ଭୁବନେଶ୍ୱର: ସରକାରୀ ଗ୍ରୀଷ୍ମ ଛୁଟି ନିର୍ଦ୍ଦେଶକୁ ଅଣଦେଖା କରୁଥିବା ସ୍କୁଲଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାର।
ରାଜ୍ୟରେ ଚାଲିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟି ଘୋଷଣା କରିଥିଲେ। କିନ୍ତୁ କିଛି ବିଦ୍ୟାଳୟ ଉକ୍ତ ନିର୍ଦ୍ଦେଶକୁ ଅବମାନନା କରି କାର୍ଯ୍ୟ କରୁଥିବା ଜଣାପଡିଛି।ଏହାକୁ ନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଏହି ସ୍କୁଲଗୁଡ଼ିକ ବିରୁଦ୍ଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି।
ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଏକ ଚିଠିରେ କହିଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କୁ ପ୍ରଚଣ୍ଡ ଗରମରୁ ରକ୍ଷା କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକୁ ଏପ୍ରିଲ ୨୨ରୁ ଗ୍ରୀଷ୍ମ ଛୁଟି ପାଇଁ ବିରତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତଥାପି କିଛି ସ୍କୁଲ ଏବେ ବି କାର୍ଯ୍ୟକ୍ଷମ। ଯାହା ଛାତ୍ରଛାତ୍ରୀଙ୍କ ଉପରେ ବିପଦ ପକାଇପାରେ।
ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନଜରରେ ରଖି ବିଭାଗ ପକ୍ଷରୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଉପରେ କାର୍ଯ୍ୟକାରୀ କରିବାକୁ ସୂଚନା ଦିଆଯାଇଛି।
Comments are closed.