Latest Odisha News

କାହିଁକି ଘଟିଲା ଶରଧାବାଲିରେ ଦଳଚକଟା ଅଘଟଣ: ପ୍ରତ୍ୟେକ୍ଷଦର୍ଶୀ କହିଲେ ସତ…

ପୁରୀ: ଆଜି ବଡି ଭୋର୍ ସକାଳୁ ଶରଧାବାଲିରେ ରଥ ସମ୍ମୁଖରେ ବଡ ଅଘଟଣ ଘଟିଛି । ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଠେଲାପେଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ କାହିଁକି ଏପରି ଅଘଟଣ ଘଟିଲା? ସୁରକ୍ଷା ବ୍ୟବସ୍ଥାରେ ଏତେ ପୋଲିସ୍ ନିୟୋଜିତ ହେଲା ପରେ ବି କ’ଣ ସେମାନେ ଭିଡ ନିୟନ୍ତ୍ରଣ କରିପାରିଲେନି? କେଉଁ ଅବ୍ୟବସ୍ଥା ପାଇଁ ୩ ଜଣ ଭକ୍ତଙ୍କ ଜୀବନ ଚାଲିଗଲା?

ତେବେ ଏହାକୁ ନେଇ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବାନୁଯାୟୀ, ପ୍ରଶାସନର ଅବହେଳା ଯୋଗୁଁ ଏପରି ଅଘଟଣ ଘଟିଲା । କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ଭକ୍ତଙ୍କ ଭିଡ଼ ଭିତରେ ୨ଟି ଚାର କାଠ ବୋଝେଇ ଟ୍ରକ ପଶିଥିଲା । ଟ୍ରକ ପଶିବା ଯୋଗୁ ଠେଲାପେଲା ହୋଇଥିଲା । ଠେଲାପେଲା ବେଳେ କୌଣସି ପୋଲିସ ନଥିଲେ । ସୁରକ୍ଷା କର୍ମୀ କି ପ୍ରଶାସନର କୌଣସି ବ୍ୟକ୍ତି ବି ସେଠାରେ ଉପସ୍ଥିତ ନଥିଲେ । ଭିଡ଼ ନିୟନ୍ତ୍ରଣ ପାଇଁ ବି କିଛି ବ୍ୟବସ୍ଥା ନଥିଲା । ବ୍ୟାରିକେଟ୍ କି ଏକ୍ସଜିଟ୍ ପାଇଁ ବି ବ୍ୟବସ୍ଥା ନଥିଲା । ଏଥିସହିତ ପହୁଡ ଶେଷ ହେବା ପରେ କୌଣସି ଘୋଷଣା କରାଯାଇନଥିଲା । ଫଳରେ ଲୋକଙ୍କ ମଧ୍ୟରେ ଠାକୁରଙ୍କୁ ଦେଖିବା ପାଇଁ ଦଳଚକଟା ପରି ସ୍ଥିତି ଉପୁଜିଥିଲା । ଅନ୍ୟ ଜଣେ ପ୍ରତ୍ୟେକଦର୍ଶୀଙ୍କ ଅନୁଯାୟୀ, ପୁରୀ ଶରଧାବାଲିରେ ଠେଲାପେଲାରେ ଶ୍ରଦ୍ଧାଳୁ ବସିବା ପାଇଁ ଯେଉଁ ପଲିଥିନ ବ୍ୟବହାର କରିଥିଲେ ତାହା କାଳ ହେଲା । ଝିପି ଝିପି ବର୍ଷା ହେବାରୁ ପଲିଥିନରେ ଗୋଡ଼ ଖସିଯାଇଥିଲା । ଜଣଙ୍କ ପରେ ଜଣେ କଚାଡ଼ି ହୋଇ ପଡ଼ିବାରୁ ଅଘଟଣ ଘଟିଛି ।

ଏଥିସହିତ ପୁରୀ ଅଘଟଣ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ୩ ଜଣ ମୃତକଙ୍କ ମଧ୍ୟରୁ ଜଣେ ମୃତକଙ୍କ ସ୍ବାମୀ । ପତ୍ନୀଙ୍କୁ ହରାଇଥିବା ବୋଲଗଡ଼ ଗୋବର୍ଦ୍ଧନପୁରର ବ୍ୟକ୍ତି ଜଣଙ୍କ କହିଛନ୍ତି ଯଦି ପ୍ରଶାସନ କିମ୍ବା ଆମ୍ବୁଲାନ୍ସ ସେଠାରେ ଥାନ୍ତା ତାହେଲେ ତାଙ୍କ ସ୍ତ୍ରୀ ବଞ୍ଚିଯାଇଥାନ୍ତା । ଏଥିସହିତ ସେ ଏହାବି ଅଭିଯୋଗ କରିଛନ୍ତି ଯେ ପୋଲିସଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରିଥିଲେ । ପାଣି ଟୋପେ ପାଇଁ ପୋଲିସ ଡାକିଥିଲେ ମଧ୍ୟ, ସେମାନେ ନ ଶୁଶି ଦୌଡ଼ି ପଳାଇଲେ ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରଶାସନିକ ଅବହେଳାରୁ ମୋ ସ୍ତ୍ରୀ ମରିଗଲା ସେ କହିଛନ୍ତି ।

