କେନ୍ଦ୍ରାପଡ଼ା: ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଶଂସିତ ହୋଇଥିବା କେନ୍ଦ୍ରାପଡାର କମଳା ମହାରଣା ତଥା ସମସ୍ତଙ୍କର ପ୍ରିୟ ଜରି ମାଉସୀଙ୍କର ପରଲୋକ ଘଟିଛି । ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ ।
ବାହାରେ ଫୋପାଡି ଦିଆଯାଉଥିବା ଅଦରକାରୀ ପଲିଥିନ ଓ ବର୍ଜ୍ୟବସ୍ତୁରୁ ସେ ଦରକାରୀ ସାମଗ୍ରୀ ପ୍ରସ୍ତୁତ କରୁଥିଲେ । ଯାହାକୁ ନେଇ ସେ ସମଗ୍ର ଦେଶରେ ଚର୍ଚ୍ଚାରେ ରହିଥିଲେ । ଏହି ବର୍ଜ୍ୟବସ୍ତୁରୁ ଶିଳ୍ପ କଳାକୁ ନେଇ ୯୮ତମ ମନ୍ କି ବାତ ରେ କମଳାଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ବୋଲି କହି ତାଙ୍କୁ ଅବିହିତ କରିଥିଲେ ।
କମଳାଙ୍କ କାମକୁ ପ୍ରଶଂସା କରି ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ପରେଡ଼ ଦେଖିବା ପାଇଁ ଦିଲ୍ଲୀ ଡାକରା ଆସିଥିଲା । ତେବେ ପ୍ରଥମେ ସେ ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅସୁସ୍ଥତା କାରଣରୁ ଯାଇ ପାରିନଥିଲେ ।
ସେହିପରି ଗତ ସାଧାରଣ ନିର୍ବାଚନର ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମଳାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । କମଳା ଗହ୍ମାପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କୁ ଜରିରେ ନିର୍ମିତ ରାକ୍ଷୀ ପଠାଇଥିଲେ । ନିକଟରେ ‘ଅପରେଶନ ସିନ୍ଦୂର’ ସମୟରେ ଦେଶର ୩ ସେନାଧ୍ୟକ୍ଷଙ୍କ ପାଇଁ ଜରି ତିଆରି ଟୋପି ପଠାଇ ବେଶ ଚର୍ଚ୍ଚାରେ ରହିଥିଲେ କମଳା ମାଉସୀ ।
‘ଜରି ମାଉସୀ’ଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ସୋସିଆଲ୍ ମିଡିଆ ଏକ୍ସରେ ଶୋକପ୍ରକାଶ କରିବା ସହ କମଳାଙ୍କ ଅବଦାନକୁ ମନେ ପକାଇଛନ୍ତି ବୈଜୟନ୍ତ । ତାଙ୍କ ମହତ୍ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା ସହ ସମ୍ମାନ ଜଣାଇଥିଲେ ବୋଲି କହିବା ସହ ତାଙ୍କ ଆତ୍ମାର ସଦଗତି କାମନା କରି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ ।
ମହିଳା ସଶକ୍ତିକରଣର ଅନନ୍ୟ ପ୍ରତୀକ 'ଜରି ମାଉସୀ' ଭାବେ ଘରେ ଘରେ ପରିଚିତ କେନ୍ଦ୍ରାପଡ଼ାର ଶ୍ରୀମତୀ କମଳା ମହାରଣାଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ । ଅଳିଆରୁ ଅଦରକାରୀ ଜରି ସାଉଁଟି ପରିବେଶ ସୁରକ୍ଷା କରି #SwachhBharat ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଦେବା ସହ ସେହି ଜରିରୁ ସୁନ୍ଦର ଘରୋଇ ଉପକରଣ… pic.twitter.com/M8HEGYug0q
— Baijayant Jay Panda (@PandaJay) June 1, 2025
ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।
Comments are closed.