ପାକ୍ର ବଡ଼ ଷଡ଼ଯନ୍ତ୍ର: ପିଓକେରେ ପୁଣି ଆତଙ୍କୀ କ୍ୟାମ୍ପ, ନିର୍ମାଣ ହେଉଛି ଅତ୍ୟାଧୁନିକ ଟେକ୍ନୋଲୋଜିର ହାଇଟେକ୍ କ୍ୟାମ୍ପ୍
ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ। ପହଲଗାମ୍ ଆତଙ୍କୀ ଆକ୍ରମଣର ଜବାବରେ ଗତ ମେ ମାସରେ ‘ଅପରେସନ୍ ସିନ୍ଦୂର’ରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ ଧ୍ୱଂସ କରିଥିଲା। ଭାରତର ଆକ୍ରମଣ ପରେ ପାକିସ୍ତାନର ଭାଙ୍ଗିଯାଇଛି ଅଣ୍ଟା। ତଥାପି ଭାରତ ବିରୋଧରେ ପାକିସ୍ତାନ ବଡ଼ ଷଡ଼ଯନ୍ତ୍ର ରଚୁଛି। ସଦ୍ୟ ସୂଚନା ମୁତାବକ ପାକିସ୍ତାନରେ ଅପରେସନ ସିନ୍ଦୂର ଯୋଗୁଁ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ ଏବଂ ତାଲିମ କେନ୍ଦ୍ରଗୁଡ଼ିକ ଏବେ ପୁନଃର୍ନିମାଣ କରାଯାଉଛି।
ଏବେ ପାକିସ୍ତାନ ସେହି କ୍ୟାମ୍ପଗୁଡିକୁ ପୁଣି ପ୍ରତିଷ୍ଠା କରିବାକୁ ଜୋର୍ସୋରରେ ଉଦ୍ୟମ କରୁଛି । ଦେଶର ସେନା, ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଓ ସରକାର ଏଥିଲାଗି ମୋଟାଅଙ୍କର ପାଣ୍ଠି ଓ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଉଛନ୍ତି । ବିଶେଷକରି ପିଓକେ ଓ ତାର ଆଖପାଖ ଅଞ୍ଚଳରେ ଏହି ଆତଙ୍କୀ କ୍ୟାମ୍ପ ପ୍ରତିଷ୍ଠା ଲାଗି ସକ୍ରିୟ ଭାବେ କାର୍ଯ୍ୟ ଚାଲିଛି ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI, ପାକିସ୍ତାନୀ ସେନା ଏବଂ ସରକାର ଏହି ଆତଙ୍କବାଦୀ କାର୍ଯ୍ୟକଳାପକୁ ସିଧାସଳଖ ସମର୍ଥନ କରୁଛନ୍ତି। ଆତଙ୍କୀ କ୍ୟାମ୍ପଗୁଡ଼ିକ ଅତ୍ୟାଧୁନିକ ଟେକ୍ନୋଲୋଜିରେ ନିର୍ମାଣ ହେଉଛି । ପାକିସ୍ତାନର ଆତଙ୍କୀ ସଂଗଠନଗୁଡିକ ଆଇଏସ୍ଆଇ ସହିତ ମିଶି ନିୟନ୍ତ୍ରଣରେଖା(ଏଲଓସି) ନିକଟରେ ଘଞ୍ଚ ଜଙ୍ଗଲରେ ଛୋଟ ଛୋଟ ହାଇଟେକ୍ କ୍ୟାମ୍ପ ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଛନ୍ତି। ସର୍ଭିଲାନ୍ସ ଏବଂ ଏୟାରଷ୍ଟ୍ରାଇକ୍କୁ ଏଡ଼ାଇବା ଏହି ପଦକ୍ଷେପ ପଛର ଉଦ୍ଦେଶ୍ୟ। ପୁନି, ପୁଟୱାଲ, ତାଇପୁ ପୋଷ୍ଟ, ଜମିଲା