ଅହମ୍ମଦାବାଦ: ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ । ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ମୁମ୍ବାଇକୁ ପଞ୍ଜାବ ୫ ୱିକେଟରେ ପରାସ୍ତ କରିଥିଲା । ଶ୍ରେୟାଶ ୪୧ ବଲରେ ୮୭ ରନର ମ୍ୟାଚବିଜୟୀ ଇନିଂସ ଖେଳିଥିଲେ । ଏଥିସହ ଶ୍ରେୟାଶ ଆଇପିଏଲ ଇତିହାସରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ପ୍ରଥମ ଅଧିନାୟକ ଭାବେ ୩ଟି ଟିମକୁ ଫାଇନାଲରେ ପଂହଚାଇବାରେ ସଫଳ ହୋଇଛନ୍ତି । ପୂର୍ବରୁ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ୨୦୨୪ରେ କୋଲକାତାକୁ ଫାଇନାଲରେ ପଂହଚାଇଥିଲେ । କେକେଆର ଗତ ସଂସ୍କରଣରେ ତାଙ୍କ ନେତୃତ୍ୱରେ ଚାମ୍ପିୟନ ହୋଇଥିଲା । ଏଥର ଆଇପିଏଲକୁ ନୂଆ ଚାମ୍ପିୟନ ମିଳିବାକୁ ଯାଉଛିି । ପଞ୍ଜାବ କିମ୍ବା ବେଙ୍ଗାଲୁର ପୂର୍ବରୁ ଟାଇଟଲ ହାସଲ କରିପାରି ନାହାନ୍ତି ।
୨୦୨୫ ବ୍ୟତୀତ ୨୦୧୧, ୨୦୧୩, ୨୦୧୪, ୨୦୧୫, ୨୦୧୭, ୨୦୧୮, ୨୦୧୯, ୨୦୨୦, ୨୦୨୨, ୨୦୨୩ ଓ ୨୦୨୪ରେ କ୍ୱାଲିଫାୟର ୧ ଖେଳିଥିବା ଟିମ ଫାଇନାଲରେ ପରସ୍ପରକୁ ଭେଟିଛନ୍ତି । ୨୦୧୧ରେ ଆରସିବିକୁ ଚେନ୍ନାଇ ହରାଇ ଚାମ୍ପିୟନ ହୋଇଥିବା ବେଳେ ୨୦୧୩ରେ ଚେନ୍ନାଇକୁ ହରାଇ ମୁମ୍ବାଇ, ୨୦୧୪ରେ ପଞ୍ଜାବକୁ ହରାଇ କୋଲକାତା, ୨୦୧୫ରେ ଚେନ୍ନାଇକୁ ହରାଇ ମୁମ୍ବାଇ, ୨୦୧୭ରେ ଆରcପିଏସକୁ ହରାଇ ମୁମ୍ବାଇ, ୨୦୧୮ରେ ହାଇଦ୍ରାବାଦକୁ ହରାଇ ଚେନ୍ନାଇ, ୨୦୧୯ରେ ଚେନ୍ନାଇକୁ ହରାଇ ମୁମ୍ବାଇ, ୨୦୨୦ରେ ଦିଲ୍ଲୀକୁ ହରାଇ ମୁମ୍ବାଇ, ୨୦୨୨ରେ ରାଜସ୍ଥାନକୁ ହରାଇ ଗୁଜରାଟ ଓ ୨୦୨୪ରେ ହାଇଦ୍ରାବାଦକୁ ହରାଇ କେକେଆର ଚାମ୍ପିୟନ ହୋଇଛି ।
Comments are closed.