ଭୁବନେଶ୍ୱର: ରାଜଧାନୀକୁ ହଇଜା ଭୟ। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆକ୍ସନ ମୋଡରେ ବିଏମସି। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ, ଢାବା, ଫାଷ୍ଟଫୁଡ୍ ଦୋକାନରେ ଚଢ଼ଉ ଚାଲିଛି।
ବିଭିନ୍ନ ହୋଟେଲରେ ବିଏମସି ପକ୍ଷରୁ ଯାଞ୍ଚ କରାଯାଉଛି। ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ କରିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ। ନିୟମ ଉଲ୍ଲଂଘନ କରୁଥିବା ହୋଟେଲ ଉପରେ ମୋଟା ଜରିମାନା ଆଦାୟ କରାଯାଉଛି। କେନ୍ଦ୍ରାପଡ଼ା, ଯାଜପୁର, ଭୁବନେଶ୍ବର ସବୁଠି ଚଢ଼ଉ କରାଯାଉଛି। ରାଜ୍ୟର ବିଭିନ୍ନ ସହରରେ ଡାଇରିଆ ଦ୍ରୁତ ଗତିରେ ବ୍ୟାପିବା ପରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଆକ୍ସନ୍ ମୋଡ୍ରେ ଅଛି। ଅଧିକାରୀମାନେ ରାଜଧାନୀର ଅନେକ ହୋଟେଲ ଏବଂ ଖାଦ୍ୟପେୟ ଦୋକାନରେ ଚଢ଼ଉ କରିଛନ୍ତି।
ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଗୁଣବତ୍ତା ଯାଞ୍ଚ କରିବା ସହିତ ଅନେକ ହୋଟେଲ ଏବଂ ଫାଷ୍ଟଫୁଡ୍ ଦୋକାନରେ ଅଚାନକ ପରିଦର୍ଶନ କରିଛନ୍ତି ଏବଂ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ ଜରିମାନା ଲଗାଇଛନ୍ତି। ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କରୁଥିବା ପାଇଁ ବିଏମସି ଅନେକ ହୋଟେଲରୁ ୨,୦୦୦ଟଙ୍କା ଜରିମାନା ମଧ୍ୟ ଆଦାୟ କରିଛି। ହୋଟେଲଗୁଡ଼ିକୁ ନିର୍ଦ୍ଦେଶାବଳୀ ପାଳନ କରିବାକୁ କଡ଼ାକଡ଼ି ତାଗିଦ କରାଯାଇଛି। ଏବେଠାରୁ, ହୋଟେଲଗୁଡ଼ିକରେ ନିୟମିତ ଯାଞ୍ଚ କରାଯିବ। କେବଳ ଜୁନ୍ ୧୬ ତାରିଖରେ ୧୦,୦୦୦ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।
ଅନ୍ୟପଟେ କଲେରା ବ୍ୟାପିବାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ ନିର୍ଦ୍ଦେଶ ଜାରି କରିଛନ୍ତି। ଯାଜପୁର ଓ କେନ୍ଦୁଝରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଵାସ୍ଥ୍ୟ ବିଭାଗ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମସ୍ତଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦେବାକୁ ଗୁରୁତ୍ୱ ଦେଇଛନ୍ତି ମୋହନ ମାଝୀ। ସ୍ଵାସ୍ଥ୍ୟକେନ୍ଦ୍ରକୁ ହାଇ ଆଲର୍ଟ ମୋଡରେ ରଖିବା ସହ ପାନୀୟ ଜଳ ଉତ୍ସକୁ ଯଥାଶୀଘ୍ର ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଯେପର୍ଯ୍ୟନ୍ତ ନିର୍ଦ୍ଦେଶ ନମିଳିଛି ସେପର୍ଯ୍ୟନ୍ତ ରାସ୍ତାକଡ଼ ଖାଦ୍ୟ ଉପରେ କଟକଣା ଜାରି ରହିବ। ଖାଦ୍ୟ ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପଡ଼ୋଶୀ ଜିଲ୍ଲାକୁ ନବ୍ୟାପିବା ଉପରେ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଝାଡାବାନ୍ତି ରୋଗକୁ ନିୟନ୍ତ୍ରଣରେ ଆଣିବା ପାଇଁ ଯଥେଷ୍ଟ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ, ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ଉପରେ SCB ଡାକ୍ତରୀ ଟିମ ନଜର ରଖିଛି ।
Comments are closed.