ଚଣ୍ଡିଗଡ: ପଞ୍ଜାବ ଆଦମପୁର ଏୟାର ବେସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ମୋଦି ଆଦମପୁର ବାୟୁସେନା ପରିଦର୍ଶନ କରିଥିଲେ। ବାୟୁସେନା କର୍ମଚାରୀମାନେ ତାଙ୍କୁ ଘାଟିର ସୁରକ୍ଷା ପରିସ୍ଥିତି ବିଷୟରେ ସୂଚନା ଦେଇଥିଲେ । ଏହଥିସହିତ ଯବାନମାନଙ୍କ ସହ କିଛି ସମୟ ବିତାଇବା ସହ ଅନେକ ଆଲୋଚନା ମଧ୍ୟ କରିଥିଲେ । ଏନେଇ ନିଜ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ମୋଦି ।
ନିଜ ପୋଷ୍ଟରେ ମୋଦି ଲେଖିଛନ୍ତି, ଆଜି ସକାଳେ, ମୁଁ ଏଏଫଏସ ଆଦମପୁର ଯାଇ ଆମର ସାହସୀ ବାୟୁସେନା ଯୋଦ୍ଧା ଏବଂ ସୈନିକମାନଙ୍କୁ ଭେଟିଥିଲି । ସାହସ, ଦୃଢ଼ ନିଷ୍ଠା ଏବଂ ନିର୍ଭୀକତାର ପ୍ରତୀକ ଥିବା ଲୋକଙ୍କ ସହିତ ରହିବା ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅଭିଜ୍ଞତା ଥିଲା । ଆମର ସଶସ୍ତ୍ର ବାହିନୀ ଆମ ଦେଶ ପାଇଁ ଯାହା କିଛି କରନ୍ତି ସେଥିପାଇଁ ସେମାନଙ୍କ ପ୍ରତି ଚିର କୃତଜ୍ଞ ବୋଲି ଲେଖିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଯବାନମାନଙ୍କ ସହିତ ଉଠାଇଥିବା କିଛି ଫଟୋ ସେୟାର କରିଛନ୍ତି ।
ତେବେ ଆଦମପୁର ବାୟୁସେନା ଘାଟି ହେଉଛି ଚାରିଟି ପ୍ରମୁଖ ଭାରତୀୟ ବାୟୁସେନା (IAF) ଷ୍ଟେସନ – ଉଧମପୁର, ପଠାନକୋଟ, ଆଦମପୁର ଏବଂ ଭୁଜ ମଧ୍ୟରୁ ଗୋଟିଏ । ଯାହା ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ଆକ୍ରମଣରେ ସୀମିତ କ୍ଷତି ସହିଛି । ଏହାର ନିକଟବର୍ତ୍ତୀ ଗାଁ ଗୁଡିକ ଉପରେ ମଧ୍ୟ ପାେକ୍ ଆକ୍ରମଣ କରିଛି । ଯେଉଁଠାକୁ ଆଜି ଖୋଦ୍ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିବା ସହ ସେଠିକା ପରିସ୍ଥିତି ପଚାରି ବୁଝିଛନ୍ତି ।
ପାକିସ୍ତାନ ଭାରତ ଆଦମପୁର ଏୟାରବେସ୍ ଉପରେ ଆକ୍ରମଣ କରି ତାହାକୁ ଉଡ଼ାଇ ଦେଇଥିଲା ବୋଲି ମିଥ୍ୟା ପ୍ରଚାର କରିଥିଲା । ହେଲେ ପାକିସ୍ତାନ ଆକ୍ରମଣରେ ଏହା ସ୍ପଳ୍ପ କ୍ଷତି ସହିଥିବା ପୂର୍ବରୁ ସେନା ସ୍ପଷ୍ଟ କରିଥିଲା । ଆଉ ଆଜି ସେହି ଆଦମପୁର ଏୟାରବେସରେ ମୋଦି ପହଞ୍ଜିବା ପରେ ପାକିସ୍ତାନର ଆଉ ଏକ ମିଛ ସ୍ପଷ୍ଟ ହୋଇଛି । ଭାରତର ଲଢୁଆ ବିମାନ ମିଗ୍-୨୯ ଏବଂ ଏସ-୪୦୦ର ପାଓ୍ବର ହାଉସ୍ ହେଉଛି ଏହି ଏୟାରବେସ୍ । ପ୍ରଧାନମନ୍ତ୍ରୀଙ୍କ ସହ ଏୟାର୍ ଚିଫ୍ ମାର୍ଶଲ ଏପି ସିଂହ ମଧ୍ୟ ଆଜି ସକାଳେ ଏହି କ୍ଷେତ୍ର ପରିଦର୍ଶନ କରିଥିଲେ । ପାକିସ୍ତାନ ସୀମା ନିକଟରେ ଥିବା ଏହି ଏୟାରବେସ୍ ଶତ୍ରୁଦେଶ ଉପରେ ଆକ୍ରମଣ କରିବା ପାଇଁ ଜଣାଶୁଣା ।
Comments are closed.