ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁଣି ଚର୍ଚ୍ଚାରେ ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ । ପ୍ରାୟ ୪୫୦ବର୍ଷ ତଳେ ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଭବିଷ୍ୟବାଣୀ କରିଥିଲେ ଫ୍ରାନ୍ସର ଚର୍ଚ୍ଚିତ ଭବିଷ୍ୟବକ୍ତା ନାସ୍ତ୍ରୋଦମସ । ୨୦୨୧ରୁ ୨୦୨୫ ମଧ୍ୟରେ ବିଶ୍ବଯୁଦ୍ଧକୁ ନେଇ ସେ ଆଶଙ୍କା କରିଥିଲେ । ପହଲଗାମ ହମଲା ପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବଳ ଅଶାନ୍ତି ରହିଥିବା ବେଳେ ଦୁଇ ଦେଶ ମଧ୍ୟରେ ଭୀଷଣ ଯୁଦ୍ଧ ଆଶଙ୍କା କରାଯାଉଛି । ଉଭୟ ଦେଶକୁ ବିଶ୍ବର ବିଭିନ୍ନ ଦେଶ ସମର୍ଥନ ଜଣାଉଛନ୍ତି । ଏଭଳି ସ୍ଥିତିରେ ତୃତୀୟ ବିଶ୍ବଯୁଦ୍ଧକୁ ନେଇ ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ ସତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଭବିଷ୍ୟବାଣୀ
ପୂର୍ବରୁ ଋଷ-ୟୁକ୍ରେନ୍ ଯୁଦ୍ଧ ଓ ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବା ନେଇ ଆଶଙ୍କା କରାଯାଉଛି । କୁହାଯାଉଛି, ଯୁଦ୍ଧ ହେଲେ ବିଶ୍ବ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପୁଣି ଦୁଇ ଭାଗରେ ବାଣ୍ଟି ହୋଇଯିବ । ଏପରିକି ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ତୃତୀୟ ବିଶ୍ବଯୁଦ୍ଧ ନେଇ ପ୍ରାରମ୍ଭିକ ସଂକେତ ବୋଲି ବି କୁହାଯାଉଛି । ନାସ୍ତ୍ରୋଦମସ ୨୦୨୧ରୁ ୨୦୨୫ମଧ୍ୟରେ ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଭବିଷ୍ୟବାଣୀ କରିଥିବା ବେଳେ, ବର୍ତ୍ତମାନ ସ୍ଥିତିରେ ଏହା ସତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଈଶ୍ବରବାଦୀ ଓ ଅଣଈଶ୍ବରବାଦୀଙ୍କ ମଧ୍ୟରେ ସଂଘର୍ଷ ହେବ । ଶାନ୍ତିଦୂତ ହୋଇ ମୁକ୍ତିଦାତା ଆସିବେ । ତେବେ ଶାନ୍ତିଦୂତ ୟୁରୋପ ନୁହେଁ ବରଂ ଏସିଆର । ଏହି ଦେଶ ତିନି ପାଖରୁ ସମୁଦ୍ର ଦ୍ବାରା ଘେରି ହୋଇ ରହିଥିବ ଓ ଅଦ୍ବିତୀୟ ଭାବେ ଶକ୍ତିଶାଳୀ ହେବ ବୋଲି ନାସ୍ତ୍ରୋଦମସ ଭବିଷ୍ୟବାଣୀ କରିଥିଲେ ।
ଭାରତ ସହ ମେଳ ଖାଉଛି ଭବିଷ୍ୟବାଣୀ
