ଭୁବନେଶ୍ବର: ବାଲେଶ୍ବର ଫକିର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ, କଂଗ୍ରେସର ଦିଲ୍ଲୀ ପ୍ରେସମିଟ୍କୁ ଟାର୍ଗେଟ୍ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ସରକାର ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି । ଯୋଗାଯୋଗରେ ରହି ନିଜେ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି ।
ସେ ଆହୁରି ଲେଖିଛନ୍ତି, ବୋଧହୁଏ ମହିଳା ନିର୍ଯାତନା ନେଇ କଂଗ୍ରେସର କଳା ଇତିହାସ ଜଣା ନାହିଁ । ସରକାର ଅଭିଯୁକ୍ତ ଉପରେ ନା ନରମ ହେବ ନା ଖସିଯିବାର ସୁଯୋଗ ଦେବ । କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କରୁ ବୋଲି ଶ୍ରୀମତି ପରିଡା ଲେଖିଛନ୍ତି ।
ଅନ୍ୟପଟେ, ବାଲେଶ୍ବର ଘଟଣାରେ AICC କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ । ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଟାର୍ଗେଟ୍ କରିଛନ୍ତି । ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ । ଛାତ୍ରୀ ଜଣଙ୍କୁ ବିଭାଗୀୟ HOD ସେକ୍ସୁଆଲ ଫେଭର ପାଇଁ ଚାପ ପକାଉଥିଲେ ବୋଲି ଅଳକା ଲାମ୍ବା କହିଛନ୍ତି ।
ଫେଭର ନକଲେ ବରବାଦ କରିଦିଆଯିବ ଧମକ ଦିଆଯାଉଥିଲା । ଛାତ୍ରୀ ଜଣଙ୍କ ଏନେଇ ପ୍ରିନ୍ସିପାଲ, ଶିକ୍ଷା ବିଭାଗକୁ ମଧ୍ୟ ଜଣାଇଥିଲେ । ପ୍ରମାଣ ଦେଇ ନ ପାରିଲେ କାର୍ଯ୍ୟାନୁଷ୍ଠାନର ଧମକ ତାଙ୍କୁ ଦିଆ ଯାଇଥିଲା । ରାଜ୍ୟରେ ଡବଲ ଇଞ୍ଜିନ ସରକାରରେ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ ମହିଳା ଆୟୋଗ କଣ କରୁଛନ୍ତି, ଭୁବନେଶ୍ବର ଯାଉ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅଳକା ଲାମ୍ବା ।
ସେପଟେ ଏହି ଘଟଣାରେ ଛାନଭିନ ଚଳାଇଛି କ୍ରାଇମବ୍ରାଞ୍ଚ । ଆଜି ମଧ୍ୟ ଫକିର ମୋହନ କଲେଜକୁ ଯାଇ କ୍ରାଇମବ୍ରାଞ୍ଚ ସିଏଡବ୍ଲୁ ଏବଂ ସିଡବ୍ଲୁର ଦୁଇ ଜଣିଆ ଟିମ୍ ତଦନ୍ତ କରୁଛନ୍ତି । କଲେଜର ଛାତ୍ରୀଛାତ୍ର ଓ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ୩ ଜଣିଆ ଉଚ୍ଚସ୍ତରୀୟ କମିଟି ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି । ଗତକାଲି ଏହି ଟିମ ନିଲମ୍ବିତ ପ୍ରିନ୍ସିପାଲଙ୍କୁ ପଚରାଉଚରା କରିଥିଲା । କଲେଜର ଇଣ୍ଟରନାଲ କମ୍ପ୍ଲେନ କମିଟି ରିପୋର୍ଟକୁ ବି ତଦାରଖ କରାଯାଇଥିବା ଜଣାପଡିଛି ।
Comments are closed.