ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ତୃତୀୟ ବିଶ୍ବଯୁଦ୍ଧର ଚେତାବନୀ ଦେଲେ ପୂର୍ବତନ ରୁଷ ରାଷ୍ଟ୍ରପତି । ୟୁକ୍ରେନ ସହିତ ଶାନ୍ତି ଆଲୋଚନାରେ ସାମିଲ ହେବାକୁ ମନା କରି ଭ୍ଲାଦିମିର ପୁଟିନ ନିଆଁ ସହ ଖେଳୁଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମନ୍ତବ୍ୟ ରଖିବା ପରେ, ପୂର୍ବତନ ରୁଷ ରାଷ୍ଟ୍ରପତି ତଥା ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ ଡିମିଟ୍ରି ମେଡଭେଡେବ ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ଚେତାବନୀ ଦେଇଛନ୍ତି ।
ନିଜକୁ ବିଶ୍ୱ ଶାନ୍ତି ମସିହା ଭାବରେ ପ୍ରଦର୍ଶିତ କରୁଥିବା ଟ୍ରମ୍ପଙ୍କୁ କଠୋର ଚେତାବନୀ ଦେଇ ପୂର୍ବତନ ରାଷ୍ଟ୍ରପତି କହିଛନ୍ତି, ମୁଁ କେବଳ ଗୋଟିଏ ଖରାପ ଜିନିଷ ଜାଣେ – ତୃତୀୟ ବିଶ୍ୱଯୁଦ୍ଧ। ମୁଁ ଆଶା କରୁଛି ଟ୍ରମ୍ପ ଏହା ବୁଝିପାରିବେ ।
ତେବେ ଏହି ବାକ୍ ଯୁଦ୍ଧର ଆରମ୍ଭ ସେତେବେଳେ ହୋଇଥିଲା, ପୁଟିନଙ୍କ ପ୍ରତି ଟ୍ରମ୍ପଙ୍କ ବଢ଼ୁଥିବା ନିରାଶା ସାମ୍ନାକୁ ଆସିଥିଲା ଯେତେବେଳେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିଲା, ଆଉ ଆମେରିକା ରାଷ୍ଟ୍ରପତିଙ୍କ ଯୁଦ୍ଧବିରତି ଆଲୋଚନାରେ ସାମିଲ ହେବା ପାଇଁ ବାରମ୍ବାର ଆହ୍ୱାନକୁ ନାକ ଟେକି ଦେଇଥିଲା। ଆଉ ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ସୋସିଆଲ୍ ପ୍ଲାଟଫର୍ମରେ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ପୁଟିନଙ୍କୁ ଟାର୍ଗେଟ୍ କରିଥିଲେ। ଆମେରିକା ନଥିଲେ ଋଷ ସହ ଅନେକ କିଛି ଖରାପ ହୋଇପାରିଥାନ୍ତା । ଏକଥା ପୁଟିନ ବୁଝିପାରୁନାହାନ୍ତି । ସେ ନିଆଁ ସହ ଖେଳୁଥିବା ଟ୍ରମ୍ପ ଲେଖିଥିଲେ । ଦ୍ବିତୀୟ ଥର କ୍ଷମତାକୁ ଆସିବା ପରଠୁ ଋଷ-ୟୁକ୍ରେନ୍ ଯୁଦ୍ଧ ଶେଷ କରିବାକୁ ଉଦ୍ୟମ କରୁଛନ୍ତି ଟ୍ରମ୍ପ । ଯୁଦ୍ଧ ରୋକିବାକୁ ଆଲୋଚନା ପାଇଁ ସେ ପୁଟିନଙ୍କ ସହ ଫୋନରେ ଆଲୋଚନା କରିଥିଲେ । ଏହାପରେ ଆଲୋଚନା ଆରମ୍ଭ ତ ହୋଇଛି, ହେଲେ ବେଶୀ ଆଗେଇ ପାରିନି । ତେବେ ଟ୍ରମ୍ପଙ୍କ ଏହି ପୋଷ୍ଟକୁ ନେଇ କଡା ଜବାବ ଦେଇଛି କ୍ରେମଲିନ । ତୃତୀୟ ବିଶ୍ବଯୁଦ୍ଧ ନେଇ ଇସାରା କରିଛନ୍ତି ଡିମିଟ୍ରି ମେଡଭେଡେବ । ଏହାପୂର୍ବରୁ ଅନ୍ୟ ଏକ ପୋଷ୍ଟରେ ଟ୍ରମ୍ପ ପୁଟିନଙ୍କୁ କ୍ରେଜି ବା ପାଗଳ କହିଥିଲେ । ୟୁକ୍ରେନ୍ ଉପରେ ଋଷର ବଡ଼ ଧରଣର ବିମାନ ଆକ୍ରମଣ ପରେ ଏହା କହିଥିଲେ ଟ୍ରମ୍ପ, ଯେଉଁଥିରେ ପ୍ରାୟ ୧୩ ୟୁକ୍ରେନୀୟଙ୍କ ମୃତ୍ୟୁ ହୋଇଥିଲା ।
ଅସ୍ତ୍ରବିରତି ପାଇଁ ଋଷ ସହ ବୁଝାମଣା କରିବାକୁ ଟ୍ରମ୍ପ ଜେଲେନସ୍କିଙ୍କ ଉପରେ ଚାପ ପକାଇଥିଲେ । ଋଷ କବଜା କରିଥିବା କ୍ରିମିଆ ଓ ଡୋନାବାସକୁ ଅସ୍ତ୍ରବିରତି ବୁଝାମଣା ଆଧାରରେ ଛାଡିବା ନେଇ ଟ୍ରମ୍ପ ସଂକେତ ଦେଇଥିଲେ । ଏପରିକି ହ୍ବାଇଟ୍ ହାଉସରେ ୟୁକ୍ରେନ୍ ଯୁଦ୍ଧ ଜିତିପାରିବନି ବୋଲି ଟ୍ରମ୍ପ ଜେଲେନକ୍ସିଙ୍କୁ କହିଥିଲେ । ସେପଟେ ଋଷ ଅସ୍ତ୍ରବିରତି ପାଇଁ ଦୁଇଟି ସର୍ତ୍ତରେ ଅଡି ବସିଛି। ପ୍ରଥମ ୟୁକ୍ରେନକୁ ନାଟୋ ସଦସ୍ୟତା ନମିଳୁ ଓ ଦ୍ବିତୀୟରେ କ୍ରିମିୟା ସହ ୟୁକ୍ରେନର ଦୋନୋସ୍ତକ, ଲୁହାସ୍କ, ଖେରସନ ଓ ଜାପୋରିଜ୍ଜିଆ ଉପରେ ଋଷର କବଜାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳୁ । ତେବେ ଜେଲେନସ୍କି ଋଷର ଏହି ସର୍ତ୍ତ ମାନିବାକୁ ରାଜି ନାହାନ୍ତି । କାରଣ ଏହା ୟୁକ୍ରେନର ସଂପ୍ରଭୁତା ପାଇଁ ବିପଦ ।
ସାଉଦି ଆରବରେ ୟୁକ୍ରେନ୍, ଆମେରିକା ଓ ସାଉଦି ଅଧିକାରୀଙ୍କ ମଧ୍ୟରେ ଅସ୍ତ୍ରବିରତି ନେଇ ଆଲୋଚନା ହୋଇଥିଲା । ଏଥିରେ ୩୦ ଦିନ ପାଇଁ ଅସ୍ତ୍ରବିରତି ପ୍ରସ୍ତାବ ରଖାଯାଇଥିଲା । ତେବେ ନିଜ ସର୍ତ୍ତରେ କାଏମ ରହିଥିଲା ଋଷ । ଫଳରେ ଅସ୍ତ୍ରବିରତି ଅଧାରେ ଅଟକିଛି । ସେପଟେ ଟ୍ରମ୍ପଙ୍କ ନୀତି ପାଇଁ ଡବଲ ଚ୍ୟାଲେଞ୍ଜର ସାମନା କରୁଛନ୍ତି ଜେଲେନସ୍କି । ଗୋଟେପଟେ ସେ ଋଷ ସହ ବୁଝାମଣା କରିବାକୁ ଚାହୁଁନାହାନ୍ତି, କାରଣ ସେମିତି ହେଲେ ଏହା ୟୁକ୍ରେନର ପରାଜୟ ବୋଲି କୁହାଯିବ । ଅନ୍ୟପକ୍ଷରେ ଟ୍ରମ୍ପ ପ୍ରଶାସନରୁ ସହାୟତା କମିବା ଓ ଚାପ ଯୋଗୁଁ ତାଙ୍କ ସ୍ଥିତି ଆହୁରି ଦୁର୍ବଳ ହୋଇଯାଇଛି । ୟୁରୋପ ଓ ନାଟୋରୁ ମିଳୁଥିବା ସହାୟତା ବି ଏବେ ଟ୍ରମ୍ପଙ୍କ ନୀତି ଯୋଗୁଁ ଅନିଶ୍ଚିତତା ଘେରରେ ରହିଛି ।
Comments are closed.