ପୋଷ୍ଟ, ଉମ୍ରାନୱାଲି, ଚପରାର, ଫରୱାଦ କହୁଟା, ଛୋଟା ଚକ୍ ଓ ଜଙ୍ଗଲୋରା ଅଞ୍ଚଳରେ ଏଭଳି କ୍ୟାମ୍ପ ନିର୍ମାଣ ଚାଲିଛି। ସେହି କ୍ୟାମ୍ପଗୁଡି଼କୁ ଥର୍ମାଲ ଇମେଜର, ରାଡାର, ସାଟେଲାଇଟ୍ ସର୍ଭିଲାନ୍ସର ମୁକାବିଲା ଲାଗି ଉନ୍ନତ ପ୍ରଯୁକ୍ତିରେ ସଜ୍ଜିତ କରାଯାଇଥିବା ସୂଚନା ମିଳିଛି।
ସେହିପରି ପାକିସ୍ତାନୀ ସେନା ଓ ଆଇଏସ୍ଆଇ ପିଓକେରେ ୧୩ଟି ଲଞ୍ଚ ପ୍ୟାଡ୍କୁ ପୁନଃ ବିକଶିତ କରୁଛି। ସେଗୁଡ଼ିକ କେଲ୍, ଶାରଡି, ଦୁଧନିୟାଲ, ଜୁରା, ଲିପା ଭ୍ୟାଲି, ପଚିବନ୍ ଚମନ୍, ଟାଣ୍ଡପାନି, ନୈୟାଲି, ଜାନକୋଟ୍, ଚାକୋଟି, ନିକୈଲ ଓ ଫରୱାଡ୍ କହୁଟା ଅଞ୍ଚଳରେ ରହିଛି। ଏସବୁ ବ୍ୟତୀତ ‘ଅପରେସନ୍ ସିନ୍ଦୂର’ରେ ଅନ୍ତଜାର୍ତୀୟ ସୀମା ନିକଟରେ ଧ୍ୱଂସ କରାଯାଇଥିବା ୪ଟି ଆତଙ୍କୀ ଲଞ୍ଚ୍ ପ୍ୟାଡ୍କୁ ବି ପୁନଃ କାର୍ଯ୍ୟକ୍ଷମ କରୁଛି ପାକିସ୍ତାନ। ଏଥିରେ ନିୟମିତ ପାକିସ୍ତାନୀ ରେଞ୍ଜରଙ୍କ ପୋଷ୍ଟ ବି ରହିଛି। ଅନ୍ୟପଟେ ଜମ୍ମୁ ସେକ୍ଟରରେ ଅନ୍ତଜାର୍ତୀୟ ସୀମା ନିକଟରେ ଆଇଏସ୍ଆଇ ୪ଟି ଲଞ୍ଚପ୍ୟାଡ୍ ପୁନଃ ବିକଶିତ କରୁଛି। ସେଗୁଡି଼କ ହେଲା ମସରୁର ବଡା ଭାଇ, ଚପରାର, ଲୁନି ଓ ଶଙ୍କରଗଡ଼ରେ ଏକ ଡ୍ରୋନ୍ କେନ୍ଦ୍ର।
ଏସବୁ ଜରିଆରେ ଆଇଏସ୍ଆଇ ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛି। ବଡ଼ ଆତଙ୍କୀ କ୍ୟାମ୍ପକୁ ଅନେକ ଛୋଟ କ୍ୟାମ୍ପରେ ବିଭାଜିତ କରାଯାଉଛି। ଗୋଟିଏ ସ୍ଥାନରେ ଅଧିକ ଆତଙ୍କବାଦୀଙ୍କ ଉପସ୍ଥିତିକୁ କମ୍ କରିବା ଏହି ଯୋଜନାର ଲକ୍ଷ୍ୟ। ଯେପରିକି ଏୟାରଷ୍ଟ୍ରାଇକ୍ ହେଲେ ସମ୍ଭାବ୍ୟ କ୍ଷତିକୁ କମାଯାଇପାରିବ। ଏହି ସବୁ ମିନି କ୍ୟାମ୍ପରେ ନିଜସ୍ୱ ସୁରକ୍ଷା ବ୍ୟବସ୍ଥା ରହିବ। ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ପାକିସ୍ତାନୀ ସେନା ଅଧିକାରୀ ତାର ସୁରକ୍ଷାକୁ ତଦାରଖ କରିବେ। ସେହି ଗାର୍ଡଙ୍କ ନିକଟରେ ଥର୍ମାଲ ସେନ୍ସର, ଲୋ ଫ୍ରିକୁଏନ୍ସି ରାଡାର ସିଷ୍ଟମ ଓ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ରହିବ।
Comments are closed.