Latest Odisha News

BREAKING NEWS

ପଦାରେ ପଡିଲା ପାକିସ୍ତାନ ସେନାର ଆତଙ୍କୀ କନେକ୍ସନ୍ !

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ବେଳେ ସାମନାକୁ ବାରମ୍ବାର ଆସିଥିଲେ ଜେନେରାଲ ଅହମ୍ମଦ ସରିଫ ଚୌଧରୀ। ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ ଆଇଏସପିଆରର ଡିଜି ହେଉଛନ୍ତି ସରିଫ ଚୌଧରୀ । ତେବେ ତାଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଯାହା ସାରା ବିଶ୍ବ ଆଗରେ ପାକିସ୍ତାନୀ ସେନା ସହ ଆତଙ୍କବାଦୀଙ୍କ କନେକ୍ସନ ପଦାରେ ପକାଇଛି । ଚୌଧରୀଙ୍କ ବାପା ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ହେବା ଓ ଓସାମା ବିନ୍ ଲାଦେନ ସହ ଲିଙ୍କ ନେଇ ବ଼ଡ଼ ଅଭିଯୋଗ ଆସିଛି । ସାରା ବିଶ୍ବ ଆଗରେ ପାକିସ୍ତାନୀ ସେନାର ଚେହେରା ବନିଥିବା ସରିଫ ଚୌଧରୀ ଜଣେ ଆତଙ୍କବାଦୀର ପୁଅ ବୋଲି ଜଣାପଡିଛି ।

ପାକିସ୍ତାନ ସେନାର ଆତଙ୍କୀ ଲିଙ୍କ

ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କ ଖାସ୍ କୁହାଯାଉଥିବା ଅହମ୍ମଦ ସରିଫ ଚୌଧରୀଙ୍କ ବାପା ସୁଲତାନ ବଶିରୁଦ୍ଦିନ ମହମ୍ମୁଦ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବଶିରୁଦ୍ଦିନ ମହମ୍ମୁଦ ପେଶାରେ ପରମାଣୁ ବୈଜ୍ଞାନିକ ଥିଲା । ତେବେ ତାର ଆତଙ୍କବାଦୀଙ୍କ ସହ ଘନିଷ୍ଠତା ଥିଲା । ମହମ୍ମୁଦ ୧୯୯୯ରେ ଉମ୍ମାହ-ତାମିର-ଏ-ନୌ ନାମକ ଏକ ସଂଗଠନ ବନାଇଥିଲା । ଆମେରିକା ଏହି ସଂଗଠନର ଗତିବିଧିକୁ ସନ୍ଦିଗ୍ଧ ଜାଣିବା ପରେ ୨୦୦୧ରେ ଏହାକୁ ବ୍ୟାନ୍ କରିଥିଲା । ମହମ୍ମୁଦକୁ ଜାତିସଂଘ ଆତଙ୍କବାଦୀ ଘୋଷଣା କରିଥିଲା । ସେହିପରି ଆମେରିକା ମହମ୍ମୁଦକୁ ସ୍ବତନ୍ତ୍ର ଭାବେ ନାମିତ ଆତଙ୍କବାଦୀ ମାନିଥିଲା ।

ଲାଦେନ ସହ କନେକ୍ସନ୍

ଜେନେରାଲ ଚୌଧରୀଙ୍କ ବାପା ମହମ୍ମୁଦର ଅଲକାଏଦା ସହ ଘନିଷ୍ଠ ସଂପର୍କ ଥିଲା । ନିକଟରେ ଏହି ସଂପର୍କିତ କିଛି ଫଟୋ ସୋସିଆଲ୍ ମିଡିଆରେ ବି ଭାଇରାଲ୍ ହୋଇଛି । ଏଥିରେ ମହମ୍ମୁଦକୁ ବିଶ୍ବର ଖୁନଖାର ଆତଙ୍କବାଦୀ ଓସାମା ବିନ୍ ଲାଦେନ ସହ ଦେଖିବାକୁ ମିଳୁଛି । ମହମ୍ମୁଦ ଲାଦେନକୁ ରସାୟନିକ, ଜୈବିକ ଓ ପରମାଣୁ ହତିଆର ସଂପର୍କିତ ସୂଚନା ଦେଉଥିବା କୁହାଯାଉଛି । ଏପରିକି ମହମ୍ମୁଦ ଲାଦେନକୁ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରି ଦେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି ।

