Latest Odisha News

BREAKING NEWS

ନିଶା ଖାଇ ଟ୍ରମ୍ପଙ୍କୁ ପରାମର୍ଶ ଦିଅନ୍ତି ମସ୍କ!

ନୂଆଦିଲ୍ଲୀ: ଟ୍ରମ୍ପ ସରକାରରୁ ବିଦାୟ ନେଇଛନ୍ତି ଆମେରିକାର କୋଟିପତି ତଥା ଟେସଲା ମାଲିକ ଏଲୋନ୍ ମସ୍କ । ଏନେଇ ଗତକାଲି ସେ ବିଧିବଦ୍ଧ ଭାବେ ହ୍ବାଇଟ୍ ହାଇସରେ ନିଜର ବିଦାୟୀ ଭାଷଣ ଦେଇ ଟ୍ରମ୍ପ ସରକାରରୁ ଓହରିଛନ୍ତି । ହେଲେ ଏହାରି ଭିତରେ ମସ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛି ନ୍ୟୁୟର୍କ ଟାଇମ୍ସ । ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଅଭିଯୋଗ କରାଯାଇଛି ଯେ ଏଲୋନ୍ ମସ୍କ କେଟାମାଇନ୍, ଏକ୍ସଟାସି ଭଳି ଅନେକ ଡ୍ରଗ୍ସ ବ୍ୟବହାର କରନ୍ତି ।  ମସ୍କ ଡିଓଜିଇର କାର୍ଯ୍ୟକାଳ ସମୟରେ ଅନିୟମିତ ଭାବରେ ଆଚରଣ କରିଥିଲେ ଏବଂ କିଛି ଅଧିକାରୀଙ୍କ ସହ ସଂଘର୍ଷ କରିଥିଲେ ବୋଲି ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦାବି କରାଯାଇଛି । ଯାହାକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ମସ୍କ । ଶୁକ୍ରବାର ହ୍ୱାଇଟ୍ ହାଉସ ଭାଷଣରେ ଅଭିଯୋଗକୁ ଏଡାଇବା ସହ ଗଣମାଧ୍ୟମକୁ ବିଭ୍ରାନ୍ତ ଖବର ପାଇଁ ସମୋଲୋଚନା କରିଛନ୍ତି ।

ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ଅଂଶ ଭାବରେ ଟେକ୍ ଟାଇଟାନ୍ ଏଲୋନ୍ ମସ୍କଙ୍କ ବିବାଦୀୟ କାର୍ଯ୍ୟକାଳ ସରକାରୀ ଦକ୍ଷତା ବିଭାଗରେ କାମ କରୁଥିବା ବେଳେ ବାରମ୍ବାର ନିଶା ବ୍ୟବହାର ଏବଂ ଅନିୟମିତ ଆଚରଣ କରିଥିବା ଅଭିଯୋଗ ହୋଇଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ମସ୍କ ନିୟମିତ ଭାବରେ କେଟାମାଇନ୍, ଏକ୍ସଟାସି ଏବଂ ସାଇକେଡେଲିକ୍ ମସରୁମ୍ ସେବନ କରୁଥିଲେ, ଯାହା ତାଙ୍କ ସରକାରୀ ପରାମର୍ଶଦାତା ଭୂମିକାକୁ ନେଇ ସତର୍କତା ସୃଷ୍ଟି କରିଥିଲା। ତଥାପି, ହ୍ୱାଇଟ୍ ହାଉସରେ ତାଙ୍କ ବିଦାୟୀ ଭାଷଣ ସମୟରେ, ଟ୍ରମ୍ପ ତାଙ୍କ ପାଖରେ ଥିଲେ । ଆଉ ଟେସଲା ସିଇଓ ଏଭଳି ପ୍ରକାଶନକୁ କଡା ଟାର୍ଗେଟ କରି ଏଡଶଇ ଦେଇଥିଲେ ।

ଯେତେବେଳେ ଫକ୍ସ ନ୍ୟୁଜର ପିଟର୍ ଡୁସି, ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ବିଷୟରେ ମସ୍କଙ୍କୁ ପଚାରିଲେ, ସେତେବେଳେ ମସ୍କ ଏକ କ୍ରୋଧ କଣ୍ଠରେ କହିଥିଲେ, ନ୍ୟୁୟର୍କ ଟାଇମ୍ସ କ’ଣ ସେହି ପ୍ରକାଶନ ଯାହାକୁ ରୁଷ-ଗେଟ୍ ଉପରେ ମିଥ୍ୟା ରିପୋର୍ଟିଂ ପାଇଁ ପୁଲିଜର୍ ପୁରସ୍କାର ମିଳିଥିଲା? ଏହା କ’ଣ ସମାନ ସଂଗଠନ? ମୁଁ ଭାବୁଛି ଏଇଟା ସେଇ । ଆଉ ପୁଣି ଥରେ ଟ୍ରମ୍ପଙ୍କ ଆଡୁ ମୁହଁ ଫେରାଇ ସେ ପୁଣି କହିଲେ, ମୁଁ ଭାବୁଛି ଏଟା ସେଇ ସଂଗଠନ ।

