Latest Odisha News

BREAKING NEWS

ଭାରତର ‘ଅପରେସନ ସିନ୍ଦୂର’ ନେଇ ଟ୍ରମ୍ପ୍‌ଙ୍କ ପ୍ରତିକ୍ରିୟା…

ଓ୍ବାଶିଂଟନ୍: ଭାରତ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ଟ୍ରମ୍ପ କହିଛନ୍ତି ଯେ, “ମୁଁ ଭାବୁଛି ଲୋକମାନେ ଜାଣିଥିଲେ, ଅତୀତର କିଛି ଘଟଣା ଉପରେ ଆଧାର କରି, କିଛି ଘଟିବାକୁ ଯାଉଛି । ସେମାନେ ବହୁତ ଦିନ ଧରି ଲଢ଼େଇ କରିଆସୁଛନ୍ତି । ଯଦି ତୁମେ ଏହା ବିଷୟରେ ଚିନ୍ତା କର, ସେମାନେ ଦଶନ୍ଧି ଏବଂ ଶତାବ୍ଦୀ ଧରି ଲଢ଼ୁଛନ୍ତି । ମୁଁ ଆଶା କରୁଛି ଏହା ବହୁତ ଶୀଘ୍ର ଶେଷ ହୋଇଯିବ । ମୁଁ ଓବାଲ ଦ୍ୱାର ଦେଇ ଯିବା ସମୟରେ ଏହି ଏୟାର ଷ୍ଟ୍ରାଇକ୍ ବିଷୟରେ ଶୁଣିବାକୁ ପାଇଲି। ”

ୱାଶିଂଟନ ଆମେରିକାରେ ଥିବା ଭାରତୀୟ ଦୂତାବାସ କହିଛି, ”୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀମାନେ ଏକ ନୃଶଂସ ଏବଂ ଘୃଣ୍ୟ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ ।” ଭାରତ ପାଖରେ ବିଶ୍ୱସନୀୟ ସୂଚନା, ବୈଷୟିକ ସୂଚନା, ବଞ୍ଚିଥିବା ଲୋକଙ୍କ ସାକ୍ଷ୍ୟ ଏବଂ ଅନ୍ୟାନ୍ୟ ପ୍ରମାଣ ଅଛି ଯାହା ଆକ୍ରମଣରେ ପାକିସ୍ତାନଭିତ୍ତିକ ଆତଙ୍କବାଦୀଙ୍କ ସ୍ପଷ୍ଟ ସମ୍ପୃକ୍ତିକୁ ସୂଚିତ କରେ । ଆଶା କରାଯାଉଥିଲା ଯେ ପାକିସ୍ତାନ ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଭିତ୍ତିଭୂମି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବରଂ, ଗତ ଦୁଇ ଦିନ ଧରି, ପାକିସ୍ତାନ ଭାରତ ବିରୁଦ୍ଧରେ ଏକ ମିଥ୍ୟା ଫ୍ଲାଗ ଅପରେସନର ଅଭିଯୋଗ ଆଣିଛି ଏବଂ ଏହାକୁ ଅସ୍ୱୀକାର କରିଛି ।

ଅନ୍ୟପଟେ, ପାକିସ୍ତାନୀ ସେନା ନିଶ୍ଚିତ କରିଛି ଯେ, ଭାରତୀୟ କ୍ଷେପଣାସ୍ତ୍ର ଆକ୍ରମଣ ବାହାବଲପୁରର ମୁଜାଫରାବାଦ, କୋଟଲି ଏବଂ ଅହମଦ ପୂର୍ବ ଅଞ୍ଚଳକୁ ଟାର୍ଗେଟ କରିଛି ।

ତେବେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ‘ଅପରେସନ୍ ସିନ୍ଦୂର’ ସମ୍ପର୍କରେ ନିଶ୍ଚିତ କରିଛି । ଅପରେସନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିବା ବିଷୟରେ ଉଲ୍ଲେଖ କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅତି ବୁଝି ବିଚାରି ଗ୍ରହଣ କରାଯାଇଛି । ଏଥିରେ କୌଣସି ପାକିସ୍ତାନୀ ସାମରିକ ଘାଟିକୁ ଟାର୍ଗେଟ କରାଯାଇ ନାହିଁ କିମ୍ବା କୌଣସି ସାଧରଣ ନାଗରିକଙ୍କୁ ଟାର୍ଗେଟ୍ କରାଯାଇନାହିଁ । ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଏହି ଆକ୍ରମଣ କରାଯାଇଛି । ଯେଉଁଥିରେ ୨୯ ଜଣ ଭାରତୀୟ ନାଗରିକ ଏବଂ ଜଣେ ନେପାଳୀ ନାଗରିକ ପ୍ରାଣ ହରାଇଥିଲେ ।

Comments are closed.