Latest Odisha News

BREAKING NEWS

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ବର ଶାଖାର ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କ ଜାମିନ ଆବେଦନ ଖାରଜ । ସ୍ୱତନ୍ତ୍ର ସିବିଆଇ କୋର୍ଟ ଚିନ୍ତନ ରଘୁବଂଶୀଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି I ଗତ ମେ’ ମାସ ୩୦ ତାରିଖ ଦିନ ଖଣି ବ୍ୟବସାୟଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ି ଜେଲ୍‌ ଯାଇଥିଲେ ଚିନ୍ତନ ।

ଏହି ଖଣିଜନିତ ମାମଲା ରଫାଦଫା ପାଇଁ ଢେଙ୍କାନାଳର ଖଣି ବ୍ୟବସାୟୀ ରୋହିତ ରଞ୍ଜନ ରାଉତଙ୍କ ଠାରୁ ଚିନ୍ତନ ରଘୁବଂଶୀ ପ୍ରଥମେ ୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ଏତେ ପରିମାଣର ଟଙ୍କା ସେ ଦେଇପାରିବେ ନାହିଁ ବୋଲି କହିବା ପରେ ୨ କୋଟି ଟଙ୍କାରେ ଡିଲ୍‌ ଫାଇନାଲ ହୋଇଥିଲା । ଏନେଇ ରୋହିତ ସିବିଆଇର ଦ୍ବାରସ୍ଥ ହୋଇଥିଲେ ।

ପୂର୍ବ ଯୋଜନା ଅନୁଯାୟୀ, ଗତ ମେ ୩୦ ତାରିଖ ସନ୍ଧ୍ୟା ଚିନ୍ତନ ରଘୁବଂଶୀ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇର ଅଧିକାରୀମାନେ ଅତର୍କିତ ଚଢ଼ାଉ କରିଥିଲେ । ଲାଞ୍ଚ ଟଙ୍କା ସମ୍ପର୍କରେ ସେ ସ୍ପଷ୍ଟ ସୂଚନା ଦେଇ ନପାରିବାରୁ ପଟିଆସ୍ଥିତ ଆପାର୍ଟମେଣ୍ଟରୁ ତାଙ୍କୁ ଗିରଫ କରିଥିଲେ । ଘଟଣାସ୍ଥଳରୁ ନଗଦ ୨୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଗିରଫ ପରେ ଚିନ୍ତନ ରଘୁବଂଶୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି । କୋର୍ଟରେ ମାମଲା ବିଚାରାଧୀନ ରହିଛି ।

Comments are closed.