ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତର ଶକ୍ତି ଦେଖିଲା ସାରା ବିଶ୍ବ । ଯେଉଁଥିରେ ବିଦେଶୀ ସହ ଅଧିକାଂଶ ଅସ୍ତ୍ର ସ୍ୱଦେଶୀ ବ୍ୟବହ୍ୟତ ହୋଇଥିଲା । ଭାରତ ନିରନ୍ତର ଏହାର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିବାରେ ନିୟୋଜିତ ରହିଥିବା ବେଳେ ଅପରେସନ ସିନ୍ଦୂରରେ ତାହାର ଝଲକ ଦେଖିବାକୁ ମିଳିଥିଲା । ଏପରି ପରିସ୍ଥିତିରେ, ଭାରତର ସ୍ୱଦେଶୀ ସାମଗ୍ରୀର ଚାହିଦା ପୁଣି ଥରେ ବଢ଼ିବାରେ ଲାଗିଛି। ଭାରତ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ତିଆରି କରିବା ଦିଗରେ ମଧ୍ୟ ପ୍ରଥମ ପଦକ୍ଷେପ ନେଇଛି। ଯେଉଁଥିରେ ବ୍ୟବହୃତ କାବେରି ଇଞ୍ଜିନ୍ ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ କାବେରୀ ଇଞ୍ଜିନ୍ ଟ୍ରେଣ୍ଡ କରୁଛି।
କ’ଣ ଏହି କାବେରୀ ଇଞ୍ଜିନ୍?
ଭାରତ ବହୁତ ଦିନ ଧରି ସ୍ୱଦେଶୀ ଲଢ଼ୁଆ ଜେଟ୍ ଇଞ୍ଜିନ୍ ତିଆରି କରିବାକୁ ଚେଷ୍ଟା କରିଆସୁଛି । ଯେଉଁ ପ୍ରକଳ୍ପର ନାମ କାବେରୀ ଇଞ୍ଜିନ୍ ପ୍ରୋଜେକ୍ଟ ବୋଲି ରଖାଯାଇଛି । ଯାହା ୧୯୮୦ ଦଶକରେ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଲୋକମାନେ ଚାହୁଁଛନ୍ତି ଯେ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଉ । ଯାହାକୁ ନେଇ ଏବେ ହ୍ୟାସଟାଗ୍ ଫଣ୍ଡ କାବେରୀ ଇଞ୍ଜିନ୍(#FundKaveriengine) ଟ୍ରେଣ୍ଡ କରୁଛି । ଏଥିରେ ଲୋକମାନେ ମୋଦି ସରକାରଙ୍କୁ କାବେରୀ ଇଞ୍ଜିନ୍ ପାଇଁ ପାଣ୍ଠି ଯୋଗାଇବାକୁ ନିବେଦନ କରିଛନ୍ତି ଏବଂ ଏହାକୁ ନେଇ ଯଥା ଶୀଘ୍ର ଭାରତ ଯୁଦ୍ଧ ବିମାନ ଇଞ୍ଜିନ୍ ତିଆରି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଉଚିତ ବୋଲି ମତ ରଖିଛନ୍ତି ।
ତେବେ କାବେରୀ ହେଉଛି ସେହି ପ୍ରକଳ୍ପର ନାମ ଯାହାକୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଭାରତ ପାଇଁ ବିକଶିତ କରୁଛି। ଡିଆରଡିଓର ଜିଟିଆରଇ ଲ୍ୟାବ ଏହାକୁ ତିଆରି କରୁଛି। ଏହି ପ୍ରକଳ୍ପ ଉପରେ କାମ ବହୁତ ଦିନ ଧରି ଚାଲିଛି। ଯାହାକି ପ୍ରାୟ ୧୯୮୦ ଦଶକରୁ ଆରମ୍ଭ ହେଲାଣି । ଏହାର ଲକ୍ଷ୍ୟ ରହିଛି ଯେ, 81-83 kN ଥ୍ରଷ୍ଟ ସହିତ ଏକ ଟର୍ବୋଫ୍ୟାନ ଇଞ୍ଜିନ ବିକଶିତ କରିବା । ପ୍ରଥମତଃ, ଏହି ଇଞ୍ଜିନକୁ ଲଢ଼ୁଆ ବିମାନ ଏଲସିଏ ତେଜସରେ ସ୍ଥାପନ କରାଯିବ, କିନ୍ତୁ ପ୍ରକଳ୍ପ ବିଳମ୍ବ ହେବା ପରେ, ଏହାକୁ ତେଜସ କାର୍ଯ୍ୟକ୍ରମରୁ ଅଲଗା କରିଦିଆଯାଇଥିଲା।
