Latest Odisha News

BREAKING NEWS

ବାରଙ୍ଗ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ବାରଙ୍ଗ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ । ବୃଦ୍ଧା ବାସନ୍ତୀ ବେହେରା ହତ୍ୟା ମାମଲାରେ ଗିରଫ ହେଲେ ଅଭିଯୁକ୍ତ । ଅଭିଯୁକ୍ତ ଚୋରି କରିବାକୁ ଆସି କରିଥିଲା ଏହି ହତ୍ୟାକାଣ୍ଡ । ଅଭିଯୁକ୍ତ ଜଣକ ହେଲା ଭୁବନେଶ୍ୱର ନନ୍ଦନକାନନ ଅଞ୍ଚଳର ଯମୁନା ରାଉତ । ଘଟଣା ଘଟିବା ପରେ ଏକ ସ୍ୱତନ୍ତ୍ର ଟିମର ତଦନ୍ତ ପରେ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ଗତ ୨୦ ତାରିଖରେ ଘଟିଥିଲା ଏହି ଘଟଣା । ବାରଙ୍ଗ ଥାନା ଆନନ୍ଦପୁର ଅଞ୍ଚଳରେ ଏକାକୀ ରହୁଥିଲେ ୭୫ ବର୍ଷୀୟ ବୃଦ୍ଧା ବାସନ୍ତୀ ବେହେରା । ଏକ ସିମେଣ୍ଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ ସେ । ତେବେ ଅଭିଯୁକ୍ତ ଯମୁନା ରାଉତ ବୃଦ୍ଧା ଏକାକୀ ରହୁଥିବାର ଜାଣି ୨୦ ତାରିଖ ରାତିରେ ତାଙ୍କ ଘରେ ପଶି ଲୁଟ୍ ଆରମ୍ଭ କରିଥିଲା । କିନ୍ତୁ ଘରେ ଆଲାରାମ ବାଜିବାରୁ ବୃଦ୍ଧା ଜଣଙ୍କ ଉଠି ଅଭିଯୁକ୍ତକୁ ଅଟକାଇବା ସମୟରେ ଏକ ଧାରୁଆ ଅସ୍ତ୍ରରେ ସେ ବୃଦ୍ଧାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା ।

ଠିକ ତା’ ପରଦିନ ବାସନ୍ତୀଙ୍କ ପୁଅ ଆସି ଘରେ ଡାକିବାରୁ ଘର ଭିତରେ ମାଆର ରକ୍ତ ଜୁଡୁବୁଡୁ ମରଶରୀର ପାଇଥିଲେ । ଏହାକୁ ନେଇ ସ୍ଥାନୀୟ ଥାନାରେ ଏତେଲା ଦେବା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଯେଉଁଥିରେ ସାଇବର ସେଲ୍ ଅଧିକାରୀ ଓ ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ଓ କମିଶନରେଟ୍ ପୋଲିସର ବରିଷ୍ଠ ଅଧିକାରୀ ଏଆଇ କ୍ୟାମେରା, ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତ ଯମୁନା ରାଉତକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

ପୂର୍ବରୁ ଯମୁନା ନାଁରେ କଟକ ଭୁବନେଶ୍ୱରରେ ଅନେକ ଅପରାଧିକ ମାମଲା ରହିଥିଲା ବେଳେ, ବର୍ତ୍ତମାନ ଏହି ମାମଲାରେ ତା’କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବଦେନ କରିବ ପୋଲିସ ।

Comments are closed.