ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତର ଗୁଇନ୍ଦା ସଂସ୍ଥାର ସ୍କାନରରେ ରହିଛନ୍ତି ପାକିସ୍ତାନୀ ଗୁପ୍ତଚର । ଦେଶରେ ରହି ଶତ୍ରୁ ଦେଶକୁ ଗୁପ୍ତ ସୂଚନା ଦେଉଥିବା ବ୍ୟକ୍ତିବିଶେଷଙ୍କୁ ଧରିବାକୁ ଉଦ୍ୟମ ହେଉଛି । ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସମେତ ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ଅଭିଯୋଗରେ ଅନେକଙ୍କ ନାଁ ସାମନାକୁ ଆସିଛି । ଶତ୍ରୁଦେଶ ଅନେକ ସମୟରେ ହନିଟ୍ରାପ୍ କରିବା ସହ ଗୁପ୍ତ ସୂଚନା ପାଇଁ ନିଜ ଦେଶର ଗୁପ୍ତଚରଙ୍କୁ ବି ସେଇ ଦେଶକୁ ପଠାଏ । ତେବେ ପ୍ରଶ୍ନ ଉଠୁଛି, ଶତ୍ରୁ ଦେଶରେ ଗୁପ୍ତଚର ଧରାପଡିଲେ, ସେମାନଙ୍କ ସହ କ’ଣ ହୁଏ? ଅନେକ ସମୟରେ ଗୁପ୍ତଚର ଜେଲରେ ଭୟାବହ ମୃତ୍ୟୁର ସାମନା କରନ୍ତି ।
ଗୁପ୍ତଚରଙ୍କୁ ନେଇ କ’ଣ ରହିଛି ନିୟମ?
ବିଶ୍ବସ୍ତରରେ ଗୁପ୍ତଚରଙ୍କୁ ନେଇ ଆଇନ ସାଧାରଣତଃ ନିରବ ରହିଥାଏ । ତେବେ ଗୁପ୍ତଚରଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ସବୁ ଦେଶର ନିଜ ସୁରକ୍ଷା କରିବାର ଅଧିକାର ରହିଛି । ଗୁପ୍ତଚରଙ୍କ କାମକୁ ଭୁଲ କୁହାଗଲେ ମଧ୍ୟ ଏହା ଦେଶ ସୁରକ୍ଷା ପାଇଁ ଜରୁରୀ । ବିଭିନ୍ନ ଦେଶର ସରକାର ନିଜ ଦେଶର ଲୋକଙ୍କୁ ଟ୍ରେନିଂ ଦେବା ସହ ଶତ୍ରୁ ଦେଶକୁ ପଠାନ୍ତି । ତେବେ ଏହି ଗୁପ୍ତଚର ଧରାପଡିଲେ ସେମାନଙ୍କ ହାତ ଛାଡିଦିଅନ୍ତି ନିଜ ଦେଶ । ଯୁଦ୍ଧ ଓ କୁଟନୀତିର ଜରୁରୀ ଅଂଶ କୁହାଯାଉଥିବା ଗୁପ୍ତଚରଙ୍କୁ ନେଇ ଜେନିଭା କନଭେନସନରେ କିଛି ନିୟମ ରହିଛି । ତେବେ ତାହା କେବଳ ଯୁଦ୍ଧ ସମୟରେ ଓ ସୀମିତ ସମୟ ପାଇଁ ରହିଛି । ସେନା ୟୁନିଫର୍ମରେ କୌଣସି ଦେଶର ଯବାନ ଅନ୍ୟ ଦେଶକୁ ଯାଇ ସୂଚନା ହାତେଇବା ବେଳେ ଧରାପଡିଲେ ତାଙ୍କୁ ସୁରକ୍ଷା ମିଳେ । ହେଲେ ଗୁପ୍ତଚରଙ୍କୁ ସୁରକ୍ଷା ମିଳେନି । ସବୁ ଦେଶରେ ଗୁପ୍ତଚରଙ୍କୁ ନେଇ ଶକ୍ତ ନିୟମ ରହିଛି ।
ଧରାପଡିଲେ କ’ଣ ହୁଏ?
