ନୂଆଦିଲ୍ଲୀ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ। ଏହାର ସାଧାରଣ ସମୟସୀମା ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମୌସୁମୀ ଦେଶକୁ ପ୍ରବେଶ କରିବାକୁ ଯାଉଛି। ଏଥିସହିତ କେରଳରେ ଏହି ବର୍ଷ ମୌସୁମୀ ପହଞ୍ଚିବା ଗତ ୧୬ ବର୍ଷ ମଧ୍ୟରେ ସବୁଠାରୁ ଶୀଘ୍ର ପହଞ୍ଚିବ ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ।
ପାଣିପାଗ ବିଭାଗ ଅନୁଯାୟୀ, ମୌସୁମୀ ବାୟୁ ଆରମ୍ଭ ପାଇଁ ସମସ୍ତ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଏକ ନିମ୍ନ ଚାପ କ୍ଷେତ୍ର ଏବଂ ଆଗକୁ ବଢ଼ୁଥିବା ମୌସୁମୀ ପ୍ରଣାଳୀର ମିଶ୍ରଣ ଯୋଗୁଁ ଗତ ଦୁଇ ଦିନ ଧରି କେରଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।
ତେବେ ପ୍ରାୟତଃ କେରଳରେ ମୌସୁମୀ ଆସିବାର ସାଧାରଣ ତାରିଖ ହେଉଛି ଜୁନ୍ ୧। କିନ୍ତୁ ଏହି ବର୍ଷ ଗତ ୧୬ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏତେ ଜଲଦି ମୌସୁମୀର ଆଗମନ ହୋଇଛି। ଶେଷ ଥର ପାଇଁ ମୌସୁମୀ ରାଜ୍ୟରେ ଏତେ ଶୀଘ୍ର ୨୦୦୯ ଏବଂ ୨୦୦୧ ମସିହାରେ ପହଞ୍ଚିଥିଲା, ଯାହା ସେହିବର୍ଷ ମେ ୨୩ରେ କେତକ ଛୁଇଁଥିଲା। ପ୍ରଥମ ଥର ପାଇଁ ରେକର୍ଡ ଏହା ୧୯୧୮ ମସିହା ମେ ୧୧ ତାରିଖରେ ଶୀଘ୍ର ଆଗମନ ରେକର୍ଡ ହୋଇଥିଲା। ସେହିପରି, ବିଳମ୍ବରେ ଆରମ୍ଭ ହେବାର ରେକର୍ଡ ୧୯୭୨ ମସିହାରେ ଥିଲା, ଯେତେବେଳେ ମୌସୁମୀ ବର୍ଷା ଜୁନ୍ ୧୮ ତାରିଖରେ ବିଳମ୍ବିତ ପହଞ୍ଚିଥିଲା। ।
ସେପଟେ ଆସନ୍ତା ୨୯ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଶନିବାର ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା ଓ ସମ୍ବଲପୁରରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦ କି.ମି. ବେଗରେ ପବନ ବୋହିପାରେ ।
୨୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦ କି.ମି. ବେଗରେ ପବନ ବୋହିବ । ୨୭ ତାରିଖରେ କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସହିତ ୪୦ରୁ ୫୦ କି.ମି. ବେଗରେ ପବନ ହେବାର ସମ୍ଭାବନା ଅଛି । ବଜ୍ରପାତର ଆଶଙ୍କା ମଧ୍ୟ ଅଛି । ୨୮ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡିରେ ଅଧିକ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨୯ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବୋହିପାରେ ।
ଆରବସାଗର ଓ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିଥିବା ଜଳୀୟ ବାଷ୍ପ ପ୍ରଭାବରେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ବ୍ୟାପକ ବର୍ଷା ହୋଇଛି । ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଜପତି ଜିଲ୍ଲାର ଗୁମ୍ମା ଠାରେ ସର୍ବାଧିକ ୧୩୦ ମି.ମି. ବର୍ଷା ରେକର୍ଡ ହୋଇଛି । କେନ୍ଦୁଝର ଚମ୍ପୁଆରେ ୧୦୬ ମି.ମି., କୋରାପୁଟ ସେମିଳିଗୁଡ଼ାରେ ୧୦୫ ମି.ମି., ନୂଆପଡ଼ା କୋମନାରେ ୧୦୦ମି.ମି., କୋରାପୁଟ ବନ୍ଧୁଗାଁରେ ୯୫ମି.ମି., ରାୟଗଡ଼ା କାଶୀପୁରରେ ୮୮ମି.ମି., କୋରାପୁଟ ନନ୍ଦପୁରରେ ୮୫ମି.ମି., କେନ୍ଦୁଝର ତେଲକୋଇରେ ୮୧ମି.ମି., ଦିଗପହଣ୍ଡିରେ ୭୯ମି.ମି., ଗୁଣପୁରରେ ୭୩ମି.ମି., ବଲାଙ୍ଗିର ଦେଓଗାଁରେ ୭୨ମି.ମି., ଦେବଗଡ଼ରେ ୭୧.୬ମି.ମି., ରାୟଗଡ଼ା କୋତ୍ରାଗୁଡ଼ାରେ ୭୦.୪ମି.ମି., ବାଣପୁରରେ ୬୮ମି.ମି., କନ୍ଧମାଳ ରାଇକିଆରେ ୬୬.୮ମି.ମି. ଓ ମାଲକାନଗିରିର ମୈଥେଳିରେ ୬୫ ମି.ମି. ବର୍ଷା ରେକର୍ଡ ହୋଇଛି ।
Comments are closed.