ଯାହାକୁ ନେଇ ଏବେ ପ୍ରଶାସନିକ ବ୍ୟବସ୍ଥା ଉପରେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ପହଡ ପରେ କେଉଁଠି ଥିଲା ପୋଲିସ୍ ପ୍ରଶାସନ? ଭକ୍ତଙ୍କ ସମାଗମ ବଢିବା ବେଳେ କାହିଁକି କୌଣସି ଘୋଷଣା ବ୍ୟବସ୍ଥା କରାଯାଇନଥିଲା । କେଉଁ ବାଟ ଦେଇ ଯିବ ବାହାରିବ, ଏନେଇ ଭିଡ ନିୟନ୍ତ୍ରଣ ନକରି କ’ଣ କରୁଥିଲେ ସୁରକ୍ଷାକର୍ମୀ? ଏନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି ।

ସେପଟେ ଠେଲାପେଲା ବେଳେ ପୋଲିସ ନଥିବା କଥାକୁ ଖଣ୍ଡନ କରିଚନ୍ତି, ପୁରୀ ଏସପି । ଶ୍ରଦ୍ଧାଳୁଙ୍କ ଅଭିଯୋଗକୁ ଖଣ୍ଡନ କରି ଏସ୍‌ପି କହିଛନ୍ତି, ରଥ ଚାରିପାଖରେ ପୋଲିସ କର୍ମୀ ମୁତୟନ ଥିଲେ । ପୋଲିସ ଭିଡ଼ ଭିତରେ ନ ଥିବା କଥା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି । ପୁରୀ ଅଘଟଣ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ଓ୍ବାବି ଖୁରାନିଆ ଭକ୍ତଙ୍କ ଫୋଟୋ ଉଠାକୁ ଦାୟୀ କରିଛନ୍ତି । କହିଛନ୍ତି, ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ । ଭକ୍ତ ମୋବାଇଲ୍‌ରେ ଫଟୋ ନେବାରୁ ସମସ୍ୟା ହେଉଛି । ଯାହା ଘଟିଛି ତାହାର ଯାଞ୍ଚ ଚାଲିଛି ବୋଲି ମତ ରଖିଛନ୍ତି ଡିଜିପି ।

ଅନ୍ୟପଟେ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଏନେଇ ପଦକ୍ଷେପ ନେବେ । ଆକ୍ସନ ଓ ତଦନ୍ତ ନେଇ ନିଷ୍ପତ୍ତି ଖୁବ ଶୀଘ୍ର ହେବ ବୋଲି ସେ କହିଛନ୍ତି । ଅବଗତ ହେବା ପରେ ଏହି ଘଟଣାରେ ଦୁଃଖ ପ୍ରକାଶ କରି, ଏଭଳି ଅବହେଳା ଅକ୍ଷମଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ଏହି ଅଘଟଣଙ୍କୁ ନେଇ କଡା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଥିପାଇଁ ସଂପୂର୍ଣ୍ଣ ଭାବ ପ୍ରଶାସନକୁ ଦାୟୀ କରିଛନ୍ତି । ପୁରୀ ଅଘଟଣରେ ମୃତ ୩ ଜଣଙ୍କ ପରିବାର ପ୍ରତି ‘ଏକ୍ସ’ରେ ସମବେଦନା ଜଣାଇ ନବୀନ ଲେଖିଛନ୍ତି, ଭିଡ଼କୁ ପରିଚାଳନା କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିଲା । ନନ୍ଦିଘୋଷ ଟାଣିବାରେ ବିଳମ୍ବକୁ ମହାପ୍ରଭୁଙ୍କ ଇଚ୍ଛା କହିବା ଆଶ୍ଚର୍ଯ୍ୟଜନକ । ବାହାନା କରିବା ଆଶ୍ଚର୍ଯ୍ୟଜନକ, ଏଥିପାଇଁ ପ୍ରଶାସନର ସମ୍ପୂର୍ଣ୍ଣ ଦାୟୀ । ଆଡ଼ପ ବିଜେ, ବାହୁଡା, ସୁନାବେଶ ପାଇଁ ସଂଶୋଧନମୂଳକ ପଦକ୍ଷେପ ନିଅନ୍ତୁ ବୋଲି ଦାବ କରିଚନ୍ତି ନବୀନ ।

Comments are closed.