ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ୍ । ଚିନ୍ତାରେ ପାକିସ୍ତାନର ବନ୍ଧୁ ଚୀନ୍ । ଭାରତର ଅପରେସନ୍ ସିନ୍ଦୂର ସଫଳ ହେବା ପାକିସ୍ତାନ ସହ ଚୀନର ବି ଚିନ୍ତା ବଢାଇଛି । ଏପରିକି ବନ୍ଧୁ ପାକିସ୍ତାନ ସପକ୍ଷରେ ବାହାରି ଭାରତ ବିରୋଧରେ କଡା ଶବ୍ଦ ବି କହିନି ଚୀନ୍ । ଓଲଟା ଆତଙ୍କବାଦକୁ ପ୍ରଥମରୁ ବିରୋଧ କରୁଥିବା କହିଛି । ତେବେ ଭାରତର ସଫଳ ଏୟାର ଷ୍ଟ୍ରାଇକ୍ ପରେ ଡ୍ରାଗନକୁ ରଣନୈତିକ, ଟେକ୍ନୋଲୋଜି ସାଙ୍ଗକୁ ଭୂ-ରାଜନୈତିକ ଚିନ୍ତା ଘାରିଛି। କାରଣ ଧିରେ ଧିରେ ଚୀନର ପ୍ରତିଦ୍ବନ୍ଦ୍ବୀ ହେବାରେ ଲାଗିଛି ଭାରତ । ଏମିତିକି ଆମେରିକା ସଂକଟ ନଥିଲେ ଚୀନ୍ ଖୋଲାଖୋଲି ଭାରତ ବିରୋଧରେ ପାକିସ୍ତାନ ପାଇଁ ଠିଆ ହୋଇଥାନ୍ତା ବୋଲି କୁହାଯାଉଛି ।
ଚୀନର ଡିଫେନ୍ସ ସିଷ୍ଟମ ଉପରେ ପ୍ରଶ୍ନ
ଅପରେସନ୍ ସିନ୍ଦୂର ସମୟରେ ଫେଲ୍ ମାରିଥିଲା ପାକିସ୍ତାନରେ ଚୀନ୍ ନିର୍ମିତ ଡିଫେନ୍ସ ସିଷ୍ଟମ । ପାକିସ୍ତାନ ୨୦୧୪ରେ ଏଲଓ୍ବାଇ-୮୦ ଓ ୨୦୨୧ରେ ଏଚକ୍ୟୁ-୯ ସିଷ୍ଟମ କିଣିଥିଲା । ଏସବୁ ସିଷ୍ଟମକୁ ଶହେରୁ ୨ଶହ କିଲୋମିଟର ରେଞ୍ଜ ଓ ଏକାସାଙ୍ଗେ ଶହେ ଲକ୍ଷ୍ୟ ଟ୍ରାକ କରିବାର କ୍ଷମତା ଭାବେ ନିର୍ମାଣ କରାଯାଇଥିଲା । ତେବେ ଏହି ସିଷ୍ଟମ ଫେଲ୍ ମାରିବା ପରେ ବିଶ୍ବରେ ଚୀନ୍ ନିର୍ମିତ ଡିଫେନ୍ସ ସିଷ୍ଟମ କ୍ଷତି ସହିପାରେ । ଯେବେକି ଭାରତର ସ୍ବଦେଶୀ ମିସାଇଲ୍ ପ୍ରଣାଳୀ ବ୍ରହ୍ମୋସ ଓ ନିର୍ଭୟ ବେଶ୍ ପ୍ରଭାବଶାଳୀ ରହିଛି ।
ପାକିସ୍ତାନ ପାଇଁ ଚାପ ପକାଇ ପାରିଲାନି ଚୀନ୍
ବର୍ଷ ବର୍ଷ ଧରି ପାକିସ୍ତାନକୁ ସହଯୋଗ କରିଆସୁଛି ଚୀନ୍ । ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର ପାକିସ୍ତାନରେ ନିର୍ମାଣ ଚାଲିଛି । ତେବେ ଅପରେସନ୍ ସିନ୍ଦୂରର ସଫଳତା ପାକିସ୍ତାନ ଓ ଚୀନର ବନ୍ଧୁତା ଓ ବିଶ୍ବାସନୀୟତା ଉପରେ ପ୍ରଶ୍ନ ଉଠାଇଛି । ପିଓକେରେ ଚୀନ ନାଗରିକଙ୍କ ସୁରକ୍ଷା ନେଇ ବି ଚିନ୍ତା ବଢିଛି । ପାକିସ୍ତାନର କେବଳ ଆତଙ୍କବାଦୀ ଅଡ୍ଡାକୁ ଟାର୍ଗେଟ୍ କରିଥିବା ଭାରତ କହିଛି । ତେବେ ପିଓକେରେ ସାମରିକ ଆକ୍ସନ୍ ପରେ କ୍ଷତ୍ରିୟ ସୁରକ୍ଷା ନେଇ ଚୀନର ଚିନ୍ତା ବଢିଛି । ତେବେ ଏୟାର ଷ୍ଟ୍ରାଇକ୍ ପରେ ସିଧାସଳଖ ଭାରତର ସମାଲୋଚନା କରିନି ଚୀନ ।
ଆର୍ଥିକ ଓ ବାଣିଜ୍ୟ ଚିନ୍ତା
ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ଆର୍ଥିକ ସ୍ଥିତି ଆହୁରି ଖରାପ ହୋଇଛି । ଏହାର ପ୍ରଭାବ ସିପିଇସି ପ୍ରକଳ୍ପ ଉପରେ ପଡିପାରେ । ନିକଟରେ ପାକିସ୍ତାନ ଚୀନକୁ ୧୦ବିଲିୟନ ଡଲାର ଅତିରିକ୍ତ ସ୍ବାପ୍ ଲାଇନ୍ ପାଇଁ ନିବେଦନ କରିଥିଲା । ତେବେ ଡ୍ରାଗନ ଏହାକୁ ଖାରଜ କରିପାରେ ବୋଲି କୁହାଯାଉଛି । ପାକିସ୍ତାନର ଦୁର୍ବଳ ସେୟାର ବଜାର ଓ ଆର୍ଥିକ ସଂକଟ ସିପିଇସି ପ୍ରକଳ୍ପକୁ ବିପଦରେ ପକାଇପାରେ । ଚୀନ୍ ଏଥିରେ ବଡ ନିବେଶ କରିଛି । ତେବେ ପାକିସ୍ତାନ ପାଇଁ କେବେବି ନିଜ ସ୍ଥିତି ଖରାପ କରିବାକୁ ଚାହିଁବନି ଚୀନ । ଆମେରିକାର ଟାରିଫ୍ ମାଡ ପାଇଁ ପୂର୍ବରୁ ହିଁ ଚୀନ୍ ଚିନ୍ତାରେ ରହିଛି । ତେଣୁ ପାକିସ୍ତାନରେ ନିବେଶ ରଣନୀତି ନେଇ ପୁନର୍ବିଚାର କରିପାରେ ଚୀନ୍ ।
ଭୂ-ରାଜନୈତିକ ପ୍ରଭାବ
ଅପରେସନ୍ ସିନ୍ଦୂର ଭାରତକୁ ଏକ ଦୃଢ ଓ ଆତଙ୍କବଦ-ବିରୋଧୀ ରାଷ୍ଟ୍ର ଭାବେ ପ୍ରଦର୍ଶିତ କରିଛି । ଇସ୍ରାଏଲ୍ ଏହାକୁ ସମର୍ଥନ କରିଛି ତ ଆମେରିକା ଓ ଜାତିସଂଘ ନିନ୍ଦା କରିବା ପରିବର୍ତ୍ତେ ସଂଯମତା ରକ୍ଷା ପାଇଁ ଅପିଲ୍ କରିଛନ୍ତି । ଏହାକୁ ଭାରତର କୁଟନୈତିକ ବିଜୟ ବି କୁହାଯାଉଛି । ପାକିସ୍ତାନର ବନ୍ଧୁ ରାଷ୍ଟ୍ର ହୋଇବି ଚୀନ କଡା ଶବ୍ଦରେ ନିନ୍ଦା କରିପାରିନି । ବିଶ୍ବରେ ଭାରତର ପ୍ରଭାବକୁ ଏହା ଦେଖାଉଛି । ତେବେ ଦକ୍ଷିଣ ଏସିଆ ଉପରେ ନିଜର ପ୍ରଭୂତା ବିସ୍ତାର କରିବାକୁ ଚାହୁଁଥିବା ଚୀନ୍ ଏହାକୁ ଚ୍ୟାଲେଞ୍ଜ ଭାବେ ଦେଖୁଛି ।
Comments are closed.