ଯାଜପୁର: ଯାଜପୁରରେ ବ୍ୟାପିଥିବା ଡାଇରିଆ କାରଣରୁ ଲୋକଙ୍କ ସ୍ବାସ୍ଥ୍ୟଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲାରେ ସମସ୍ତ ହୋଟେଲ୍, ଜଳଖିଆ ଦୋକାନ, ମୃଦୁ ପାନୀୟ କାରଖାନା ଓ ଉଠା ଦୋକାନ ଆଦିକୁ ସ୍ବଳ୍ପ ଦିନ ପାଇଁ ବନ୍ଦ କରିଦିଆଯାଇଥିଲା । ଏବେ ଜିଲ୍ଲାରେ ଡାଇରିଆର ପ୍ରଭାବ କମି ସ୍ଥିତି ସୁଧୁରୁଥିବାରୁ ଆସନ୍ତା ୧ ତାରିଖରୁ ଏହି ସବୁ ହୋଟେଲ୍, କାରଖାନା ଗୁଡିକ ଖୋଲିବ ।
ଏନେଇ ଶନିବାର ଜିଲ୍ଲାପାଳ ଚିଠି ସଂଖ୍ୟା ୪୮୬୩ରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମାରେ ଦୋକାନ ଖୋଲା ରଖିବା ସମୟରେ ପରିମଳ ବ୍ୟବସ୍ଥା, ଖାଦ୍ୟ ରଖୁଥିବା ସ୍ଥାନ ଏବଂ ଶୁଦ୍ଧ ଜଳ ବ୍ୟବହାର କରିବାକୁ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।
ଏହା ସହ ଜିଲ୍ଲାର ସମସ୍ତ ତହସିଲଦାର, ପୌରପରିଷଦର ନିର୍ବାହୀ ଅଧିକାରୀ, ଯାଜପୁର ପୌରପାଳିକାର ସ୍ବାସ୍ଥ୍ୟ ଅଧିକାରୀ ଓ ସମସ୍ତ ଥାନା ଅଧିକାରୀଙ୍କୁ ଏହି ଚିଠି ମାଧ୍ୟମରେ ଜିଲ୍ଲାପାଳ ଅବଗତ କରିଛନ୍ତି ।
ସୂଚନାଯୋଗ୍ୟ, ଜିଲ୍ଲାରେ ଡାଇରିଆର ପ୍ରଭାବ କମିବାରୁ ବ୍ୟବସାୟୀମାନେ ଦୋକାନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଥିଲେ । ଜିଲ୍ଲାପାଳ ଯିବା ଆସିବା କରୁଥିବା ଲୋକଙ୍କ ଖାଇବା ସୁବିଧା, ଉଠା ଦୋକାନୀଙ୍କ ଜୀବିକା ଓ ରୋଗକୁ ଲକ୍ଷ୍ୟ କରି ଏହି ନିର୍ଦ୍ଦେଶନାମା ଜାରି କରି କରିଛନ୍ତି ।
Comments are closed.