ନୂଆଦିଲ୍ଲୀ: ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ଭାରତ, ବ୍ରାଜିଲ ଏବଂ ଚୀନକୁ ଏକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଯଦି ସେମାନେ ରୁଷ ସହିତ ବ୍ୟବସାୟ ଜାରି ରଖନ୍ତି ତେବେ ସେମାନେ କଠୋର ଆର୍ଥିକ ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି ବୋଲି ସତର୍କ କରାଇ ଦେଇଛନ୍ତି ରୁଟ୍ । ବୁଧବାର ଆମେରିକୀୟ ସେନେଟରମାନଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରୁଟ୍ ବେଜିଂ, ଦିଲ୍ଲୀ ଏବଂ ବ୍ରାସିଆର ନେତାମାନଙ୍କୁ ଶାନ୍ତି ଆଲୋଚନାକୁ ଗମ୍ଭୀରତାର ସହିତ ନେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚାପ ପକାଇବାକୁ ଅନୁରୋଧ କରିଛନ୍ତି ।
ଏନେଇ ରୁଟ କହିଛନ୍ତି, ଯଦି ଆପଣ ଭାରତର ପ୍ରଧାନମନ୍ତ୍ରୀ, ଚୀନର ରାଷ୍ଟ୍ରପତି, କିମ୍ବା ବ୍ରାଜିଲର ରାଷ୍ଟ୍ରପତି…ଆଉ ଆପଣ ରୁଷ ସହିତ ବାଣିଜ୍ୟ ଜାରି ରଖନ୍ତି ଏବଂ ସେମାନଙ୍କର ତେଲ ଏବଂ ଗ୍ୟାସ କିଣନ୍ତି, ତେବେ ଆପଣ ଜାଣିରଖନ୍ତୁ, ଯଦି ମସ୍କୋର ବ୍ୟକ୍ତି ଶାନ୍ତି ଆଲୋଚନାକୁ ଗମ୍ଭୀରତାର ସହିତ ନ ନିଅନ୍ତି, ତେବେ ମୁଁ ୧୦୦ ପ୍ରତିଶତ ଦ୍ୱିତୀୟ କଟକଣା ଲାଗୁ କରିବି । ଏହି ତିନୋଟି ଦେଶକୁ ମୁଁ ଉତ୍ସାହିତ କରୁଛି, ବିଶେଷକରି, ଯଦି ଆପଣ ବର୍ତ୍ତମାନ ବେଜିଂରେ ରହୁଛନ୍ତି, କିମ୍ବା ଦିଲ୍ଲୀରେ ରହୁଛନ୍ତି, କିମ୍ବା ଆପଣ ବ୍ରାଜିଲର ରାଷ୍ଟ୍ରପତି, ତେବେ ଆପଣଙ୍କୁ ଏହା ଉପରେ ନିହାତି ଧ୍ୟନ ଦେବାକୁ ପଡିବ । କାରଣ ଏହା ଆପଣଙ୍କୁ ବହୁତ କଷ୍ଟ ଦେଇପାରେ ବୋଲି କହି ଚେତାଇ ଦେଇଛି ନାଟୋ ।
ଏଥିସହିତ ନୋଟୋ ସେକ୍ରେଟାରୀ ଜେନେରାଲ ରୁଟ୍ ତିନିଟି ଦେଶର ନେତାଙ୍କୁ ଶାନ୍ତି ଆଲୋଚନା ପାଇଁ ସିଧାସଳଖ ପୁଟିନଙ୍କୁ ଅନୁରୋଧ କରିବାକୁ ମଧ୍ୟ ଆହ୍ୱାନ କରିଛନ୍ତି। କହିଛନ୍ତି, ତେଣୁ ଦୟାକରି ଭ୍ଲାଦିମିର ପୁଟିନଙ୍କୁ ଫୋନ୍ କରନ୍ତୁ ଏବଂ ତାଙ୍କୁ କୁହନ୍ତୁ ଯେ ତାଙ୍କୁ ଶାନ୍ତି ଆଲୋଚନା ପ୍ରତି ଗମ୍ଭୀର ହେବାକୁ ପଡିବ, ନଚେତ୍ ଏହା ବ୍ରାଜିଲ, ଭାରତ ଏବଂ ଚୀନ୍ ଉପରେ ଏକ ବଡ଼ ପ୍ରଭାବ ପକାଇବ ।
