ପୁରୀ: ବଡ଼ଦାଣ୍ଡରେ ଏକାକାର ହେବେ ଭକ୍ତ ଭଗବାନ। ଆଉ ମାତ୍ର କେଇଟା ଘଣ୍ଟା, ଭାଇ ଭଉଣୀ ସଙ୍ଗେ ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ମହାପ୍ରଭୁ। ସଜେଇ ହୋଇଛି ରଥ ପଥ। ତିନି ରଥ ମହାପ୍ରଭୁଙ୍କୁ ଚାହିଁ ଜଗି ରହିଛି। କେବେ ଭାବର ଠାକୁର ରଥେ ବିଜେ କରିବେ। ଧନ୍ୟ ହେବେ ରଥ ପଥ ଭକ୍ତ। ସେପଟେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି । କାଲିଠୁ ଲାଗିଛି ଭକ୍ତଙ୍କ ଭିଡ । ପବିତ୍ର ରଥଯାତ୍ରା ଅବସରରେ ଆଜି ବଡଦାଣ୍ଡକୁ ଛୁଟିଛି ଲକ୍ଷଲକ୍ଷ ଭକ୍ତମାନଙ୍କର ସୁଅ । ତେବେ ଶ୍ରୀକ୍ଷେତ୍ରକୁ ଦେଶବିଦେଶରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବେ ବୋଲି ଆଶା କରାଯାଉଛି ।
ଏହିଠି ଦେଖନ୍ତୁ ପହଣ୍ଡି ଠାରୁ ରଥଟଣା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ:
ସକାଳ ୬ଟାରେ ମଙ୍ଗଳା ଆଳତି
ସକାଳ ୬.୧୦ ରେ ମଇଲମ
ସକାଳ ୬.୩୦ ରେ ତଡପଲାଗି
ସକାଳ ୬.୩୦ରେ ରୋଷ ହୋମ
ସକାଳ ୭ଟାରେ ଅବକାଶ
ସକାଳ ୭.୧୦ ରେ ସୂର୍ଯ୍ୟ ପୂଜା
ସକାଳ ୭.୩୦ ରେ ଦ୍ୱାରପାଳ ପୂଜା
ସକାଳ ୭.୩୦ ସୁଦ୍ଧା ବେଶ ଶେଷ
ଗୋପାଳ ବଲ୍ଲଭ ଏବଂ ସକାଳ ଧୂପା (ଖେଚୁଡି ଭୋଗ) ସକାଳ ୮ ରୁ ୯
ସକାଳ ୯ଟାରେ ରଥ ପ୍ରତିଷ୍ଠା
ସକାଳ ୯.୧୫ ରେ ମଙ୍ଗଳାର୍ପଣ
ସକାଳ ୯.୩୦ରୁ ଆରମ୍ଭ ହେବ ପହଣ୍ଡି
ଦିନ ୧୨.୩୦ ସୁଦ୍ଧା ଶେଷ ହେବ ପହଣ୍ଡି
ଦିନ ୧୨.୩୦ ରୁ ୧ଟା ମଧ୍ୟରେ ଶ୍ରୀ ଶ୍ରୀ ମଦନ ମୋହନ, ଶ୍ରୀ ଶ୍ରୀ ରାମ ଏବଂ ଶ୍ରୀ ଶ୍ରୀ କୃଷ୍ଣ ବିଜେ
ଦିନ ୧.୩୦ ରୁ ୨ଟା ପର୍ଯ୍ୟନ୍ତ ଚିତା ଲାଗି
ଅପରାହ୍ନ ୧.୩୦ ରୁ ୨.୩୦ ବେଶ ଶେଷ
ଅପରାହ୍ଣ ୨.୩୦ ରୁ ୩.୩୦ ଗଜପତି ରାଜାଙ୍କ ଦ୍ବାରା ଛେରା ପହଁରା
ଅପରାହ୍ନ ୪ଟା ଚାରମାଳ ଫିଟା, ଘୋଡା ଏବଂ ସାରଥୀ ଲାଗିବେ
ଅପରାହ୍ନ ୪ଟାରେ ଆରମ୍ଭ ରଥଟଣା
ଅନ୍ୟପକ୍ଷରେ ସୁରକ୍ଷା ବଳୟ ଏବଂ ଡ୍ରୋନ୍ ସାହାର୍ଯ୍ୟରେ ଛାଉଣୀ ହୋଇଛି ପୂରା ଶ୍ରୀକ୍ଷେତ୍ର । ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କିଭଳି ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନା କରାଯିବା ସେନେଇ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବେ ପ୍ରଶାସନ ।
