାରେ ଏୟାର ସାଇରନ ଆଲର୍ଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନ ପ୍ରତିଦିନ ଭାରତର ଆକ୍ରମଣର ଭୟରେ ବଞ୍ଚୁଛି। ପ୍ରତିଦିନ ପାକ୍ ମନ୍ତ୍ରୀମାନେ ବୟାନ ଦେଉଛନ୍ତି ଯେ, ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ । ତେଣୁ ଏବେ LoCରୁ ଶହ ଶହ କିଲୋମିଟର ଦୂରରେ ଥିବା ପାକିସ୍ତାନର ଖାଇବର ପଖତୁନଖ୍ୱା (KPK) ରାଜ୍ୟ ସରକାର ୨୯ ଜିଲ୍ଲାରେ ସାଇରନ ଆଲର୍ଟ ବ୍ୟବସ୍ଥାର ନିର୍ଦ୍ଦେଶ ଦେଇଛି । ଯେଉଁଥିରେ ପେଶାୱର ଏବଂ ଆବୋଟାବାଦ ମଧ୍ୟ ଅନ୍ତର୍ଭୁକ୍ତ।

ଏପଟେ କରାଚି, ଲାହୋରରେ ଆକ୍ରମଣ ଆଶଙ୍କା କରୁଛି ପାକିସ୍ତାନ। ଦୁଇଟି ଯାକ ବାଣିଜ୍ୟର କେନ୍ଦ୍ରସ୍ଥଳ ହୋଇଥିବାରୁ ଆକ୍ରମଣ ହୋଇପାରେ ବୋଲି ସେଠାକାର ସରକାର ଆଶଙ୍କା କରୁଛନ୍ତି। ତେଣୁ ଦୁଇ ସହରରେ ଏୟାରସ୍ପେସ ବନ୍ଦ କରିଛି ପାକିସ୍ତାନ।

ଖାଇବର ପଖତୁନଖ୍ୱା ସରକାରଙ୍କ ନାଗରିକ ପ୍ରତିରକ୍ଷା ବିଭାଗ ସମସ୍ତ ଡେପୁଟି କମିଶନର ଏବଂ ନାଗରିକ ପ୍ରତିରକ୍ଷା ଅଧିକାରୀମାନଙ୍କୁ ଜରୁରୀକାଳୀନ ସତର୍କତା ପାଇଁ ଏହି ସାଇରନଗୁଡ଼ିକୁ ତୁରନ୍ତ ସ୍ଥାପନ କରି ଏକ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦେଇଛି।

ଧ୍ୟାନ ଦେବାର କଥା ହେଲା, ଏହି ସମସ୍ତ ଜିଲ୍ଲା ଏଲଓସିରୁ ବହୁତ ଦୂରରେ ଅବସ୍ଥିତ। କିଛି ଜିଲ୍ଲା ୩୦୦ ରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ। ଏହା ସତ୍ତ୍ୱେ, ସେଠାରେ ସାଇରନ୍ ଲଗାଇବା ସ୍ପଷ୍ଟ ସୂଚିତ କରୁଛି ଯେ, ପାକିସ୍ତାନ ଭୟ କରୁଛି ଯେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତ ଯେକୌଣସି ସମୟରେ ପ୍ରତିଶୋଧମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ।

ପାକିସ୍ତାନର ବାଜୌର ଅଞ୍ଚଳରେ ଏୟାର ସାଇରନ୍ ଲଗାଯାଉଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା। ନିୟନ୍ତ୍ରଣ ରେଖାରୁ ଅନେକ କିଲୋମିଟର ଦୂରରେ ଏବଂ ଆଫଗାନିସ୍ତାନ ସୀମାରେ ଥିବା ଅଞ୍ଚଳରେ ଏୟାର ସାଇରନ୍ ଲଗାଉଛି ପାକିସ୍ତାନ। ଏହାର କାରଣ ଏହା ମଧ୍ୟ ହୋଇପାରେ ପାକିସ୍ତାନ ଭୟ କରୁଛି ଯେ ଭାରତ ଆଫଗାନିସ୍ତାନରୁ ପାକିସ୍ତାନ ଉପରେ ଆକ୍ରମଣ କରିପାରେ।

 

Comments are closed.