ତେବେ ମାର୍କ ରୁଟଙ୍କ ମନ୍ତବ୍ୟ ସେତେବେଳେ ଆସିଛି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ପାଇଁ ନୂତନ ଅସ୍ତ୍ରଶସ୍ତ୍ର ଘୋଷଣା କରିବା ସହିତ ଯଦି ୫୦ ଦିନ ମଧ୍ୟରେ ଶାନ୍ତି ଚୁକ୍ତି ନହୁଏ, ତେବେ ରୁଷ ରପ୍ତାନିର କ୍ରେତାମାନଙ୍କ ଉପରେ ୧୦୦ ପ୍ରତିଶତର କଠୋର ଅତିରିକ୍ତ ଶୁଳ୍କ ଲାଗୁ କରାଯିବା ନେଇ ଧମକ ଦେଇଛନ୍ତି । ହ୍ୱାଇଟ୍ ହାଉସ୍ କହିଛି ଯେ ଟ୍ରମ୍ପଙ୍କ ଯୋଜନାରେ ପାଟ୍ରିଅଟ୍ ମିସାଇଲ୍ ସିଷ୍ଟମ୍ ଭଳି ଉନ୍ନତ ଅସ୍ତ୍ରଶସ୍ତ୍ର ପଠାଇବା ଅନ୍ତର୍ଭୁକ୍ତ, ଯାହାକୁ କିଭଭ୍ ରୁଷର ବାୟୁ ଆକ୍ରମଣର ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରନ୍ତି । ଏଥିସହିତ ଋଷିଆର ବାଣିଜ୍ୟ ସହଯୋଗୀ ଅଂଶୀଦାରମାନଙ୍କ ଉପରେ ମଧ୍ୟ ୧୦୦% ଶୁଳ୍କ ଲଗାଇବାକୁ ଧମକ ଦେଇଛି ।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଆମେରିକାର ଅଧିକାଂଶ ସିନେଟର, ପ୍ରାୟ ୧୦୦ ରୁ ୮୫ ଜଣ ଏପରି ଆଇନକୁ ସମର୍ଥନ କରନ୍ତି ଯାହା ଟ୍ରମ୍ପଙ୍କୁ ରୁଷକୁ ସହାୟତା କରୁଥିବା ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ କ୍ଷମତା ଦେବ । ଯାହାକୁ ନେଇ ଟ୍ରମ୍ପ ମଧ୍ୟ ପୂର୍ବରୁ ବି ଚେତାଇ ଦେଇଛନ୍ତି ।
ରିପୋର୍ଟ ଅନୁଯାୟୀ, ଭାରତ, ଚୀନ୍ ଏବଂ ତୁର୍କୀ ରୁଷ ଅଶୋଧିତ ତୈଳର ସବୁଠାରୁ ବଡ଼ କ୍ରେତାଙ୍କ ମଧ୍ୟରେ ଅଛନ୍ତି । ଯଦି ଟ୍ରମ୍ପ କଟକଣା ଲାଗୁ କରନ୍ତି, ତେବେ ଏହି ଦେଶଗୁଡ଼ିକ, ବିଶେଷକରି ଭାରତ ଗମ୍ଭୀର ପରିଣାମର ସମ୍ମୁଖୀନ ହୋଇପାରେ । ଏହି ପଦକ୍ଷେପ ଶକ୍ତି ଯୋଗାଣକୁ ବିପର୍ଯ୍ୟସ୍ତ କରିପାରେ ଏବଂ ବିଶ୍ୱ ଦର ପୂର୍ବରୁ ଅସ୍ଥିର ଥିବା ସମୟରେ ଖର୍ଚ୍ଚ ବୃଦ୍ଧି କରିପାରେ ।
Comments are closed.