ବର୍ତ୍ତମାନ ସ୍ଥିତିରେ ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀକୁ ଭାରତ ସହ ଯୋଡାଯାଉଛି । କାରଣ ଭାରତ ତିନି ପାଖରୁ ସମୁଦ୍ର ଦ୍ବାରା ଘେରି ହୋଇ ରହିଛି । ଏହାସହ ୫ଟି ନଦୀ ପାଇଁ ଜଣାଶୁଣା ଏହି ଦେଶରେ ମହାନ ରାଜନେତାଙ୍କ ଜନ୍ମ ହେବ । ସେ ଶତ୍ରୁକୁ ମାତ୍ ଦେବେ ବୋଲି ଭବିଷ୍ୟବାଣୀ କରିଥିଲେ । ଏହାକୁ ଭାରତ ସହ ଯୋଡି ଦେଖିଲେ, ପଞ୍ଜାବରେ ସିନ୍ଧୁ ନଦୀ ଉପକୂଳରେ ସତଲେଜ, ବ୍ୟାସ, ଝେଲମ, ଚିନାବ ଓ ରାବି ନଦୀର ସଂଗମ ରହିଛି । ପହଲଗାମ ଆକ୍ରମଣ ପରଠୁ ସିନ୍ଧୁ ନଦୀ ଜଳ ଚୁକ୍ତି ଚର୍ଚ୍ଚାରେ ରହିଛି । ନାସ୍ତ୍ରୋଦମସ ୪୫୦ବର୍ଷ ପୂର୍ବରୁ ଭାରତକୁ ନେଇ ଭବିଷ୍ୟବାଣୀ କରିଥିବା ଫ୍ରାନ୍ସର ଜଣାଶୁଣା ସ୍ତମ୍ଭକାର ଫ୍ରେଙ୍କୋଇସ ଗଟିୟର କହିଛନ୍ତି । ୨୦୧୪ରୁ ୨୦୨୬ପର୍ଯ୍ୟନ୍ତ ଭାରତର ନେତୃତ୍ବ ଏମିତି ଜଣେ ବ୍ୟକ୍ତି କରିବେ, ଯାହାଙ୍କୁ ପ୍ରଥମେ ବିରୋଧର ସାମନା କରିବାକୁ ପଡିବ, ତେବେ ପରେ ତାଙ୍କୁ ଜନତା ଅନେକ ଭଲ ପାଇବା ଦେବେ । ସେ ଲମ୍ବା ସମୟ ଧରି ଦେଶର ପ୍ରଧାନମନ୍ତ୍ରୀ ରହିବେ ବୋଲି ନାସ୍ତ୍ରୋଦମସ ଭବିଷ୍ୟବାଣୀ କରିଥିବା ଗଟିୟର କହିଛନ୍ତି । ଏହାସହ ଭବିଷ୍ୟବାଣୀ ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୋଡିଛନ୍ତି ।
କେବେ ଆରମ୍ଭ ହେବ ତୃତୀୟ ବିଶ୍ବଯୁଦ୍ଧ?
ନାସ୍ତ୍ରୋଦମସ ଭବିଷ୍ୟବାଣୀ ଅନୁସାରେ, ଯେବେ ବିଶ୍ବରେ ଧାର୍ମିକ କଟ୍ଟରତା ଲମ୍ବା ସମୟ ଧରି ଚାଲିବ । ଧର୍ମ ଆଧାରରେ ଲୋକଙ୍କୁ ଭାଗ କରାଯିବ । ରକ୍ତପାତ, ରୋଗ, ମରୁଡି, ଯୁଦ୍ଧ ପରି ସ୍ଥିତି ହେବ ସେତେବେଳେ ତୃତୀୟ ବିଶ୍ବଯୁଦ୍ଧ ହେବ । ପହଲଗାମରେ ନିରୀହ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ହତ୍ୟା କରାଯାଇଥିବା ବେଳେ ଏବେ ବିଶ୍ବରେ ଧର୍ମ ନାଁରେ ସଂଘର୍ଷ ଚାଲିଛି । ବାଂଲାଦେଶ, ପାକିସ୍ତାନ, ପଶ୍ଚିମ ଏସିଆ ହେଉ କି ଋଷ, ୟୁରୋପ, ଲାଟିନ ଆମେରିକା କିମ୍ବା ଆଫ୍ରିକା, ଏସବୁ ଦେଶରେ ସଂଘର୍ଷ ଚାଲିଛି । ତେଣୁ ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀକୁ ନେଇ ଚିନ୍ତା ବଢିଛି । ପ୍ରଶ୍ନ ଉଠୁଛି, ଆରମ୍ଭ ହୋଇଯାଇଛି କି ତୃତୀୟ ବିଶ୍ବଯୁଦ୍ଧ ?
Comments are closed.