Latest Odisha News

BREAKING NEWS

ପୁଣି ଥରେ ବ୍ରିକ୍ସକୁ ଧମକାଇଲେ ଟ୍ରମ୍ପ, ‘ଶ୍ରୀଘ୍ର ଶେଷ ହୋଇଯିବ, ଲାଗିବ ୧୦% ଶୁଳ୍କ’….

ନୂଆଦିଲ୍ଲୀ: ପୁଣି ବ୍ରିକ୍ସକୁ କଡା ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୧୦ ପ୍ରତିଶତ ଶୁଳ୍କ ସହ ବ୍ରିକ୍ସ ଭାଙ୍ଗିଯିବାର ଚେତାଇ ଦେଲେ । ତେବେ ଟ୍ରମ୍ପ ଶୁକ୍ରବାର ଦିନ ଏକ ଐତିହାସିକ ପଦକ୍ଷେପ ନେଇ ‘ଗାଇଡିଂ ଆଣ୍ଡ ଏଷ୍ଟାବ୍ଲିଶିଂ ନ୍ୟାସନାଲ୍ ଇନୋଭେସନ୍ ଫର୍ ୟୁଏସ୍ ଷ୍ଟେବଲିସିଙ୍ଗ୍ ଆକ୍ଟ’ ଅର୍ଥାତ୍ ‘ଜିନିୟସ୍ ଆକ୍ଟ’କୁ ଆଇନରେ ପରିଣତ କରିଛନ୍ତି । ଏହି ଆଇନର ଉଦ୍ଦେଶ୍ୟ ହେଉଛି ଡିଜିଟାଲ୍ ମୁଦ୍ରାରେ ଆମେରିକାକୁ ବିଶ୍ୱର ନେତା କରିବା ଏବଂ ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ଆମେରିକୀୟ ଡଲାରର ସର୍ବୋଚ୍ଚତାକୁ ଆହୁରି ସୁଦୃଢ଼ କରିବା। ଯାହାକୁ ନେଇ ଟ୍ରମ୍ପ ମଜାରେ କହିଥିଲେ, ଏହି ଆଇନ ମୋ ନାମରେ ନାମିତ ହୋଇଛି । ଏହା ପ୍ରକୃତରେ ଏକ ଆଶ୍ଚର୍ଯ୍ୟଜନକ ଆଇନ । ଏହି ଅବସରରେ, ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକୁ (ବ୍ରାଜିଲ୍, ରୁଷିଆ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା) କଠୋର ସ୍ୱରରେ ଚେତାବନୀ ଦେଇଥିଲେ ଯେ ଡଲାରର ଶକ୍ତିକୁ ଚ୍ୟାଲେଞ୍ଜ କରିବାର ଯେକୌଣସି ପ୍ରୟାସ ନିରର୍ଥକ ହେବ ।

ଜିନିୟସ୍ ଆକ୍ଟରେ ସ୍ୱାକ୍ଷର କରିବା ସମୟରେ, ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକୁ କଟାକ୍ଷ କରି କହିଥିଲେ, ‘ବ୍ରିକ୍ସ ନାମକ ଏକ ଛୋଟ ଗୋଷ୍ଠୀ ଅଛି, ଯାହା ଦ୍ରୁତ ଗତିରେ ଦୁର୍ବଳ ହେଉଛି। ଏହି ଦେଶଗୁଡ଼ିକ ଡଲାରର ଶକ୍ତି ଏବଂ ପ୍ରମୁଖତାକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରିଥିଲେ। ମୁଁ ସ୍ପଷ୍ଟ କରିଦେଲି ଯେ ଆମେ ଯେକୌଣସି ବ୍ରିକ୍ସ ଦେଶ ଉପରେ 10 ପ୍ରତିଶତ ଶୁଳ୍କ ଲାଗୁ କରିବୁ। ଏହା ପରେ, ପରଦିନ ପ୍ରାୟ କେହି ସେମାନଙ୍କ ବୈଠକରେ ଆସି ନଥିଲେ। ଟ୍ରମ୍ପ ପୁଣି ଥରେ ଧମକ ଦେଇଥିଲେ ଯେ ଯଦି ବ୍ରିକ୍ସ ଡଲାରକୁ ଦୁର୍ବଳ କରିବାକୁ ଚେଷ୍ଟା କରେ, ତେବେ ସେମାନଙ୍କର ମେଣ୍ଟ ଶୀଘ୍ର ଶେଷ ହୋଇଯିବ। ସେ ଚେତାବନୀ ଦେଇ କହିଥିଲେ, ‘ଯଦି ଆମେ ଏକ ବିଶ୍ୱ ରିଜର୍ଭ ମୁଦ୍ରା ଭାବରେ ଡଲାରର ସ୍ଥିତି ହରାଇବା, ତେବେ ଏହା ଏକ ବିଶ୍ୱଯୁଦ୍ଧ ହାରିବା ପରି ହେବ। ଆମେ ଏହା କେବେ ହେବାକୁ ଦେବୁ ନାହିଁ।’

ତେବେ କହିରଖୁଛୁ, ଟ୍ରମ୍ପ ପ୍ରଶାସନ ଆଇନରେ ପରିଣତ କରିଥିବା ଜିନିୟସ ଆଇନର ଉଦ୍ଦେଶ୍ୟ ହେଉଛି ଡଲାର-ଆଧାରିତ ସ୍ଥିର କଏନ ପାଇଁ ଏକ ସ୍ପଷ୍ଟ ଏବଂ ସରଳ ନିୟାମକ ଢାଞ୍ଚା ସୃଷ୍ଟି କରିବା। ଟ୍ରମ୍ପ ଏହାକୁ ଇଣ୍ଟରନେଟ୍ ଜନ୍ମ ହେବା ପରଠାରୁ ଆର୍ଥିକ ପ୍ରଯୁକ୍ତିବିଦ୍ୟାରେ ସବୁଠାରୁ ବଡ଼ ବିପ୍ଳବ ବୋଲି କହିଥିଲେ। ସେ କହିଥିଲେ, ଏହି ଆଇନ ଆମେରିକାକୁ କ୍ରିପ୍ଟୋ ଏବଂ ଡିଜିଟାଲ୍ ମୁଦ୍ରାର ଜଗତର ରାଜା କରିବ। ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ଆମେରିକା କ୍ରିପ୍ଟୋ ରାଜଧାନୀ ହେବ, ଏବଂ ଆଜି ଆମେ ସେହି ପ୍ରତିଶ୍ରୁତି ପୂରଣ କରିଛୁ।’ କ୍ରିପ୍ଟୋ ସମ୍ପ୍ରଦାୟର ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, “ବର୍ଷ ବର୍ଷ ଧରି ତୁମ ଲୋକମାନଙ୍କୁ ଉପହାସ କରାଯାଇଥିଲା, କିନ୍ତୁ ତୁମେ ହାର ମାନିନାହଁ। ଏହି ଆଇନ ତୁମର କଠିନ ପରିଶ୍ରମ ଏବଂ ଆଗ୍ରହର ବିଜୟ।” ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆମେରିକାରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ କରେନ୍ସି (CBDC) କେବେବି ଅନୁମତି ଦିଆଯିବ ନାହିଁ।

Comments are closed.