ଏନେଇ ପୋଲିସ୍ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କକ ସୂଚନା ଅନୁଯାୟୀ, ଚଳିତବର୍ଷ ପୋଲିସ୍ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍ କରାଯାଇଛି। ଏହି ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରା ଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍ ଜାମ୍ ସମସ୍ୟାର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ। ସେହିପରି ଆଣ୍ଟି ଡ୍ରୋନ୍ ସିଷ୍ଟମ୍, ବହୁ ସଂଖ୍ୟାରେ ଆଣ୍ଟି ସାବୋଟାଜ୍ ଟିମ୍, ଡଗ୍ ସ୍କ୍ବାଡ୍ ମୁତୟନ ରହିଛି।
ସେହିପରି ଚଳିତବର୍ଷ ୨୧ ଆଇପିଏସ୍, ୧୨ଶହ ଅଫିସରଙ୍କ ସହିତ ୨୦୫ ପ୍ଲାଟୁନ୍ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି। ଜଳପଥ ତଟ ସୁରକ୍ଷା ପାଇଁ ମେରାଇନ୍ ପୁଲିସ ଟିମ୍, କୋଷ୍ଟଗାର୍ଡ, ନୌବାହିନୀ (ନାଭାଲ୍)ର ପାଟ୍ରୋଲିଂ ରହିବ। କୋଷ୍ଟଗାର୍ଡର ଆଉ ଏକ ଟିମ୍ ଆକାଶମାର୍ଗରୁ ସମୁଦ୍ରକୂଳକୁ ତୀକ୍ଷ୍ଣ ନଜର ରଖିବେ। ଟ୍ରାଫିକ୍ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ପାଇଁ ଏକ ନୂଆ ଆପ୍ ଖୋଲାଯିବ। ଏହି ଆପ୍ ମାଧ୍ୟମରେ ଲୋକମାନେ ଯା’ଆସ କରିବାକୁ ଅନୁରୋଧ କରାଯାଇଛି।
ଏଥିସହିତ ରାଜ୍ୟ ପୋଲିସ୍ ପକ୍ଷରୁ ରଥଯାତ୍ରା ନେଇ ଡିଜିଟାଲ ଟ୍ରାଫିକ୍ ମ୍ୟାପ୍ ବି ଜାରି କରାଯାଇଛି । ଯେଉଁଥିରେ ରଥଯାତ୍ରା ୨୦୨୫ ବିଷୟରେ ପ୍ରାମାଣିକ ସୂଚନା ଓଡିଶାବାସୀ ପାଇପାରିବେ । ଯେଉଁଥିରେ ଏକ କ୍ୟୁଆର କୋର୍ଡ ଜାରି କରାଯାଇଛି । ଯାହାକୁ ସ୍କାନ୍ କରି କିମ୍ବା ହ୍ବାଟ୍ସଆପ୍ ସହ କନେକ୍ଟ କରି ରଥଯାତ୍ରା ଟ୍ରାଫିକ୍ ଅପଡେଟ୍ ପାଇପାରିବେ ।
ତେବେ ଏବେ ମହାପ୍ରଭୁଙ୍କ ବିଭିନ୍ନ ନିତିକାନ୍ତି ଚାଲିଥିବା ବେଳେ ସକାଳ ୯ଟା ପୂର୍ବରୁ ସକାଳ ଧୂପ ଏବଂ ମଙ୍ଗଳାର୍ପଣ ପରେ ପ୍ରାୟ ୯ଟା ୩୦ ବେଳକୁ ୩ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ ।
Comments are closed.