Latest Odisha News

BREAKING NEWS

ଅର୍ଦ୍ଧ ସାମରିକ ବାହିନୀଙ୍କ ଛୁଟି ବାତିଲ; ସେପଟେ, ଭାରତୀୟ ସୀମାବର୍ତ୍ତୀ ଲୋକଙ୍କୁ ବଙ୍କର ଭିତରକୁ ଯିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସୀମାରେ ପାକିସ୍ତାନ ପଟରୁ ଜାରି ରହିଛି ଗୁଳି ବର୍ଷା । ମଙ୍ଗଳବାର ମଧ୍ୟ ରାତ୍ରୀରେ ଏୟାରଷ୍ଟ୍ରାଇକ୍ ପରେ ଭୟରେ ଥରୁଛି ପାକିସ୍ତାନର ଛାତି । ଯାହା ଫଳରେ ବିକଳ ହୋଇ ଗୁଳି ବର୍ଷା କରି ଚାଲିଛି । ସୀମାକୁ ପାକିସ୍ତାନ ସେନା ପଠାଇଥିବା ସୂଚନା ମିଳିଛି । ଏଭଳି ସ୍ଥିତିରେ ଭାରତୀୟ ସୀମାବର୍ତ୍ତୀ ଲୋକଙ୍କୁ ବଙ୍କର ଭିତରକୁ ଯିବାକୁ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ ଅମିତ ଶାହ ।

ଭାରତୀୟ ତିନୋଟି ଯାକ ସେନାର ଏୟାର ଷ୍ଟ୍ରାଇକ ‘ଅପରେସନ ସିନ୍ଦୁର’ ପରେ ପାକିସ୍ତାନରେ ଆତଙ୍କ ଖେଳିଯାଇଛି । ଯାହାକୁ ନେଇ ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ପାକିସ୍ତାନର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ରାୱଲପିଣ୍ଡି ଓ ଲାହୋର ବିମାନବନ୍ଦରକୁ ବନ୍ଦ କରାଯାଇଛି ।

ଏପଟେ ଭାରତରେ ମଧ୍ୟ ସୀମାରେ ଥିବା ଯବାନଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅର୍ଦ୍ଧସାମରିକ ବାହିନୀଙ୍କ ଛୁଟି ସବୁ ବାତିଲ କରିଦିଆଯାଇଛି । ଛୁଟି ବାତିଲ ନେଇ ସୂଚନା ଦେଲେ ଗୃହ ମନ୍ତ୍ରୀ ଶାହ । ଯଦି କିଛି ପରିସ୍ଥିତି ଉତ୍ପନ୍ନ ହୁଏ ତାହାର ମୁକାବିଲା କରିବାକୁ ଛୁଟି ବାତିଲ କରାଯାଇଥିବା ନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ହୋଇଛି ।

 

Comments are closed.