ପରେ କାବେରୀ ଇଞ୍ଜିନ ପ୍ରକଳ୍ପକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା । ଯାନ୍ତ୍ରିକ ଚ୍ୟାଲେଞ୍ଜ, ସାମଗ୍ରୀର ଅଭାବ ଏବଂ ପାଣ୍ଠିର ଅଭାବ ଯୋଗୁଁ ଏହି ପ୍ରକଳ୍ପ ପଛରେ ପଡ଼ିଯାଇଥିଲା। କେବଳ ଏତିକି ନୁହେଁ, ଯେତେବେଳେ ଭାରତ ୧୯୯୮ ମସିହାରେ ପରମାଣୁ ପରୀକ୍ଷଣ କରିଥିଲା, ସେତେବେଳେ ବିଶ୍ୱର କିଛି ଦେଶ ଭାରତକୁ ଲଢ଼ୁଆ ବିମାନର ସମ୍ବେଦନଶୀଳ ପ୍ରଯୁକ୍ତିବିଦ୍ୟା ଦେବାକୁ ମନା କରିଦେଇଥିଲେ। ଯେତେ ଅସୁବିଧା ଆସିଲେ ମଧ୍ୟ, କାବେରୀ ଇଞ୍ଜିନ ପ୍ରକଳ୍ପକୁ କେବେ ବନ୍ଦ କରାଯାଇ ନଥିଲା। ହେଲଷ ଡିଆରଡିଓ ଏବେ ଏହାକୁ ମାନବହୀନ ବାୟୁ ଯାନ, ଘାତକ ବାୟୁ ଯାନ ଏବଂ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ପାଇଁ ପ୍ରସ୍ତୁତ କରୁଛି। ସମ୍ପ୍ରତି ଜିଟିଆରଇ ଏହାର ପରୀକ୍ଷଣରେ ମଧ୍ୟ ଏହି ସଫଳତା ପାଇଛି। ଏହି ଇଞ୍ଜିନ ଶୁଷ୍କ ଭାରିଆଣ୍ଟରେ ପୂର୍ବ ସମସ୍ତ ଚ୍ୟାଲେଞ୍ଜକୁ ଅତିକ୍ରମ କରିଛି। କାବେରୀ ଇଞ୍ଜିନକୁ କଷ୍ଟକର ପରୀକ୍ଷଣର ସମ୍ମୁଖୀନ କରାଯାଇଥିଲା ଏବଂ ଇଞ୍ଜିନଟି ଉତ୍କୃଷ୍ଟ ଫଳାଫଳ ଦେଇଥିଲା । ତେବେ କାବେରୀ ଇଞ୍ଜିନ୍ ପ୍ରକଳ୍ପ ବିଭିନ୍ନ ଚ୍ୟାଲେଞ୍ଜ ଯୋଗୁଁ ବିଳମ୍ବ ଏବଂ ବିଫଳତାର ସମ୍ମୁଖୀନ ହୋଇଛି। ଏଥିରେ ଆରମ୍ଭରୁ ବାୟୁତାପୀୟ ଗତିଶୀଳତା, ଧାତୁ ବିଜ୍ଞାନ ଏବଂ ନିୟନ୍ତ୍ରଣ ପ୍ରଣାଳୀ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟା ବିକାଶ କରିବାରେ ଅସୁବିଧା ଅନ୍ତର୍ଭୁକ୍ତ। ପାଶ୍ଚାତ୍ୟ ପ୍ରତିବନ୍ଧକଗୁଡ଼ିକ ସିଙ୍ଗଲ୍-କ୍ରିଷ୍ଟାଲ୍ ବ୍ଲେଡ୍ ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀକୁ ମନା କରିଥିଲା, ଯେତେବେଳେ ଭାରତରେ ଦକ୍ଷ ମାନବସମ୍ବଳ ଏବଂ ଉଚ୍ଚ-ଉଚ୍ଚତା ପରୀକ୍ଷଣ ସୁବିଧାର ଅଭାବ ଥିଲା, ଯାହା ଫଳରେ ଏହାକୁ ରୁଷର CIAM ଭଳି ବିଦେଶୀ ସେଟଅପ୍ ଉପରେ ନିର୍ଭର କରିବାକୁ ପଡିଲା।
କାହିଁକି କାବେରୀ ଇଞ୍ଜିନ୍ ଗୁରୁତ୍ବପୂର୍ଣ୍ଣ?