ବୈଜ୍ଞାନିକରୁ ଆତଙ୍କବାଦୀ

ଆତଙ୍କବାଦୀ ଫଣ୍ଡିଂ, ହତିଆର ସପ୍ଲାଏ ସହ ତାଲିବାନ ଅଲକାଏଦା ସହ ବଶିରୁଦ୍ଦିନ ମହମ୍ମୁଦର ଘନିଷ୍ଠତା ଥିଲା । ମହମ୍ମୁଦର ସଂଗଠନ ଉମ୍ମାହ-ତାମିର-ଏ-ନୌ  ଆତଙ୍କବାଦୀଙ୍କୁ ପରମାଣୁ ଓ ଜୈବିକ ହତିଆର ସଂପର୍କରେ ସୂଚନା ଦେଉଥିବା ନେଟଓ୍ବର୍କ ଥିଲା । ଜଣେ ପରମାଣୁ ବୈଜ୍ଞାନିକ ମହମ୍ମୁଦ ଓସାମା ବିନ ଲାଦେନକୁ ଭେଟୁଥିବା ନେଇ ସୂଚନା ମିଳିବା ପରେ ଆମେରିକାର ଗୁଇନ୍ଦା ଏଜେନ୍ସିର ଚିନ୍ତା ବଢିଥିଲା । ମହମ୍ମୁଦକୁ ଗ୍ଲୋବାଲ୍ ଟେରୋରିଷ୍ଟ ଘୋଷିତ କରିଥିଲା ଆମେରିକାର ବିଦେଶୀ ସଂପତି ନିୟନ୍ତ୍ରଣ କାର୍ଯ୍ୟାଳୟ । ୨୦୦୧ ନଭେମ୍ବରରେ ତାଲିବାନ କାବୁଲ ଛାଡି ଚାଲିଯିବା ପରେ ମହମ୍ମୁଦର ଘାତକ ଡିଜାଇନ ସାମନାକୁ ଆସିଥିଲା । ଆମେରିକା ଚାପରେ ପାକିସ୍ତାନର ଆଇଏସଆଇ ମହମ୍ମୁଦକୁ ଗିରଫ କରି ପଚରାଉଚରା କରିବାକୁ ବାଧ୍ୟ ହୋଇଥିଲା ।

ଆତଙ୍କବାଦୀ ଗତିବିଧି ସହ ସଂପୃକ୍ତି ନେଇ ଚର୍ଚ୍ଚା ହେବା ପରେ ମହମ୍ମୁଦ ଇସଲାମାବାଦରେ ଅଜ୍ଞାତରେ ଜୀବନ ଯାପନ କରୁଥିବା କୁହାଯାଉଛି । ପାକିସ୍ତାନ ଓ ଭାରତ ମଧ୍ୟରେ ଅଶାନ୍ତି ଭିତରେ ସରିଫ ଚୌଧରୀଙ୍କୁ ପାକିସ୍ତାନ ସେନାର ଚେହେରା କରାଯାଇଛି । ଏହାପରେ ପୁଣି ମହମ୍ମୁଦକୁ ନେଇ ଚର୍ଚ୍ଚା ହେଉଛି । ବୈଜ୍ଞାନିକରୁ ଆତଙ୍କବାଦୀ ହୋଇଥିବା ମହମ୍ମୁଦର ପୁଅ ସରିଫ ଚୌଧରୀ ଭାରତକୁ ନେଇ ମିଛ ସୂଚନା ଦେବା ସହ ପାକିସ୍ତାନକୁ ଆତଙ୍କବାଦର ଅସହାୟ ପୀଡିତ ଭାବେ ପ୍ରଦର୍ଶନ କରୁଥିଲେ । ତେବେ ସତ କଣ ତାହା ସାରା ବିଶ୍ବର ସାମନାରେ । ପାକିସ୍ତାନୀ ସେନାରେ ବଡ଼ ଅଧିକାରୀ ଜଣେ ଆତଙ୍କବାଦୀର ପୁଅ । ପାକିସ୍ତାନୀ ସେନାର ଜିହାଦୀ ଡିଏନଏର ବଡ଼ ଉଦାହରଣ ସାଜିଛନ୍ତି ଜେନେରାଲ ଚୌଧରୀ।

Comments are closed.