ଗୁପ୍ତଚର ଧରାପଡିଲେ ସେମାନଙ୍କୁ ସେଇ ଦେଶର ଆଇନ ଅନୁସାରେ ବିଚାରର ସାମନା କରିବାକୁ ପଡେ । ସେମାନଙ୍କୁ ପଚରାଉଚରା ବେଳେ ନିର୍ଯାତନାର ସାମନା କରିବାକୁ ପଡେ । ଅଧିକାଂଶ ସମୟରେ ସେମାନଙ୍କ ବିରୋଧରେ ସଂଗୀନ ମାମଲା ରୁଜୁ କରାଯାଏ । ଲମ୍ବା ସମୟ ପର୍ଯ୍ୟନ୍ତ ସେମାନଙ୍କୁ ହିରାସତରେ ରଖାଯାଏ, ଅନେକଙ୍କର ଏହି ସମୟରେ ମୃତ୍ୟୁ ବି ହୋଇଯାଏ । ଗୁପ୍ତଚର ଶତ୍ରୁ ଦେଶରେ ଧରାପଡିଲେ ନିଜ ଦେଶ ମଧ୍ୟ ତାଙ୍କୁ ଚିହ୍ନିବାକୁ ମନା କରିଦିଅନ୍ତି । କାରଣ ଗୁପ୍ତଚର ସହ ଲିଙ୍କ ମାନିଲେ ସେହି ଦେଶର କୁଟନୈତିକ କ୍ଷତି ହୋଇପାରେ । ମିଶନ ପୂ୍ର୍ବରୁ ହିଁ ଗୁପ୍ତଚରଙ୍କୁ ଏନେଇ କୁହାଯାଇଥାଏ । ସେମାନଙ୍କୁ ସେନେଇ ମାନସିକ ଭାବେ ପ୍ରସ୍ତୁତ କରାଯାଇଥାଏ । ନା ସେମାନଙ୍କ ପାଖରେ ଡିପ୍ଲୋମାଟିକ ପାସପୋର୍ଟ ଥାଏ ନା ସେମାନେ କୌଣସି ଦୂତାବାସ ସହ ସଂପର୍କିତ ଥିବା ଦେଖାନ୍ତି । ନକଲି ପରିଚୟରେ ସେମାନେ ଶତ୍ରୁଦେଶରେ ବସବାସ କରନ୍ତି । ଏହା ସହ ଏକ କାହାଣୀ ଗଢାଯାଏ, ଯାହାକୁ ଗୁପ୍ତଚର ବାରମ୍ବାର ଦୋହରାନ୍ତି ।
ପରିଚୟ ଜଣାପଡିଲେ କ’ଣ କରନ୍ତି?
କୌଣସି କାରଣରୁ ଯଦି ଗୁପ୍ତଚରଙ୍କ ପରିଚୟ ଗଣମାଧ୍ୟମରେ ଆସିଯାଏ କିମ୍ବା ଦେଶ ସହ ସଂପର୍କ ଜଣାପଡିଯାଏ, ତେବେବି ଦେଶ ବ୍ୟାକଡୋରରୁ ଦଖଲ ଦେଇପାରେ । ଭିଏନା କନଭେନସନ୍ ଅନୁସାରେ ଧରାପଡିଥିବା ବ୍ୟକ୍ତି ସାଧାରଣ ନାଗରିକ ହୋଇଥିଲେ ହିଁ ତାଙ୍କୁ ସହାୟତା କରାଯାଇପାରିବ । ତେବେ ପରଦା ପଛରୁ ଗୁପ୍ତଚରଙ୍କୁ ନେଇ ବାର୍ଗେନିଂ ହୁଏ । ଆର୍ଥିକ ସହାୟତା କିମ୍ବା କୌଣସି କଏଦୀଙ୍କୁ ଛାଡିବା ନେଇ ଡିଲ୍ ହୁଏ । ଖୁବ୍ କମ୍ ସମୟରେ ଏପରି ମାମଲା ଅନ୍ତର୍ଜାତୀୟସ୍ତରକୁ ନିଆଯାଏ । ଯେମିତି କି କୁଳଭୂଷଣ ଯାଦବଙ୍କ ମାମଲା । ୨୦୧୬ରେ ଭାରତର କୁଳଭୂଷଣଙ୍କୁ ର ଏଜେଣ୍ଟ ବୋଲି ଦାବି କରିଥିଲା ପାକିସ୍ତାନ ଆଇଏସଆଇ । ଭାରତ ତାଙ୍କୁ ସାଧାରଣ ନାଗରିକ କହିବା ସହ ସୁରକ୍ଷା ଦେବାକୁ ଉଦ୍ୟମ କରିଥିଲା । ସାଧାରଣ ଲୋକଙ୍କ ପାଇଁ କନସୁଲାର ଆକ୍ସେସ୍ ମିଳେ । ତେବେ କୁଳଭୂଷଣଙ୍କୁ ସେଭଳି ସୁବିଧା ମିଳୁନଥିବା ଭାରତ ଅଭିଯୋଗ କରିଥିଲା । ମାମଲା କୋର୍ଟରେ ପହଞ୍ଚିଥିଲା । କୋର୍ଟ ଭାରତ ସପକ୍ଷରେ କହିଥିଲେ ମଧ୍ୟ ସେଭଳି ସହାୟତା କରିନଥିଲା ।
Comments are closed.