ମୁଁ ଭାବୁଛି ବିଚାରପତି ନ୍ୟୁୟର୍କ ଟାଇମ୍ସ ବିରୁଦ୍ଧରେ ରୁଷିଆ-ଗେଟ୍ ଠକେଇ ବିଷୟରେ ମିଛ ପାଇଁ ରାୟ ଦେଇଛନ୍ତି ଏବଂ ସେମାନଙ୍କୁ ସେମାନଙ୍କର ପୁଲିଜର୍ ପୁରସ୍କାର ଫେରାଇବାକୁ ପଡ଼ିପାରେ। ସେହି ନ୍ୟୁୟର୍କ ଟାଇମ୍ସ, ଆସନ୍ତୁ ଆଗକୁ ବଢ଼ିବା ବୋଲି କହି କଥାକୁ ଏଡାଇ ଦେଇଥିଲେ ମସ୍କ ।

ଏହା ବ୍ୟତୀତ, ଯେତେବେଳେ ହ୍ୱାଇଟ୍ ହାଉସ୍ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟିଫେନ୍ ମିଲରଙ୍କୁ ମସ୍କଙ୍କ ଡ୍ରଗ୍ ବ୍ୟବହାର ସମ୍ପର୍କରେ ଚିନ୍ତା ବିଷୟରେ ପଚାରିଥିଲେ, ସେ ବିଷୟକୁ ଏଡ଼ାଇ ଯାଇ କହିଲେ, ଆମେ ଯେଉଁ ଡ୍ରଗ୍ସ ବିଷୟରେ ଚିନ୍ତିତ ତାହା ହେଉଛି ଦକ୍ଷିଣ ସୀମା ପାର ହୋଇ ଆସୁଥିବା ଡ୍ରଗ୍ସ । ଏହାପରେ ସେ ପରବର୍ତ୍ତୀ ପ୍ରଶ୍ନ ପଚାରିବା ପାଇଁ କହିଥିଲେ ।

ତେବେ କହିରଖୁଛୁ, ମସ୍କ ୨୦୨୪ରେ ସାମ୍ବାଦିକ ଡନ୍ ଲେମନଙ୍କ ସହ ଏକ ସାକ୍ଷାତକାରରେ ସାବର୍ବଜନୀନ ଭାବେ ଦାବି କରିଥିଲେ ଯେ, ସେ କେବଳ ପ୍ରତି ଦୁଇ ସପ୍ତାହରେ ଖୁବ୍ କମ୍ ମାତ୍ରାରେ କେଟାମାଇନ୍ ନିଅନ୍ତି । ହେଲେ ଏହାକୁ ନେଇ ତାଙ୍କ ପାଖ ଲୋକ କୁହନ୍ତି, ସେ ପ୍ରାୟତଃ ଏହା ବ୍ୟବହାର କରନ୍ତି । କେତେକ ସମୟରେ ଦୈନ୍ୟନ୍ଦିନ ଭାବେ ଗ୍ରହଣ କରନ୍ତି, ଯାହା ତାଙ୍କର ମୂତ୍ରାଶୟ ସମସ୍ୟା ସୃଷ୍ଟି କରୁଥିଲା ।

ରିପୋର୍ଟ ଅନୁଯାୟୀ, ମସ୍କଙ୍କ ଦୈନିକ ଔଷଧ ବାକ୍ସରେ ପ୍ରାୟ ୨୦ଟି ବଟିକା ରହିଥାଏ, ଯେଉଁଥିରେ ଆଡେରାଲ ମଧ୍ୟ ସାମିଲ ଥିଲା, ଯାହା ଟ୍ରମ୍ପଙ୍କ ପ୍ରଚାର ପାଇଁ ୨୭୫ ନିୟୁତ ଡଲାର ଦାନ କରିବା ଏବଂ ପ୍ରଶାସନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସମୟରେ ତାଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ବିଷୟରେ ଚିନ୍ତାକୁ ବୃଦ୍ଧି କରିଥିଲା।

Comments are closed.