ନୂଆଦିଲ୍ଲୀ: ସରିନି ଅପରେସନ ସିନ୍ଦୂର । ଏବେବି ଜାରି ରହିଛି । ଶନିବାର ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ଉଭୟ ଦେଶ ସହମତି ଦେବା ପରେ, ଆଜି ବାୟୁ ସେନା ପକ୍ଷରୁ ବଡ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନା (IAF) ରବିବାର ସ୍ପଷ୍ଟ କରିଛି ଯେ, ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ବିରୁଦ୍ଧରେ ପ୍ରତିଆକ୍ରମଣ ଭାବରେ ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଦୂର’, ଏବେ ବି ଜାରି ରହିଛି । ଏନେଇ ଆଇଏଏଫର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଜାରି କରାଯାଇଛି ।
ଆଇଏଏଫ ଏକ୍ସରେ ଲେଖିଛି, ବାୟୁସେନା (IAF) ଅପରେସନ ସିନ୍ଦୁରରେ ତାର ନ୍ୟସ୍ତ କାର୍ଯ୍ୟଗୁଡ଼ିକୁ ସଠିକତା ଏବଂ ବୃତ୍ତିଗତତା ସହିତ ସଫଳତାର ସହିତ ସମ୍ପାଦନ କରିଛି। ଜାତୀୟ ଉଦ୍ଦେଶ୍ୟ ସହିତ ମିଳିତ ଭାବରେ ଅପରେସନଗୁଡ଼ିକ ଏକ ସୁଚିନ୍ତିତ ଏବଂ ବିଚକ୍ଷଣ ଭାବରେ ସମ୍ପାଦନ କରାଯାଇଥିଲା । ଯେହେତୁ ଅପରେସନଗୁଡ଼ିକ ଏପର୍ଯ୍ୟନ୍ତ ଜାରି ରହିଛି, ତେଣୁ ଏନେଇ ଏକ ବିସ୍ତୃତ ସୂଚନା ଖୁବଶୀଘ୍ର ଦିଆଯିବ। ଏଥିସହିତ ସମସ୍ତଙ୍କୁ ଅନୁମାନ ଏବଂ ଅପ୍ରମାଣିତ ସୂଚନାର ପ୍ରସାରଣରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛି ଆଇଏଏଫ ।
ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଏକ ଶାନ୍ତି ଚୁକ୍ତି ମଧ୍ୟସ୍ଥତା କରିଥିବା ଆମେରିକାର ଦାବି ପରେ, ଆଜି ଭାରତୀୟ ବାୟୁସେନା ପକ୍ଷରୁ କିଛି ଏପରି ବଡ ସୂଚନା ଦିଆଯାଇଛି ।
ତେବେ ଗତ ୭ ତାରିଖରେ, ଭାରତ ଅପରେସନ୍ ସିନ୍ଦୁର ଆରମ୍ଭ କରିଥିଲା । ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିଥିଲା । ଯାହାର ଜବାବରେ ପାକିସ୍ତାନ ଏଲଓସି ଉଲଘଂନ କରି ବାରମ୍ବାର ଭାରତ ଉପରେ ଗୁଳିବର୍ଷା, ମିସାଇଲ ଏବଂ କ୍ଷେପଣାସ୍ତ୍ର ମାଡ ଆରମ୍ଭ କରିଥିଲା । ଯାହାର ଭାରତ କେବଳ ଜବାବ ଦେଇଥିଲା । ପାକିସ୍ତାନର ସମସ୍ତ କ୍ଷେପଣାସ୍ତ୍ରକୁ ଧୂଳି ଚଟାଇବା ସହ ଜବାବୀ କ୍ଷେପଣାସ୍ତ୍ର ମାଡ କରି ପାକିସ୍ତାନର ଅନେକ କ୍ଷତି କରି ବଡ ସଫଳତା ହାସଲ କରିଥିଲା । ହେଲେ ବଢୁଥିବା ଏହି ଯୁଦ୍ଧ ଆଶଙ୍କାରେ ଗତକାଲି ଯବନିକା ପଡିଥିଲା । ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇଥିଲା ।
ଏନେଇ ନିଜ ଏକ୍ସରେ ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଥିବା ବେଳେ ଏହାର ତୁରନ୍ତ ପରେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ହୋଇଥିବା ନେଇ ସ୍ପଷ୍ଟ କରିଥିଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି । ଶନିବାର ଭାରତୀୟ ସମୟ ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁହୋଇଛି । ଗତକାଲି ଅପରାହ୍ନ ୩ଟା ୩୫ରେ ଉଭୟ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିଲା । ୩ ବାହିନୀକୁ ଉଭୟ ଦେଶ ପକ୍ଷରୁ ଅସ୍ତ୍ରବିରତି ନେଇ ସହମତି କଥା ଜଣାଇ ଦିଆଯାଇଛି ।
ହେଲେ ନିଜର ପ୍ରକୃତିରୁ ବାଦ୍ ପଡିନଥିଲା ପାକିସ୍ତାନ । ଅସ୍ତ୍ରବିରତି ଚୁକ୍ତିର ମାତ୍ର କେଇ ଘଣ୍ଟା ଭିତରେ ପୁଣି ଭାରତ ଉପରେ ଗୁଳିବର୍ଷା କରିଥିଲା । ଶନିବାର ରାତିରେ ଶ୍ରୀନଗର ଏବଂ ଜମ୍ମୁରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା, ଯେଉଁଥିରେ ରାତ୍ରିରେ ଜମ୍ମୁର ଆକାଶରେ ପ୍ରକ୍ଷେପଣ ଏବଂ ଝଲସ ଦେଖାଯାଇଥିଲା। ବାରାମୁଲ୍ଲାରେ ମଧ୍ୟ ଗୁଳି ବାଜିଥିବାର ସୂଚନା ମିଳିଥିଲା ଏବଂ ସୋପୋରରେ ବିସ୍ଫୋରଣ ଶୁଣାଯାଇଥିଲା। ଅମୃତସରରେ ମଧ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଶନିବାର ରାତିରେ ସେହି ଅଞ୍ଚଳରେ ଡ୍ରୋନ୍ ଦେଖିବାର ସୂଚନା ଦେଇଥିଲେ। । ଏହାପରେ ପୁଣି ଅସ୍ତ୍ରବିରତି ପରେ ବି ଜୟସଲମେର ଏବଂ ରାଜସ୍ଥାନର ଅନ୍ୟାନ୍ୟ ଅଂଶରେ ଏବଂ ପଞ୍ଜାବରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଜାରି କରାଯାଇଥିଲା। ଏଥିସହିତ ପାକିସ୍ତାନର ସମସ୍ତ ପ୍ରୟାସକୁ ଆକାଶରେ ହିଁ ପଣ୍ଡ କରିଥିଲା ଭାରତୀୟ ସେନା ।
ଯାହାକୁ କଡା ନିନ୍ଦା କରିଥିଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ । ଭାରତ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନକୁ ନିନ୍ଦା କରି ଆକ୍ରମଣକୁ ବିଶ୍ୱାସର ଗମ୍ଭୀର ଭଙ୍ଗ ବୋଲି କହିଥିଲେ । ଏଥିସହିତ ଯୁଦ୍ଧ ବୃଦ୍ଧିକୁ ରୋକିବା ପାଇଁ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ସେ ଇସଲାମାବାଦକୁ ଅନୁରୋଧ ବି କରିଥିଲେ । କିନ୍ତୁ ଭାରତ ଏହାର ଜବାବରେ କିଛି ନକହି, ଅସ୍ତ୍ରବିରତି ଜାରି ରଖିଛି ।
Comments are closed.