ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପୂର୍ବ ଅପେକ୍ଷା ଖରାର ପ୍ରକୋପ ହ୍ରାସ ପାଇଛି ସତ ହେଲେ ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ଆଖପାକ ଅଞ୍ଚଳଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି । ଆଜି ସକାଳ ୮ଟା ୩୦ ସୁଦ୍ଧା ଆର୍ଦ୍ରତା ୬୪.୫ ପ୍ରତିଶତ ଥିବାବେଳେ, ତାପମାତ୍ରା 33 ଡିଗ୍ରୀ ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
ଅନ୍ୟପଟେ, ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଆସନ୍ତା ୪ ଦିନ ଯାଏଁ ରାଜ୍ୟର ଅନେକାଂଶ ଜିଲ୍ଲାକୁ ଝଡ଼ବର୍ଷା ଚେତାବନୀ ଦିଆଯାଇଛି । ଏ ନେଇ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।
ତେବେ ସୋମବାରସ ଅର୍ଥାତ୍ ମେ ୧୯ ପାଇଁ ୧୫ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ବଲାଙ୍ଗୀର, ନୂଆପଡା, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ।
ସେହିପରି ୨୦ ତାରିଖ ପାଇଁ ୯ଟି ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାକୁ ବର୍ଷା ଓ ଘଡ଼ଘଡି ୟେଲୋ ଆଲର୍ଟ ଜାରି କରାଯାଇଛି ।
୨୧ ତାରିଖ ପାଇଁ ୧୬ଟି ଜିଲ୍ଲାକୁ ବିଜୁଳି ଓ ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୨ ଓ ୨୩ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Comments are closed.