ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ, ସ୍ଵାସ୍ଥ୍ୟ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଂସଦ, ବିଧାୟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଏସପି ଯୋଗ ଦେଇଥିଲେ । ଜୁନ୍ ୨୬ ରୁ ୯ ଜୁଲାଇ ପର୍ଯ୍ୟନ୍ତ ପୁରୀ ପୌରାଞ୍ଚଳରେ ବ୍ୟକ୍ତିଙ୍କ ପିଛା ୫ ଲକ୍ଷ ଟଙ୍କାର ବୀମା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ ସୂଚନା ଦେଇଛନ୍ତି ।
ପଶ୍ଚିମ ଦ୍ଵାର ଦେଇ ପୁରୀ ବାସୀଙ୍କୁ ଛାଡ଼ିବା ଓ ଗୁଣ୍ଡିଚା ମନ୍ଦିରରେ ପୁରୀ ବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ପୁରୀ ବିଧାୟକ ସୁନୀଲ ମହାନ୍ତି ପ୍ରସ୍ତାବ ଦେଇଥିଲେ । ଚଳିତ ବର୍ଷ ଢେଙ୍କାନାଳରୁ ୨୧ ଓ ବରଗଡ଼ରୁ ୧୯ ଜଣ ଫାଶୀ କାଠ ଦାନ କରିଛନ୍ତି । ଖୋର୍ଦ୍ଧା ଓ ନୟାଗଡ଼ ବନଖଣ୍ଡ ସହ ରାଜ୍ୟର ୮ଟି ଡିଭିଜନରୁ ଚଳିତ ବର୍ଷ ୮୧୫ ଖଣ୍ଡ କାଠ ଆସିଛି । ତାମିଲନାଡୁରୁ ଗ୍ରେଡ ଏ ମାନର ଚନ୍ଦନ କାଠ ଆସିଛି । ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ଓ ନବୀକରଣ କରାଯାଇଛି । ରଥଯାତ୍ରା ଅବକାଶରେ କୋଭିଡ ପାଇଁ ବ୍ୟସ୍ତ ହେବାର ନାହିଁ l ଲୋ ଭାରିଆଣ୍ଟର କୋଭିଡ ଥିବାରୁ ଏହା ବ୍ୟାପିବାର ଆଶଙ୍କା କମ l ରାଜ୍ୟରେ ସମୁଦାୟ 49ଟି ରୋଗୀ ଚିହ୍ନଟ ହୋଇଥିବା ବେଳେ ମାତ୍ର 34 ଟି ଆକ୍ଟିଭ କେସ ରହିଛି l ଥଣ୍ଡା, କାଶ ଲକ୍ଷଣ ଥିବାଲୋକ ଗହଳିକୁ ଯାଆନ୍ତୁ ନାହିଁ l ରଥଯାତ୍ରାକୁ ଆସୁଥିବା ଭକ୍ତଙ୍କୁ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ l
ରଥଯାତ୍ରା ସମୟରେ ଆମ୍ବୁଲାନ୍ସ କରିଡ଼ର ହେବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସଦର ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ ଶଯ୍ୟାର ବ୍ୟବସ୍ଥା ହେବ । ରଥଯାତ୍ରାରେ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ୨୦ ଲକ୍ଷ ପାଣି ବୋତଲ ଓ ପାଉଚ୍ ର ବ୍ୟବସ୍ଥା କରାଯାଇଛି । ସହରରେ ୯୦ ପ୍ରତିଶତ ଡ୍ରେନ ସଫେଇ କାମ ସରିଛି । ପ୍ରତ୍ୟେକ ସାହି ଗଳି କନ୍ଦିରେ ରାସ୍ତାଘାଟ ମରାମତି, ମଶା ଧୁଆଁ ସ୍ପ୍ରେ, ଷ୍ଟ୍ରିଟ୍ ଲାଇଟ୍ ମରାମତି ବ୍ୟବସ୍ଥା କରିବାକୁ ଆଇନ ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ନିର୍ଦ୍ଧେଶ ଦିଆଯାଇଛି । ତାଳବଣିଆରେ ମାଷ୍ଟର କଣ୍ଟ୍ରୋଲ ରୁମ୍ କରାଯିବ । ସହରର ବିଭିନ୍ନ ସ୍ଥାନରେ ୧୮ଟି ପାର୍କିଂ ସ୍ଥାନ ସହ ୧୪ଟି ବର୍ଷା ଜଳ ଜମି ରହୁଥିବା ସ୍ଥାନରେ ୩୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ମୁତୟନ ରହିବ । ମାଳତୀପାଟପୁରରେ ଟୁରିଷ୍ଟ ବସ ଓ ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ଯାତ୍ରୀବାହୀ ବସ ତାଳବଣିଆରେ ପାର୍କିଂ କରାହେବ ।
ରଥଯାତ୍ରା ସମୟରେ ବିଭିନ୍ନ ପାର୍କିଂ ସ୍ଥାନରୁ ମାଗଣା ଅଟୋ ସେବା ଯୋଗାଯିବ । ସବୁ ବସରେ ରହିବ ରେଟ୍ ଚାର୍ଟ । ରଥଯାତ୍ରା ସମୟରେ ୩୬୫ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବା ସହ ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟର, ୧୦ଟି ଏଟିଭି ମେସିନର ବ୍ୟବସ୍ଥା କରାଯିବ । ରଥଯାତ୍ରା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି । ବଡ଼ଦାଣ୍ଡର ଉଭୟ ପାର୍ଶ୍ବ ଓ ଜନଗହଳିପୂର୍ଣ୍ଣ ସ୍ଥାନ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସହ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଦୁର୍ଘଟଣା ରୋକିବା ପାଇଁ ଇଣ୍ଟରସେପ୍ଟର, ୧୧ଟି କ୍ରେନ୍ ନିୟୋଜିତ ହେବ । ଟ୍ରେନ୍ ସୂଚନା ପ୍ରଦାନ ପାଇଁ ଭିଡି ୱାଲ୍ ବ୍ୟବସ୍ଥା ହେବ।ବଡ଼ଦାଣ୍ଡରେ ବିପଦ ଶଙ୍କୁଳ କୋଠା ଚିହ୍ନଟ କରାଯାଇଛି । ଖରା ଓ ଗୁଳୁଗୁଳି ପାଇଁ ଅଧିକ ସ୍ପ୍ରୀପଙ୍କଲର ଓ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ହେବେ । ଶାନ୍ତି ଶୃଙ୍ଖଳା ରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ପାଇଁ ପ୍ରତିବର୍ଷ ପରି ପର୍ଯ୍ୟାପ୍ତ ପୋଲିସ ମୁତୟନ ହେବେ । ରଥଯାତ୍ରା ସହ ଜଡ଼ିତ ବିଭାଗ ଗୁଡିକ ୮୦ ପ୍ରତିଶତ କାମ ଶେଷ କରିଛନ୍ତି । ଅବଶିଷ୍ଟ କାର୍ଯ୍ୟ ତ୍ୱରାନ୍ୱିତ କରି ରଥଯାତ୍ରା ପୂର୍ବରୁ କାମ ଶେଷ କରିବାକୁ ଆଇନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗୁଣ୍ଡିଚା ମନ୍ଦିର ଅଞ୍ଚଳରୁ ପଲ୍ଲୀଶ୍ରୀ ମେଳା ସମୁଦ୍ରକୂଳ ସ୍ଥାନାନ୍ତର ନେଇ ପୁନଃ ବିଚାର ଓ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି।
ପ୍ରଥମ ସମନ୍ୱୟ ବୈଠକରେ ବିଭାଗ ଗୁଡିକ ଦେଇଥିବା ପ୍ରତିଶୃତି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଆରଡିସି ଓ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ସେବାୟତ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି,ବରିଷ୍ଠ ଓ ସଚେତନ ନାଗରିକ ଉପସ୍ଥିତ ଥିଲେ।
Comments are closed.