କାବେରୀ ଇଞ୍ଜିନର ଉଚ୍ଚ ତାପମାତ୍ରା ଏବଂ ଉଚ୍ଚ ଗତି ପରିସ୍ଥିତିରେ ଥ୍ରଷ୍ଟ କ୍ଷତି ହ୍ରାସ କରିବା ପାଇଁ ଏକ ଫ୍ଲାଟ-ରେଟେଡ୍ ଡିଜାଇନ୍ ରହିଛି । ଏହାର ଦ୍ୱୈତ-ଲେନ୍ ଫୁଲ୍ ଅଥରିଟି ଡିଜିଟାଲ୍ ଇଞ୍ଜିନ୍ କଣ୍ଟ୍ରୋଲ୍ (FADEC) ସିଷ୍ଟମ୍ ସଠିକ୍ ନିୟନ୍ତ୍ରଣ ସୁନିଶ୍ଚିତ କରେ, ଏବଂ ଅଧିକ ନିର୍ଭରଯୋଗ୍ୟତା ପାଇଁ ମାନୁଆଲ୍ ବ୍ୟାକଅପ୍ ମଧ୍ୟ ସୁନିଶ୍ଚିତ କରେ। ଏହି ଡିଜାଇନ୍ ଇଞ୍ଜିନକୁ ବିଭିନ୍ନ କାର୍ଯ୍ୟକ୍ଷମ ପରିସ୍ଥିତିରେ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ବଜାୟ ରଖିବାକୁ ସକ୍ଷମ କରେ । ଯାହା ଯୁଦ୍ଧ ସ୍ଥିତିରେ ଏକ ମଡ୍ୟୁଲାର କାର୍ଯ୍ୟଦକ୍ଷତା ଯୋଗାଇଥାଏ ।
କାବେରୀ ଇଞ୍ଜିନ୍ ପ୍ରକଳ୍ପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ କାରଣ ଯଦି ଭବିଷ୍ୟତରେ କାବେରୀ ଇଞ୍ଜିନ ଏହାର ପୂର୍ଣ୍ଣ ଥ୍ରଷ୍ଟ ଲକ୍ଷ୍ୟ ହାସଲ କରେ, ତେବେ ଏହା ରାଫେଲ ପରି ଯୁଦ୍ଧ ବିମାନ ପାଇଁ ଏକ ବିକଳ୍ପ ହୋଇପାରିବ। ଏହି ଇଞ୍ଜିନକୁ ୫୫ ରୁ ୫୮ kN ମଧ୍ୟରେ ଥ୍ରଷ୍ଟ ଉତ୍ପାଦନ କରିବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହାକୁ ୯୦ kN ପର୍ଯ୍ୟନ୍ତ ନେବାର ଆଶା କରାଯାଉଛି। ଯଦି ଏହା ହୁଏ, ତେବେ ଭାରତ ୫ମ ପିଢ଼ିର ଯୁଦ୍ଧ ବିମାନର ଉତ୍ପାଦନକୁ ତ୍ୱରାନ୍ୱିତ କରିପାରିବ । ଯାହା କେବଳ ଶତ୍ରୁ ଦେଶ ପାକିସ୍ତାନ ଏବଂ ଚୀନର ନିଦ ହଜାଇବ ନାହିଁ ବରଂ ଆମେରିକା, ରୁଷ ଏବଂ ଫ୍ରାନ୍ସ ଭଳି ଦେଶ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ କରିବ।
Comments are closed.