ପୁରୀ: ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଦିନ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡା ବାନ୍ତିରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରତିଦିନ ୧୫ ରୁ ୨୦ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ।
ସମୀକ୍ଷା ପରେ ଜିଲ୍ଲାପାଳ କହିଛନ୍ତି ଯେ, କଣାସ ବ୍ଲକରେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ଓଭର ହେଡ୍ ଟ୍ୟାଙ୍କକୁ କ୍ଲୋରିଫିକେଶନ ସହ ବାଇ ପାସ ଉତ୍ସ କୌଣସି ପରିସ୍ଥିତିରେ ବ୍ୟବହାର ହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା ।
ସେ ଆହୁରି କହିଛନ୍ତି ଯେ, ଆକ୍ରାନ୍ତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଯାଉଛି । ହଇଜା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଆସନ୍ତା ଏକ ସପ୍ତାହ ପରେ ପୁର୍ନବାର ସ୍ଥିତିର ସମୀକ୍ଷା କରାଯିବ । ବିଶେଷ କରି ଟ୍ୟାଙ୍କର ମାଧ୍ୟମରେ ପାଣି କେଉଁ ସୂତ୍ରରୁ ଆସିଛି ତା ଉପରେ ମଧ୍ୟ ନଜର ରଖାଯାଇଛି । ଦୟା ନଦୀ ଜଳ ପ୍ରଦୂଷିତ ହୋଇଛି । ଏତେ ବଡ ନଦୀକୁ ଏକ ସମୟରେ ବିଶୋଧନ କରିବା ସମ୍ଭବପର ନୁହେଁ । ନଦୀର ଯେଉଁ ଯେଉଁ ଉତ୍ସରୁ ପାଣି ବ୍ୟବହାର ହେଉଛି ତା ଉପରେ ମଧ୍ୟ ନଜର ରଖାଯାଇଛି । ସେହିପରି ଅନେକ ବ୍ୟକ୍ତି ବାହାରେ ମଳ ତ୍ୟାଗ କରୁଥିବା ସୁଚନା ମିଳିଥିବା କହିଛନ୍ତି ଜିଲ୍ଲାପାଳ ।
Comments are closed.