ଭୋପାଳ: ଏକ ପାଣି ବୋତଲ ଉପରେ ୧ ଟଙ୍କା ଜିଏସଟି ଆଦାୟ କରିବା ଘଟଣାରେ ଏକ ରେଷ୍ଟୁରାଣ୍ଟକୁ ୮୦୦୦ ଟଙ୍କା ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୋପାଳର କଞ୍ଜ୍ୟୁମର ଫୋରମ୍।
ଘଟଣାଟି ଅକ୍ଟୋବର ୨୦୨୧ର। ଐଶ୍ୱର୍ଯ୍ୟା ନାମକ ଗ୍ରାହକ ଭୋପାଳର ଏକ ରେଷ୍ଟୁରାଣ୍ଟରେ ତାଙ୍କ ବନ୍ଧୁମାନଙ୍କ ସହିତ ରାତ୍ରୀଭୋଜନ କରିଥିଲେ। ଯେତେବେଳେ ବିଲ୍ ଆସିଲା, ସେ ଦେଖିଲେ ଯେ ପାଣି ବୋତଲର ୨୦ ଟଙ୍କା ଥିଲା କିନ୍ତୁ ବିଲରେ ୨୯ ଟଙ୍କା ଲେଖାଯାଇଥିଲା। ଏହି ୨୯ ଟଙ୍କାରେ ୧ ଟଙ୍କା ଜିଏସଟି ମଧ୍ୟ ସାମିଲ ଥିଲା।
ଏନେଇ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ବେଳେ ସେମାନେ କହିଥିଲେ ଯେ ସମସ୍ତ ଦେୟ ଆଇନଗତ ଏବଂ ନିୟମ ଅନୁଯାୟୀ। ତେଣୁ ଏଥିରେ କୌଣସି ରିହାତି ଦିଆଯାଇପାରିବ ନାହିଁ। ଏହା ପରେ ମାମଲାଟି କଞ୍ଜ୍ୟୁମର ଫୋରମରେ ପହଞ୍ଚିଥିଲା ବେଳେ ୪ ବର୍ଷ ପରେ ନିଷ୍ପତ୍ତି ଆସିଛି।
ରେଷ୍ଟୁରାଣ୍ଟର ଓକିଲ କଞ୍ଜ୍ୟୁମର ଫୋରମରେ ଯୁକ୍ତି ଦେଇଥିଲେ ଯେ ନିୟମ ଅନୁଯାୟୀ, ବସିବା, ଏୟାର କଣ୍ଡିସନିଂ କିମ୍ବା ଟେବୁଲ ସେବା ଭଳି ସୁବିଧା ପାଇଁ MRP ଠାରୁ ଅଧିକ ମୂଲ୍ୟ ନେବାର ଅଧିକାର ସେମାନଙ୍କର ଅଛି। କିନ୍ତୁ କଞ୍ଜ୍ୟୁମର ଫୋରମ୍ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ପାଣି ବୋତଲର MRPରେ ଜିଏସଟି ପୂର୍ବରୁ ଅନ୍ତର୍ଭୁକ୍ତ, ତେଣୁ ପୃଥକ ଭାବରେ ଜିଏସଟି ଆଦାୟ ବୈଧ ନୁହେଁ।
କଞ୍ଜ୍ୟୁମର ଫୋରମ୍ ତାଙ୍କ ନିଷ୍ପତ୍ତିରେ ରେଷ୍ଟୁରାଣ୍ଟକୁ ଗ୍ରାହକଙ୍କୁ ୧ ଟଙ୍କା ଜିଏସଟି ରାଶି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଗ୍ରାହକଙ୍କୁ ମାନସିକ ଯନ୍ତ୍ରଣା ଏବଂ ସେବାରେ ଅଭାବ ପାଇଁ ରେଷ୍ଟୁରାଣ୍ଟକୁ ୫ ହଜାର ଟଙ୍କା ଏବଂ ମାମଲାର ଆଇନଗତ ଖର୍ଚ୍ଚ ୩ ହଜାର ଟଙ୍କା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହିପରି ମାତ୍ର ୧ ଟଙ୍କାର ଜିଏସଟି ପାଇଁ ରେଷ୍ଟୁରାଣ୍ଟକୁ ୮୦୦୦ ଟଙ୍କା ଫାଇନ ଦେବାକୁ ପଡ଼ିଛି।
Comments are closed.